ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ହାଇକୋର୍ଟରେ ଫାଶୀ ଦଣ୍ଡାଦେଶକୁ ଚାଲେଞ୍ଜ

କଟକ : ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଫାଶୀ ଦଣ୍ଡାଦେଶ ସଂପର୍କିତ ମାମଲା ହାଇକୋର୍ଟରେ ପହଞ୍ଚିଛି। ଏହି ମାମଲାରେ ବାରିପଦା ଚିଲ୍‌ଡ୍ରେନ୍ କୋର୍ଟ ବିଚାରପତି ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତ(୨୫)କୁ ଦୋଷୀ ସାବ୍ୟସ୍ତ କରି ଅଗଷ୍ଟ ୨୮ରେ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଥିଲେ। ଆଇପିସିର ଦଫା ୩୭୬(ଏବି), ୩୬୩, ୩୦୨ ସହିତ ପୋ‌କ୍‌ସୋ ଆଇନର ଧାରା ୬ ଓ ଏସ୍‌ଏସି ଆଣ୍ଡ୍ ଏସ୍‌ଟି ଆଇନର ଧାରା ୩ରେ ଯାମିନୀକାନ୍ତକୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଥିଲା। ଏଥିସହିତ ପୀଡିତ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ଅଦାଲତ ମୃତ୍ୟୁଦଣ୍ଡ ଅନୁମୋଦନ ସଂପର୍କିତ ମାମଲା(ଡିଏସଆରଇଏଫ୍) ହାଇକୋର୍ଟରେ ଦାୟର ହୋଇଛି। ମୃତ୍ୟୁଦଣ୍ଡାଦେଶ ଅନୁମୋଦନ ସଂପର୍କିତ ଏହା ହେଉଛି ୨୦୧୯ରେ ଦ୍ବିତୀୟ ମାମଲା। ଅନୁଗୁଳ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗତ ଜୁଲାଇ ୨୬ରେ ପ୍ରଦାନ କରାଯାଇଥିବା ଫାଶୀ ଦଣ୍ଡାଦେଶ ସଂପର୍କିତ ମାମଲା ଏବେ ବିଚାରାଧୀନ ରହିଛି। ପୂର୍ବରୁ ଗୁଣିଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣାରେ ୯ଜଣଙ୍କୁ ଗୁଣପୁର ଅତିରିକ୍ତ ଦୌରା ଜଜ୍‌ ଅଦାଲତ ପ୍ରଦାନ କରିଥିବା ଫାଶୀ ଦଣ୍ତ ସ˚ପର୍କିତ ମାମଲା ମଧ୍ୟ ହାଇକୋର୍ଟରେ ବିଚାରାଧୀନ ରହିଛି।

ମାମଲାର ବିବରଣୀରୁ ପ୍ରକାଶ ଯେ , ୨୦୧୮ ଜୁନ୍ ୧୪ରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଗରୁଡବାସା ଗାଁର ଯାମିନୀକାନ୍ତ ୮ ବର୍ଷର ନାବାଳିକାକୁ ସାଇକେଲ ଚଳାଇବା ଶିଖାଇବା ବାହାନାରେ ନିକଟସ୍ଥ ଜଙ୍ଗଲକୁ ଡାକି ନେଇଥିଲା। ଜଙ୍ଗଲରେ ସେ ନାବାଳିକା ସହିତ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଥିଲା। ଜଙ୍ଗଲ ଭିତରେ ସେ ପୀଡିତାର ଶବ ଫିଙ୍ଗି ଦେଇ ଆସିଥିଲା। ଗାଁ ଲୋକ ଖୋଜା ଖୋଜି କରି ପୀଡିତାର ଶବ ପାଇବା ପରେ ପୁଲିସକୁ ଖବର ଦେଇଥିଲେ। ୨୦୧୮, ଜୁନ୍ ୧୫ରେ ପୀଡିତଙ୍କ ଭାଇ ରୁପାଇ ମୁର୍ମୁ ଥାନାରେ ଏ ନେଇ ଏତଲା ଦେବା ପରେ ପୁଲିସ ମାମଲା ରୁଜି କରି ଯାମିନୀକାନ୍ତକୁ ଗିରଫ କରିଥିଲା। ଘଟଣାର ତଦନ୍ତ କରି ପୁଲିସ ଚାର୍ଜସିଟ ଦାଖଲ କରିବା ପରେ ମାମଲାର ଶୁଣାଣି ଅଦାଲତରେ ଆରମ୍ଭ ହୋଇଥିଲା। ୨୭ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏଥି ସହିତ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ଡାକ୍ତରୀ ରିପୋର୍ଟ ଓ ଫରେନସିକ୍ ରିପୋର୍ଟ ଅଦାଲତରେ ଦାଖଲ କରାଯାଇଥିଲା। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଏହା ଏକ ବରିଳ ମାମଲା ବୋଲି ଅଦାଲତ ରାୟ ଦେବା ସହିତ ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର