ଓଏମ୍‌ସିର ଜମି କିଣା ଉଦ୍ୟମକୁ ଆଦିବାସୀଙ୍କ ବିରୋଧ

କାଳିଆପାଣି : ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଦୈତାରୀ ଲୌହଖଣି ପକ୍ଷରୁ ଅନାବାଦୀ ସରକାରୀ ଜମି କ୍ରୟ ଉଦ୍ୟମକୁ ବିରୋଧ କରି ଶୁକ୍ରବାର ଦିନ ଆଦିବାସୀ ମେଳି ଦେଖିବାକୁ ମିଳିଛି। ଟମକା ଥାନା କିଆଝର ପଞ୍ଚାୟତ ଅନ୍ତର୍ଗତ ଧୂଳିଆପଶି, ପାଣୁବାହାଳି, ସମରପିଟା ଓ ଚହଲାପଦା ଗାଁର ଗ୍ରାମବାସୀମାନେ ପ୍ରସ୍ତାବିତ ଜମିରେ ବସିରହି ଓଏମ୍‌ସି ଓ ସରକାରଙ୍କ ରାଜସ୍ବ ବିଭାଗର ପ୍ରାଥମିକ ପଦକ୍ଷେପକୁ ପ୍ରତିବାଦ କରିଛନ୍ତି। ଉକ୍ତ ୪ ଗାଁ ପକ୍ଷରୁ ଜିଲ୍ଲାପାଳଙ୍କୁ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଦିଆ ଯାଇଥିବା ସୂଚନା ମିଳିଛି।

ଗ୍ରାମବାସୀ ଅଭିଯୋଗ କରନ୍ତି ଯେ, ଗତ ୫୦ ବର୍ଷ ଧରି ପୁରୁଷାନୁକ୍ରମେ ସେମାନେ ଉକ୍ତ ଜମିକୁ ଦଖଲରେ ରଖି ବିଭିନ୍ନ ଚାଷବାସ କରି ଜୀବିକା ନିର୍ବାହ କରିଆସୁଛନ୍ତି। ତେବେ ଏଯାବତ୍ ଉକ୍ତ ଜମିର ପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି। ଏହି ସୁଯୋଗରେ ସରକାର ଓ ସରକାରୀ ଉଦ୍ୟୋଗ ଗରିବ ଆଦିବାସୀଙ୍କ ଜମି ଛଡ଼ାଇନେବା ଉଦ୍ୟମ କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି। ଏ ଦିଗ‌ରେ ସରକାର ସୁବିଚାର କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସୁନାରାମ ହେମ୍ବ୍ରମ, ଘାସିରାମ ହେମ୍ବ୍ରମ, ଭକ୍ତ ସୋରେନ, ଫଗୁ ହେମ୍ବ୍ରମ, ଜିତେନ୍ଦ୍ର ମାଝି, କାଦୁ ହେମ୍ବ୍ରମ, ମୁନସି ଟୁଡ଼ୁ, ଶଶା ଟୁଡ଼ୁ, ସୁରେନ୍ଦ୍ର ହେମ୍ବ୍ରମ, ମୁଚିରାମ ହାଁସଦା, ଲୁଦି ମାଝି, ବିକ୍ରମ ଟୁଡ଼ୁ ପ୍ରମୁଖ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଏ ସଂପର୍କରେ ଓଏମ୍‌ସି ଆଞ୍ଚଳିକ ପ୍ରବନ୍ଧକ ଡ. ସୁବ୍ରତ କୁମାର ମିଶ୍ରଙ୍କୁ ପଚରାଯିବାରେ ଜମିକିଣାକୁ ସ୍ବୀକାର ସେ କରିଥିଲେ ମଧ୍ୟ କୌଣସି ଆଦିବାସୀ କିମ୍ବା ଗରିବ ପ୍ରଜାଙ୍କୁ ଉପେକ୍ଷାକରି ସେମାନଙ୍କ ମନରେ ଆଘାତ ଦେବା କିମ୍ବା କ୍ଷତି ପହଞ୍ଚାଇବା ଓଏମ୍‌ସିର ନୀତି ନୁହେଁ ବୋଲି ସ୍ପଷ୍ଟ କରିଥିଲେ। ବଳିପର୍ବତ ଷ୍ଟାକ୍‌ୟ‌ାର୍ଡ ପରିସରରେ ବସବାସ କରୁଥିବା ୧୦ ଗୋଟି ପରିବାରକୁ ବିସ୍ଥାପନ ଓ ଥଇଥାନ ପାଇଁ ଆଖପାଖରେ ଜମି ଅଧିଗ୍ରହଣ ଅନିବାର୍ଯ୍ୟ ହୋଇଥିଲେ ମଧ୍ୟ ଏଠାରେ ଆଦିବାସୀଙ୍କ ଅସନ୍ତୋଷ ସୂଚନାପାଇ ଓଏମ୍‌ସି ଏଠାରୁ ଓହରିଯିବ ବୋଲି କହିଥିଲେ। ଏ କ୍ଷେତ୍ରରେ ଅଞ୍ଚଳବାସୀ ମନରେ କୌଣସି ଦ୍ବନ୍ଦ ନ”ରଖିବାକୁ ଶ୍ରୀ ମିଶ୍ର ବିବୃତି ରଖିଛନ୍ତି।

ସମ୍ବନ୍ଧିତ ଖବର