ଓଡ଼ିଶାରେ ଛତିଶଗଡ଼ ଲୁଟେରା: ଆଧାର କାର୍ଡ-ଫିଙ୍ଗର ପ୍ରିଣ୍ଟ ନେଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ, ଥାନାରେ ଅଭିଯୋଗ

ଚନ୍ଦାହାଣ୍ଡି: ଲୋକେ କିଭଳି ବିନା ମଧ୍ୟସ୍ଥିରେ ନିଜର ପ୍ରାପ୍ୟ ପାଇପାରିବେ. ଏଥିପାଇଁ ସେମାନେ କାହାରି ପାଖକୁ ମଧ୍ୟ ଯିବାକୁ ପଡ଼ିବ ନାହିଁ। ହାତ ପାଆନ୍ତାରେ ନିଜର ସଞ୍ଚିତ ବା ବ୍ୟାଙ୍କ୍‌ ଜମା ଅର୍ଥ ପାଇ ପାରିବେ। ସେଥିପାଇଁ ସମସ୍ତ ବ୍ୟାଙ୍କ୍‌ ଖାତାକୁ ନିଜ ନିଜର ଆଧାର କାର୍ଡ ସହିତ ସଂଲଗ୍ନ କରାଯାଇଛି। ଏହି ବ୍ୟାଙ୍କ୍‌ ଖାତା ଗୁଡ଼ିକରେ ବିଭିନ୍ନ ସରକାରୀ ସହାୟତାର ଅର୍ଥ ମଧ୍ୟ ଜମା କରାଯାଉଛି। ତେବେ ଏହାର ସୁଯୋଗ ନେଇ ଗାଁ ଗହଳି ଲୁଟେରା ମାନେ ନିରୀହ ଆଦିବାସୀଙ୍କ ଆଧାର କାର୍ଡ ମାଗିବା ସହିତ କୌଶଳ କ୍ରମେ ଟିପ ଚିହ୍ନ ନେଇ ନିଜ ଆକାଉଣ୍ଟ୍‌କୁ ପଇସା ନେଇ ଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ ଫଟିକି ପଞ୍ଚାୟତର ବୋକଡ଼ାମୁଣ୍ଡି, ଡହିମାଲ ଆଦି ଦୁର୍ଗମ ଅଂଚଳରେ।

ବିବରଣୀରୁ ପ୍ରକାଶ ଯେ ଛତିଶଗଡ଼ ରାଜ୍ୟ ଅମଲିପଦର ଥାନା ଅଞ୍ଚଳର ପାନିଗାଁ ଗ୍ରାମର ରୁଦେନ୍‌ ପ୍ରଧାନ ଓ ଲିକେସ୍‌ ନାଗେଶ୍‌ ଓ ଅନ୍ୟ ଜଣେ ଯୁବକ ଗତ କିଛି ଦିନ ତଳେ ଏକ ମାଇକ୍ରୋ ଏଟିଏମ୍‌ ଧରି ସେମାନେ ସରକାରୀ ସଂସ୍ଥାରୁ ଆସିଛନ୍ତି । ଲୋକ ମାନଙ୍କୁ କରୋନା ସହାୟତା ରାଶି ପଇସା ଜମା ହୋଇଥିବା ଚେକ୍‌ କରିବାକୁ କହି ବୋକଡ଼ାମୁଣ୍ଡି ଗ୍ରାମର କିଛି ଲୋକଙ୍କ ଠାରୁ ଆଧାର କାର୍ଡ ମାଗି ସେମାନଙ୍କ ଫିଙ୍ଗର୍‌ ପ୍ରିଣ୍ଟ ନେଇ ଲୋକ ମାନଙ୍କ ଖାତାରେ ଥିବା ସମସ୍ତ ଅର୍ଥକୁ ନିଜ ଆକାଉଣ୍ଟ୍‌କୁ ନେଇ ଯାଇଥିଲେ।

ବୋକଡ଼ାମୁଣ୍ଡି ଗ୍ରାମର ଡମନି ମାଝୀଙ୍କ ଖାତାରୁ ମମତା ଯୋଜନାର ଜମା ଅର୍ଥ ଦୁଇ ହଜାର ଟଙ୍କା, ତୀର୍ଥ ମାଝୀଙ୍କ ଠାରୁ ୧୪୦୦, ଧନମତି ମାଝୀଙ୍କ ଖାତାରୁ ୩୩୦୦ କୁନ୍ତଳୀ ମାଝୀ ଖାତାରୁ ୨୦୦୦, ସିନେ ମାଝୀର ଖାତାରୁ ୩୦୦୦ ଏଭଳି ଆଖ ପାଖ ଗ୍ରାମରୁ ଲକ୍ଷାଧିକ ଟଙ୍କା ଆଧାର କାର୍ଡ ଓ ଟିପ ନେଇ ଠକେଇ କରି ନେଇ ଥିବା ଜଣାପଡ଼ିଛି। ଦୀର୍ଘ ଦିନରୁ ଏହି ଲୁଟେରା ଦଳ ଚନ୍ଦାହାଣ୍ଡି ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଏଭଳି ଠକେଇରେ ମାତି ଏକ ପ୍ରକାର ରାକେଟ୍‌ ଚଲେଇ ଥିବା ବେଳେ ଏହି ଲୋକ ମାନେ ନିଜ ନିଜ ଆକାଉଣ୍ଟ୍‌ରୁ ରାଶି ଉଭାନ୍‌ ହେଇ ଯିବା ପରେ ଚନ୍ଦାହାଣ୍ଡି ପୁଲିସ୍‌ ଥାନାରେ ଲିଖିତ ଏତେଲା ଦେଇଛନ୍ତି। ଏହି ରାକେଟ ଝରିଗାଁ ବ୍ଲକ୍‌ର ମଧ୍ୟ ବିଭିନ୍ନ ଗ୍ରାମରେ ଏଭଳି ଠକେଇ କରିଥିବା ବିଶେଷ ସୂତ୍ରରୁ ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର