ନୂଆପଡ଼ା : ମାଓବାଦୀଙ୍କ ବିରୋଧରେ ସ୍ବର ଉଠାଲେଣି ଆଦିବାସୀ। ସରଳ ନିରୀହ ଆଦିବାସୀଙ୍କ ଉପରେ ମାଓବାଦୀଙ୍କ ଅତ୍ୟାଚାରକୁ ଆଉ ବରଦାସ୍ତ କରାଯିବ ନାହିଁ। ଏଣିକି ସେମାନଙ୍କୁ ଗାଁକୁ ପୂରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ଆଦିବାସୀ।

Advertisment

ନିକଟରେ ଛତିଶଗଡ଼ ରାଜ୍ୟର ଆଦିବାସୀମାନେ ମାଓବାଦୀଙ୍କୁ ବିରୋଧ କରିବା ସହ ଆଦିବାସୀଙ୍କୁ ଗାଁ ଭିତରକୁ ପୂରାଇ ନଦେବାକୁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଥିଲେ। ଏବେ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟବାସୀ ମାଓବାଦୀଙ୍କ ଗାଁକୁ ପୂରାଇ ନଦେବାକୁ ଚେତାବନୀ ଦେଇଛନ୍ତି। ଆଜି ଆଦିବାସୀ ଦିବସରେ ଅଭୟାରଣ୍ୟବାସୀ ନୂଆପଡ଼ା ପହଞ୍ଚି ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ଭେଟି ଏକ ଦାବିପତ୍ର ଦେଇ ଆଦିବାସୀଙ୍କୁ ସରକ୍ଷା ଯୋଗାଇ ଦେବାକୁ ନିବେଦନ କରିଛନ୍ତି।

ସେମାନଙ୍କର ଦାବି ହେଲା ଯେ, କିଛିଦିନ ତଳେ ଛତିଶଗଡ଼ରେ ନିରୀହ ଆଦିବାସୀଙ୍କୁ ପୁଲିସ୍‌ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି। ମାଓବାଦୀଙ୍କ ଏଭଳି କାର୍ଯ୍ୟକୁ ସମ୍ପୂର୍ଣ୍ଣ ବିରୋଧ କରି ଆଗାମୀ ଦିନରେ ସେମାନଙ୍କୁ ଗାଁରେ ନପୂରାଇବାକୁ ନିଷ୍ପତ୍ତି ନେଇଛନ୍ତି। ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ସୁନାବେଡ଼ା ସୋସେଙ୍ଗ, ମିଛାପାଲି, ଭଇଁଷାଦାନୀ, ପାଟଦରା ଏବଂ ଛତିଶଗଡ଼ ଆମାମୋରା ଅଞ୍ଚଳରେ ଅନେକ ବର୍ଷ ହେବ ଭୁଞ୍ଜିଆ, ଗଣ୍ଡ ପହରିଆ ଏବଂ ଅନ୍ୟ ସମାଜର ଲୋକମାନେ ଭାଇଚାରା ସହିତ ରହୁଛନ୍ତି। ପୁଲିସ ସୁରକ୍ଷା ଶିବିର ପ୍ରତିଷ୍ଠା ଫଳରେ ସୁନାବେଡ଼ା ଅଞ୍ଚଳରେ ବର୍ତମାନ ଶାନ୍ତି ଫେରିଛି। ଆମେ ସୁରକ୍ଷିତ ଅନୁଭବ କରୁଛୁ। ଚଳିତ ବର୍ଷ ୧୫ ଜୁନରେ ଆମାମୋରାରେ ଭୁଞ୍ଜିଆ ସମାଜର ଜଣେ ନିରୀହ ଆଦିବାସୀ ପର୍ଶୁରାମ ଭୁଞ୍ଜିଆଙ୍କୁ ମାଓବାଦୀ ମାନେ ନିର୍ମମ ହତ୍ୟା କରିଛନ୍ତି। ଏହାକୁ ଛତିଶଗଡ଼ ଓ ଓଡ଼ିଶାର ଆଦିବାସୀମାନେ ଘୋର ନିନ୍ଦା କରିଛନ୍ତି। ଏଥିପାଇଁ ସୀମାନ୍ତବର୍ତ୍ତୀ ବନବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୋମବାର ବିଶ୍ବ ଆଦିବାସୀ ଦିବସରେ ଓଡ଼ିଶା ସରକାରଙ୍କ ନିକଟରେ ଆଦିବାସୀମାନେ ଗୁହାରି କରିଛନ୍ତି, ଛତିଶଗଡ଼ ଆମାମୋରା ଓ ପାଟଧରାରେ ସୁରକ୍ଷା ଶିବିର ପ୍ରତିଷ୍ଠା, ସୀମାବର୍ତ୍ତୀ ଅଞ୍ଚଳ‌େର ଗମନାଗମନ ପାଇଁ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ସୁନାବେଡ଼ା ସରପଞ୍ଚ ତିଳସିଂହ ଝାକର, ବିଜୟ ଝାକର, ବିଶ୍ରାମ ଛତିଆ, ଧନୀରାମ ଛତ୍ରୀଆ, ଭୁଜବଳ ମାଝୀ, ସେତରାମ ବର୍ଗେ, ସୁନାବେଡ଼ା ଓ ପାଟଧାରା ଅଞ୍ଚଳର ବନବାସୀ ମାନେ ଉପସ୍ଥିତ ରହିଥିଲେ।