ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡାଦେଶ

ବାରିପଦା/ବେତନଟୀ/ଚିତ୍ରଡ଼ା : ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜ୍ୟରେ ଚର୍ଚା ଆରମ୍ଭ ହୋଇଛି। କମ୍‌ ଦିନରେ ଅଦାଲତ ଏପରି ଏକ ରାୟ ଶୁଣାଇବା, ନ୍ୟାୟ ବ୍ୟବସ୍ଥା ଉପରୁ ଆସ୍ଥା ହରାଉଥିବା ଲୋକଙ୍କ ମନରେ ନୂଆ ଆଶା ସଂଚାର କରିଛି। ତେବେ ମୃତକଙ୍କ ପରିବାର ଲୋକ ଏଭଳି ଏକ ରାୟ ପ୍ରକାଶ ପାଇବା ପରେ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଅଭିଯୁକ୍ତ ହାଇକୋର୍ଟର ଆଶ୍ରୟ ନେବ ବୋଲି କହିଛି।

ନାବାଳିକା ଦୁଷ୍କର୍ମକାରୀ ଓ ହତ୍ୟା ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତ (୨୫)କୁ ଧାରା ୩୭୬ (ଏବି) ଓ ୩୦୨ ଆଧାରରେ ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ମୟୂରଭଂଜ ଜିଲ୍ଲା ବାରିପଦା ଏଡିଜେ-୧ ତଥା ପୋକ୍‌ସୋ କୋର୍ଟ ବିଚାରପତି ମହମ୍ମଦ ଆଇ ନବି ଏହି ରାୟ ଶୁଣାଇଛନ୍ତି। ଧାରା ୩୬୩, ୩୭୬(ବି), ୩୭୬(ଏ), ୬ ପୋକ୍‌ସୋ ଆକ୍ଟ ଏବଂ ୩ (ଡବ୍ଲ୍ୟୁ)(ଭି)(ଭିଏ) ଏସ୍‌ଟି ଏସ୍‌ସି ଆକ୍ଟରେ ମଧ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେହିପରି ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଅ‌ାଯାଇଛି।

୨୭ ଜଣ ସାକ୍ଷୀ ଏବଂ ୪୯ ଟି ଦସ୍ତାବିଜ୍‌, ପୁଲିସ ରିପୋର୍ଟ ଓ ମେଡିକାଲ୍‌ ରିପୋର୍ଟକୁ ଭିତ୍ତି କରି ରାୟ ପ୍ରକାଶ ପାଇଛି। ମୃତକଙ୍କ ବୟସ ମାତ୍ର ୮ ବର୍ଷ ହୋଇଥିବାରୁ ଅଦାଲତ ଏହାକୁ ବିରଳ ମାମଲା ବୋଲି ବିବେଚନା କରିଥିବାବେଳେ ପୋକ୍‌ସୋ ଆଇନ ଅନ୍ତର୍ଗତ ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡା‌ଦେଶ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ସରକାରଙ୍କ ପକ୍ଷରୁ ପିପି ଭାବେ ଶରଦ ଚନ୍ଦ୍ର ସାମନ୍ତ, ସ୍ବତନ୍ତ୍ର ପିପି ଭାବେ ଅଭିନ୍ନ ପଟ୍ଟନାୟକ ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜୀବ କୁମାର ଦାସ ମାମଲା ପରିଚାଳନା କରୁଥିଲେ।

ଉଲ୍ଲେଖଯୋଗ୍ୟ ଯେ ବେତନଟୀ ଥାନା ଅନ୍ତର୍ଗତ ଗରୁଡ଼ବସା ଗାଁର ଯାମିନୀକାନ୍ତ ୧୪ ଜୁନ୍‌ ୨୦୧୮‌ରେ ୮ ବର୍ଷର ଜଣେ ନାବାଳିକାଙ୍କୁ ସାଇକେଲ୍‌ ଚଲାଇବା ଶିଖେଇବା ବାହାନାରେ ନିକଟସ୍ଥ ଜଙ୍ଗଲକୁ ଡାକିନେଇଥିଲା। ସେଠାରେ କାମାନ୍ଧ ଯାମିନୀକାନ୍ତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ସହ ଶବକୁ ଜଙ୍ଗଲରେ ଫିଙ୍ଗିଦେଇଥିଲା। ଗାଁ ଲୋକ ନାବାଳିକାଙ୍କୁ ଖୋଜାଖୋଜି କରି ଶବ ପାଇବା ପରେ ପୁଲିସକୁ ସୂଚନା ଦେଇଥିଲେ। ପରଦିନ ଅର୍ଥାତ୍‌; ୧୫ ଜୁନ୍‌, ୨୦୧୮ରେ ମୃତକଙ୍କ ଭାଇ ରୁପାଇ ମୁର୍ମୁଙ୍କ ଏତଲା କ୍ରମେ ଥାନାରେ ୮୨/୧୮ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା।

ଏକମାତ୍ର ଝିଅକୁ ହ‌ରେଇଛି, ତା’ର ଆତ୍ମାକୁ ଶାନ୍ତି ମିଳିବ: ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ ମିଳିବା ପରେ ମୃତକଙ୍କ ବାପା ସୁରିଆ ମୁର୍ମୁ ଅଦାଲତରେ କାନ୍ଦି ପକାଇଥିଲେ। ଏହି ରାୟ ତାଙ୍କ ଦିବଂଗତ ଝିଅର ଆତ୍ମାକୁ ଶାନ୍ତିଦେବ ବୋଲି ଲୁହ ଲୁହ ଛଳ ଛଳ ଆଖିରେ କହିଥିଲେ। ତେବେ ଦଣ୍ଡକୁ ନେଇ ସେ ସନ୍ତୁଷ୍ଟ ଥିବାବେଳେ ଯେଉଁମାନେ ଏମିତି ଅପକର୍ମ କରୁଛନ୍ତି, ସମସ୍ତଙ୍କୁ ଏପରି ଦଣ୍ଡ ମିଳୁ ବୋଲି ପ୍ରକାଶ କରିଥିଲେ।

ହାଇକୋର୍ଟରେ ଆବେଦନ କରାଯିବ: ଅଭିଯୁକ୍ତଙ୍କୁ ହୋଇଥିବା ମୃତ୍ୟୁଦଣ୍ଡ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ରଞ୍ଜୀବ କୁମାର ଦାସ ପ୍ରକାଶ କରିଛନ୍ତି। ସେହିପରି ଜେଲ୍‌କୁ ନେବା ବେଳେ ଅଭିଯୁକ୍ତ ମଧ୍ୟ ‌ହାଇକୋର୍ଟକୁ ଯିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ: ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ପରେ ହତ୍ୟା ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଆଦେଶ ଦିଆଯିବା ନିଷ୍ପତ୍ତି ସମାଜ ପାଇଁ ଏକ ଉଦାହରଣ। ବିକୃତ ମାନସିକତାଧାରୀ ବ୍ୟକ୍ତିଙ୍କ ପାଇଁ ଏକ ସତର୍କ ଘଣ୍ଟି ସଦୃଶ। ଅଦାଲତଙ୍କ ଏହି ରାୟ ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପିପି ଅଭିନ୍ନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର