ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଆଦିବାସୀଙ୍କ ସଂସ୍କୃତି ଓ କଳାକୃତି ସଂରକ୍ଷଣ ପାଇଁ ତତ୍କାଳୀନ ସରକାର ପାପଡ଼ାହାଣ୍ଡି ମୃଗ ବିହାର ନିକଟରେ ଆଦିବାସୀ ସଂଗ୍ରହାଳୟ ନିର୍ମାଣ ପାଇଁ ସ୍ଥିର ହୋଇଥିଲା। ଆଇଟିଡିଏ ପକ୍ଷରୁ ଏହି ପ୍ରକଳ୍ପ ନିମନ୍ତେ ୧୨କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। କିନ୍ତୁ ଦୁଇଥର ଏହି ଗୋଟିଏ ପ୍ରକଳ୍ପ ଲାଗି ଶିଳାନ୍ୟାସ ସତ୍ତ୍ବେ ଅନିଶ୍ଚିତତା ଲାଗି ରହିଛି। ସେହିପରି ବ୍ୟୟ ଅଟକଳ ମଧ୍ୟ ୬କୋଟିକୁ ଖସି ଆସିଛି।

Advertisment

ବ୍ୟୟ ଅଟକଳ ୬ କୋଟିକୁ ଖସିଲା
ପ୍ରକଳ୍ପ ଗୋଟିଏ, ଦୁଇଥର ଶିଳାନ୍ୟାସ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆଦିବାସୀ ସଂଗ୍ରହାଳୟ ନିମନ୍ତେ ଭୂମିପୂଜନ ହୋଇଥିଲା। ଏହାପରେ ୨୫‌ଲକ୍ଷ ଟଙ୍କାରେ ପାଚେରି ନିର୍ମାଣ କରାଯାଇଥିଲା। ‌କିଛି ମାସ ପରେ ଏହି ପ୍ରକଳ୍ପ ଖର୍ଚ୍ଚ ୯କୋଟିକୁ କମାଇ ଦିଆଗଲା। ସେହିପରି ନୂତନ ଡିଜାଇନ ନଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଟେଣ୍ଡରକୁ ବାତିଲ କରାଯାଇଥିଲା। ଗତବର୍ଷ ଆଦିବାସୀ ସଂଗ୍ରହାଳୟ ନିମନ୍ତେ ସ୍ଥାନ ପରିବର୍ତ୍ତନ କରାଗଲା। ପାପଡ଼ାହାଣ୍ଡି ବଦଳରେ ନବରଙ୍ଗପୁରରେ କରିବାକୁ ନିଷ୍ପତ୍ତି ନିଆଗଲା। ସଂଗ୍ରହାଳୟ ସହ ଅଡିଟୋରିୟମ୍‌ ନିମନ୍ତେ ୬କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ତତ୍କାଳୀନ ସରକାର ଘୋଷଣା କଲେ। ଓସିସିଏଫ୍‌କୁ ପ୍ରକଳ୍ପର ନିର୍ମାଣ ଦାୟିତ୍ବ ଦେଇଥିଲେ ସରକାର। ଏଥିପାଇଁ ହଜାର ହଜାର ଆଦିବାସୀଙ୍କ ଉପସ୍ଥିତିରେ ବହୁ ଆଡ଼ମ୍ବରରେ ଦ୍ବିତୀୟଥର ଶିଳାନ୍ୟାସ କରାଗଲା। ତେବେ ନିର୍ବାଚନ ଆଚାରଣ ବିଧି ଲାଗୁ ହୋଇଯିବାରୁ ନିର୍ମାଣ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ଜିଲ୍ଲାର ପ୍ରତି ବ୍ଲକରେ ୩୫ଲକ୍ଷ ଟଙ୍କା ବ୍ୟୟରେ ଗୋଟିଏ ଲେଖାଏଁ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ନିର୍ମାଣ ନିମନ୍ତେ ଶିଳାନ୍ୟାସ ହୋଇଥିଲେ ସୁଦ୍ଧା କାମ ଆରମ୍ଭ ହୋଇପାରିନି। ଏହାକୁ ‌ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକଳ୍ପ ନିର୍ମାଣ ବାବଦରେ ଅନୁଦାନ ଆଇଟିଡିଏ ନିକଟରେ ରହିଛି। ତେଣୁ ତୁରନ୍ତ ଟେଣ୍ଡର ଆହ୍ବାନ ସହ କାମ ଆରମ୍ଭ କରିବାକୁ ବିଭିନ୍ନ ଆଦିବାସୀ ସଂଗଠନ ଦାବି କରିଛନ୍ତି।

ନବରଙ୍ଗପୁର ସହର ମଝିରେ ପୂର୍ବତନ ସାଂସଦ ଭଗବାନ ମାଝୀଙ୍କ ଉନ୍ନୟନ ପାଣ୍ଠିରେ ଜନଜାତି ସଂଗ୍ରହାଳୟ ଓ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିଲା। ଯାହାକୁ ୨୦୦୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କ କୀର୍ତ୍ତିରାଜିର ସଂରକ୍ଷଣ ଉଦ୍ଦେଶ୍ୟରେ ଲୋକାର୍ପଣ କରିଥିଲେ। ସଂସ୍କୃତି ବିଭାଗ କିଛି ବର୍ଷ ଧରି ଏହି କୋଠାକୁ ପରିଚାଳନା କରିବା ପରେ ପୌରପାଳିକାକୁ ହସ୍ତାନ୍ତର କରିଥିଲା। କୋଠା କିଛି ବର୍ଷ ଧରି ଆଶୀର୍ବାଦ କଲ୍ୟାଣ ମଣ୍ଡପ ଭାବେ ଚାଲିଥିଲା। ପରବର୍ତ୍ତୀ ସମୟରେ କୋଠାକୁ ଲିଜ୍ ସୂତ୍ରରେ ଦିଆଗଲା। ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ କୋଠାକୁ ଅସୁରକ୍ଷିତ ଘୋଷଣା କରାଯିବାରୁ ସେହି ସ୍ଥାନରେ ବର୍ତ୍ତମାନ ପୌରପାଳିକା ନୂଆ କଲ୍ୟାଣମଣ୍ଡପ ନିର୍ମାଣ କରୁଛି। ଆଦିବାସୀ ପରମ୍ପରାର ସଂରକ୍ଷଣ ନିମନ୍ତେ ଆଦିବାସୀ ବହୁଳ ଜିଲ୍ଲାରେ ଗୋଟିଏ ବି ସଂଗ୍ରହାଳୟ ନାହିଁ। ତୁରନ୍ତ ଜିଲ୍ଲାସ୍ତରରେ ସଂଗ୍ରହାଳୟ, ଭବନ ଓ ବ୍ଲକସ୍ତରରେ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ କରିବାକୁ ଅବିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ମହାସଂଘ ସଭାପତି ଅର୍ଜୁନ ଭତ୍ରା ଦାବି କରିଛନ୍ତି।