ଆଦିବାସୀଙ୍କୁ ମିଳୁନି ଜାତି ପ୍ରମାଣପତ୍ର, ସାମାଜିକ ସୁରକ୍ଷାରୁ ବଞ୍ଚିତ ଦେଶିଆ କନ୍ଧ
ଚାଳ କୁଡ଼ିଆରେ ବିତୁଛି ଜୀବନ, ବିକାଶ ବାଟବଣା
ନୂଆଗାଁ : ନୂଆଗାଁ ବ୍ଲକରେ ଏମିତି କିଛି ଗ୍ରାମ ଅଛି ଯେଉଁ ଗ୍ରାମଗୁଡିକରେ ବସବାସ କରୁଥିବା ଆଦିବାସୀ ସମୁଦାୟର ଲୋକମାନେ ଆଜିର ଦିନରେ ସରକାରଙ୍କ ଯୋଜନା ସେମାନଙ୍କ ପାଇଁ ସାତସପନ ପାଲଟିଥିବା ଦେଖିବାକୁ ମିଳୁଛି। ଯାହାର କାରଣ ସେମାନେ ଆଦିବାସୀ ହୋଇଥିଲେ ମଧ୍ୟ ଜାତିଗତ ପ୍ରମାଣପତ୍ର ଅଭାବରୁ ସମସ୍ତ ଯୋଜନା ସେମାନଙ୍କ ପାଇଁ ଏକପ୍ରକାରର ବାଟବଣା ହୋଇଥିବା ପରିଲକ୍ଷିତ ହୋଇଛି। ସେ ଘର କରିବା ପାଇଁ ଆବାସ ଯୋଜନା ହେଉ କିମ୍ବା ପିଲାଙ୍କ ପାଠପଢା ଏବଂ ଚାକିରି ପାଇଁ ହେଉ ଜାତିଗତ ପ୍ରମାଣପତ୍ର ମିଳିପାରୁନଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଖୋର୍ଦ୍ଧା–ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ନିକଟରେ ଥିବା ନୂଆଗାଁ ସଦର ମହକୁମାର ମୁଦୁରାଙ୍ଗ ଗ୍ରାମର ଗ୍ରାମବାସୀମାନେ ନିଜର କୋହଭରା କଣ୍ଠରେ ସେମାନଙ୍କର ଦୁଃଖଭରା କାହାଣୀ ପରିପ୍ରକାଶ କରିଛନ୍ତି। ବର୍ଷ ବର୍ଷଧରି ସରକାରୀ ଜାଗାରେ ନିଜର ଜୀବନ ବଞ୍ଚାଇବାକୁ ଚାଳ କୁଡିଆରେ ବସବାସ କରି ଆସୁଥିଲେ ସୁଦ୍ଧା ସରକାରଙ୍କ ବସୁନ୍ଧରା ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁନି। ଯାହା ଫଳରେ ଆବାସ ଯୋଜନାରେ ଘର ତିଆରି କରିବା ପାଇଁ ଏସଇସିସି ଲିଷ୍ଟରେ ନାମ ଆସୁଥିଲେ ସୁଦ୍ଧା ଜାଗାବାଡି ନଥିବାରୁ ଘର ମିଳିପାରୁ ନାହିଁ। ଏମିତିକି ପିଲାମାନଙ୍କ ପାଠପଢା ପାଇଁ ଯେକୌଣସି ପ୍ରମାଣପତ୍ର ମିଳିବା ବି ବହୁତ କଷ୍ଟକର ହୋଇପଡିଛି। ତେବେ ଏହି ସବୁ ଯୋଜନା କାହା ପାଇଁ, କାହା ସ୍ବାର୍ଥ ଯୋଗୁ ଏମାନେ ସାମାଜିକ ସୁରକ୍ଷାରୁ ଆଜି ପର୍ଯ୍ୟନ୍ତ ବାଦ୍ ପଡିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସେମାନଙ୍କ କହିବା ମୁତାବକ, ୨୦୦୮ ମସିହା ପର୍ଯ୍ୟନ୍ତ ‘ଦେଶୁଆ କନ୍ଧ’ ଜାତିଗତ ପ୍ରମାଣପତ୍ର ମାଧ୍ୟମରେ ସେମାନେ ସମସ୍ତ ସରକାରୀ ସୁବିଧା ପାଉଥିଲେ କିନ୍ତୁ ୨୦୦୯ ମସିହାଠାରୁ ବିଭାଗୀୟ ଅଧିକାରୀଙ୍କ କୌଣସି ଲିଖିତ ତ୍ରୁଟି ଯୋଗୁ ତାହା ‘ଦେଶିଆ କନ୍ଧ’କୁ ରୂପାନ୍ତରିତ ହେବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ସମସ୍ୟା କେବଳ ମୁଦୁରାଙ୍ଗ ଗ୍ରାମର ସମସ୍ୟା ନୁହେଁ ନୂଆଗାଁ ବ୍ଲକର ୪୦ରୁ ଊର୍ଦ୍ଧ୍ବ ଗ୍ରାମର ଗ୍ରାମବାସୀଙ୍କ କରୁଣ ଚିତ୍ର ପାଲଟିଛି। ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଜିଲ୍ଲାସ୍ତରରେ ରାଲି, ବିକ୍ଷୋଭ ଏବଂ ଧର୍ମଘଟ ଭଳି ଆଇନଗତ ପଦକ୍ଷେପ ନିଜ ହାତକୁ ନେଇ ଅନେକ ଥର ବିଫଳ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ନ୍ୟାର୍ଯ୍ୟ ଦାବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ସତେ ଯେମିତି ଲୁଚି ଯାଇଛି। ଆଦିବାସୀ ପିଲାଙ୍କ ପାଠପଢା ପାଇଁ ସରକାରଙ୍କ ତରଫରୁ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଥିବା ବେଳେ ଏହି ଦେଶିଆ କନ୍ଧ ସମୁଦାୟର ଛାତ୍ରଛାତ୍ରୀମାନେ ଏହି ମୌଳିକ ସୁବିଧା ପାଇନପାରି ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିବା ଅଭିଭାବକମାନେ କୋହଭରା କଣ୍ଠରେ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଦେଶିଆ କନ୍ଧମାନଙ୍କୁ ଉଚିତ ନ୍ୟାୟ ମିଳିବା ସଙ୍ଗେ ସଙ୍ଗେ ବର୍ଷବର୍ଷ ଧରି ଲାଗିରହିଥିବା ଜାତିଗତ ପ୍ରମାଣପତ୍ର କେବେ ମିଳୁଛି।