ଜନଜାତି ସଂଗ୍ରହାଳୟ ଭର୍ଚୁଆଲ ଟୁର୍‌ : ଏଥର ଧାରୁଆ ଜନଜାତିଙ୍କ ବସ୍ତ୍ର, ଢୋକ୍ରା କାରିଗରୀ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଜନଜାତି ସଂଗ୍ରହାଳୟ ରବିବାରିଆ ଭର୍ଚୁଆଲ ଟୁର୍‌ରେ ଏଥର ଧାରୁଆ ଜନଜାତିଙ୍କ ବସ୍ତ୍ର ଓ ଢୋକ୍ରା କାରିଗରୀ ସମ୍ପର୍କରେ ଜାଣିବାକୁ ସୁଯୋଗ ମିଳିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀରରେ ବସବାସ କରୁଥିବା ଧାରୁଆ ଜନଜାତି କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାନ୍ତି। ଧାରୁଆ ଜନଜାତିର ଲୋକେ ସ୍ୱତନ୍ତ୍ର ଧଳା ଓ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତି। ମାତ୍ର ବିବାହ ସମୟରେ ଗାଢ଼ ନାଲି ଓ ଇଟା ରଙ୍ଗର ପୋଷାକରେ ସଜେଇ ହୁଅନ୍ତି। କୋଟପାଡ଼ର ବୁଣାକାରମାନେ ପ୍ରାକୃତିକ ରଂଗ ଦେଇ ଏହାକୁ ପ୍ରସ୍ତୁତ କରୁଥିବା ବେଳେ ଏହାକୁ ଅନ୍‌ଲାଇନ୍‌ ଯୋଗେ ଦେଖିବା ଓ ଜାଣିବାର ଅବକାଶ ମିଳିବ।

ସେହିପରି ରାୟଗଡ଼ା, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ ଓ ମୟୂରଭଞ୍ଜରେ ଆଦିବାସୀ ଓ ଅଣ ଆଦିବାସୀ ଢୋକ୍ରା ଶିଳ୍ପୀଙ୍କ ବାବଦରେ ଏହି ଭର୍ଚୁଆଲ ଟୁର୍‌ରୁ ଜାଣିବାକୁ ମିଳିବ। ପିତଳ, କଳା ଓ ବାଦାମୀ ରଙ୍ଗ, ମହମ, ଝୁଣା, ମାଟି, ଧାନର ଶୁଖିଲା ଚୋପା, ବାଲି ଓ କାଠର ମିଶ୍ରଣରେ ପ୍ରସ୍ତୁତ ଢୋକ୍ରା କଳା ବେଶ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଏସଵୁର ପ୍ରସ୍ତୁତି ସମ୍ପର୍କରେ ଭିଡିଓ ମାଧ୍ୟମରେ ଜାଣିବାର ସୁଯୋଗ ମିଳିବ। ଦର୍ଶକମାନେ ଟ୍ୱିଟର୍‌ ଓ ଫେସବୁକ୍ ପେଜ୍‌ @scstrti ଓ @stscdev‌‌‌‌‌ରେ ଭର୍ଚୁଆଲ ଟୁର୍‌ରେ ଏସବୁ ଦେଖିବାର ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର