ପଥର ଯୋଗାଉଛି ପେଟକୁ ଆହାର: କାମ ନମିଳିବାରୁ ପଥର ଭାଙ୍ଗି ଗୁଜୁରାଣ ମେଣ୍ଟାଉଛନ୍ତି ଆଦିବାସୀ

ମାଲକାନଗିରି: ଆଦିବାସୀ ଆଧ୍ୟୁଷିତ ଜିଲ୍ଲା ମାଲକାନଗିରି । ଜିଲ୍ଲାରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନ ଅତି ଶୋଚନୀୟ । ନିଜର ସ୍ବଳ୍ପ ଜମିରେ ଧାନ, ମାଣ୍ଡିଆ, ସୁଆଁ ଆଦି ଫସଲ କରି କେହି କେହି ଗୁଜୁରାଣ ମେଣ୍ଟାଉଥିବା ବେଳେ ବହୁ ଆଦିବାସୀଙ୍କର ନିଜର ବୋଲି ଇଞ୍ଚେ ଜମି ନାହିଁ। ଫଳରେ ଏମାନେ ପ୍ରକୃତି ଉପରେ ନିର୍ଭର କରିବାକୁ ବାଧ୍ୟ । ଜଙ୍ଗଲରେ କନ୍ଦା, କେନ୍ଦୁ, ଝୁଣା, ମହୁ, କାଠ ସହ ଅନ୍ୟାନ୍ୟ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ପ୍ରତ୍ୟେକ ଋତୁରେ ତାକୁ ବିକ୍ରିକରି ଚଳନ୍ତି । ଶିକ୍ଷା ଏମାନଙ୍କ ପାଇଁ ସାତ ସପନ। ପେଟ ପାଇଁ ଦାନା ଯୋଗାଡ଼ କରୁ କରୁ ଉଚ୍ଚ ଶିକ୍ଷା ଲାଭ କରିବା ଏବଂ ଭଲ ଘରଟିଏ କରିବା ଏମାନଙ୍କ ଭାଗ୍ୟରେ ଜୁଟେ ନାହିଁ। ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ସାରଦାପୁଟ ଗ୍ରାମରେ ଏଭଳି କରୁଣ ଚିତ୍ର ଆମେ ଦେଖିବାକୁ ପାଇଥିଲୁ। ଏଠାରେ ପେଟର ଭୋକ ଆଗରେ ଶକ୍ତ ପଥର ବି ଫାଟି ଧୂଳି ହୋଇଯାଉଛି । କାମଧନ୍ଦା ନମିଳିବାରୁ ଗ୍ରାମବାସୀ ନିକଟସ୍ଥ ପାହାଡ଼କୁ ଯାଇ ପଥର ଭାଙ୍ଗୁଛନ୍ତି।

ଖରା,ବର୍ଷା, ଶୀତ ଏମାନଙ୍କ ପାଇଁ ସବୁ ସମାନ । ସକାଳେ ମାଣ୍ଡିଆ ପେଜ ଖାଇ ଦେଇ ପଥର ଭାଙ୍ଗିବା ପାଇଁ ପାହାଡ଼କୁ ଚାଲିଯାନ୍ତି ଗ୍ରାମବାସୀ। ସନ୍ଧ୍ୟାରେ ଘରକୁ ଫେରନ୍ତି। ଯାହା ଘରେ ଥାଏ ତାହାକୁ ଖାଇ ପୁଣି ଶୋଇପଡ଼ନ୍ତି । ଯେଉଁ ଆଦିବାସୀଙ୍କ ଘରେ ଛୋଟ ଛୋଟ ପିଲା ଅଛନ୍ତି, ସେମାନଙ୍କୁ ବି ସାଙ୍ଗରେ ନେଇ ନିଜ ପାଖରେ ବସାଇ ପଥର ଭାଙ୍ଗନ୍ତି ଗ୍ରାମବାସୀ। ଦିନ ସାରା ପିଲାମାନେ ସେହିଭଳି ଜଙ୍ଗଲରେ ବସି ରହିଥାନ୍ତି। ନିଜର ସଂଘର୍ଷମୟ ଜୀବନ କାହାଣୀ ବୟାନ କଲାବେଳେ କିଛି ମହିଳା କୋହ ସମ୍ବରଣ କରିନପାରି କାନ୍ଦି ପକାଇଥିଲେ। ଦିନ ସାରା ପଥର ଭାଙ୍ଗିଲେ ମିଳୁଛି ମାତ୍ର ୮୦ ଟଙ୍କା। ଗୋଟିଏ ଡବା ଗୋଡ଼ିକୁ ମିଳୁଛି ମାତ୍ର ୪୦ ଟଙ୍କା। .ସେମାନଙ୍କ ଠାରୁ ଗୋଡ଼ି କିଣି ବାହାରେ ଚଢ଼ାଦରରେ ବିକି ମାଲେମାଲ ହେଉଛନ୍ତି ଦଲାଲ। ପେଟର ଭୋକ ସହ୍ୟ କରିନପାରି ଯେତେ କଷ୍ଟ ହେଉଥିଲେ ମଧ୍ୟ ପଥର ଭାଙ୍ଗିବାରେ ଲାଗିଛନ୍ତି ଗାଁର ମହିଳା ଓ ପୁରୁଷ। ସାରଦାପୁଟ ଗ୍ରାମରେ ବସବାସ କରୁଥିବା ପ୍ରାୟ ସମସ୍ତେ ଆଦିବାସୀ ସମ୍ପ୍ରଦାୟର । ଯଦି ସରକାର ସେମାନଙ୍କୁ କାମ ଯୋଗାଇ ଦିଅନ୍ତେ ତାହାହେଲେ ସେମାନେ ଏଭଳି କଷ୍ୟସାଧ୍ୟ କାମ କରିନଥାନ୍ତେ ବୋଲି କହିଛନ୍ତି ଗ୍ରାମବାସୀ ।

ସରକାରଙ୍କ ଅଧିକାଂଶ ଯୋଜନାର ସୁଫଳ ଏମାନେ ପାଉନଥିବା ବେଳେ ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ଏସବୁ ପରିବାର । ଅଞ୍ଚଳଟି ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡିଳୀର ହୋଇଥିବା ବେଳେ ବିକାଶ କହିଲେ ଏଠି ଲୋକେ କିଛି ବୁଝନ୍ତି ନାହିଁ । ଦେଶ ଓ ଦୁନିଆରେ କଣ ଘଟୁଛି ତାହା ଏମାନଙ୍କ ବୁଝିବା ବାହାରେ । ଏଭଳି ପରିସ୍ଥିତିରେ ଜୀବନ ବଞ୍ଚୁଥିବା ଏହି ଆଦିବାସୀଙ୍କ ପ୍ରତି କେବେ ସରକାରଙ୍କ ଦୃଷ୍ଟି ପଡୁଛି ତାହା ଦେଖିବାର କଥା ।

ସମ୍ବନ୍ଧିତ ଖବର