ଟିକା ନେବାକୁ ପଛଘୁଞ୍ଚା ଆଦିବାସୀ: ଆମେ ମଲେ ତମେ ଦାୟୀ ହେବ କି?

ବୁଗୁଡ଼ା : କରୋନା ମହାମାରୀକୁ ମାତ୍ ଦେବାକୁ ହେଲେ ଦୁଇ ଡୋଜ୍ ଟିକା ହିଁ ଏକ ମାତ୍ର କବଚ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ କହି ଆସୁଛନ୍ତି। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଟିକାକରଣ ଅଭିଯାନକୁ ଜୋର୍‌ଦାର କରିବା ସହ ‌ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ସହରାଞ୍ଚଳରେ ଟିକାକରଣ ତ୍ବରାନ୍ବିତ ହେଉଥିବା ବେଳେ ଲୋକଙ୍କ ଭିତରେ ବି ଏଥିପାଇଁ ଆଗ୍ରହ ପରିଲକ୍ଷିତ ହେଉଛି।। କିନ୍ତୁ ଦୁର୍ଗମ ଓ ଗ୍ରାମାଞ୍ଚଳ ଇଲାକାରେ ଟିକାକୁ ନେଇ ସଚେତନତାର ଅଭାବ ଓ ମନରେ ଭୟ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟରେ ପ୍ରତିବନ୍ଧକ ସାଜିଛି। ସ୍ଥିତି ଏମିତି ହୋଇଛି ଯେ, ରାଜ୍ୟର କିଛି ଆଦିବାସୀଅଧ୍ୟୁଷିତ ଇଲାକାରୁ ଲୋକେ ଭୟରେ ପଳାଉଥିବା ଭଳି ଘଟଣା ସାମ୍ନାକୁ ଆସିଲାଣି। ଏପରିକି ସ୍ବାସ୍ଥ୍ୟକର୍ମୀ ମାନେ ଟିକା କେନ୍ଦ୍ର ଖୋଲି ଶିବିର ଆୟୋଜନ କରି ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରୁଥିଲେ ବି କେହି ବି ଟିକା ନେବାକୁ ଆସୁନାହାନ୍ତି। ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅଧୀନ ଗୋଲିଆ ପଞ୍ଚାୟତରେ।

ଏହି ପଞ୍ଚାୟତର ଦୁଇଟି ଆଦିବାସୀଅଧ୍ୟୁଷିତ ଗାଁ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀରେ ଜଣେ ବି ଲୋକେ ଟିକା ନେବାକୁ ଏଯାଏ ଆସିନାହାନ୍ତି। ସେହିପରି ଗୋଲିଆ, ବାଦୁଆ, ଚିରିକିପଡ଼ା ଓ କୁଶପଲ୍ଲୀ ଆଦି ଗ୍ରାମରେ ମଧ୍ୟ ସମାନ ସ୍ଥିତି। ଅଧିକାଂଶ ଲୋକ ଟିକା ନେବାକୁ ଆସୁ ନଥିବା ବେଳେ ପଚାରିଲେ ପ୍ରଶ୍ନ କରୁଛନ୍ତି ‘ଆମେ ମଲେ କ’ଣ ତମେ ଦାୟୀ ହେବ କି? ଗୋଲିଆ ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ କହିଛନ୍ତି, ଟିକା ନେବା ପରେ ଜ୍ବରରେ ଆକ୍ରାନ୍ତ ହୋଇ ଗ୍ରାମର ଜଣେ ୫୫ ବର୍ଷୀୟା ମହିଳା ଓ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ପ୍ରଚାର ହୋଇଯିବାରୁ ଭୟରେ ଅଧିକାଂଶ ଲୋକ ଟିକା ନେବାକୁ ଡରୁଛନ୍ତିି। ତେବେ ଯୁବକ ମାନେ ଆଗ୍ରହୀ ଅଛନ୍ତି।

ଗତ ୧୦ ତାରିଖରେ ଗୋଲିଆ, ବାଦୁଆ, ଚିରିକିପଡ଼ା ଓ ମରେଇପଲ୍ଲୀ ଗ୍ରାମକୁ ସ୍ବାସ୍ଥ୍ୟ ଟିମ୍ ଟିକାକରଣ ପାଇଁ ପହଞ୍ଚିଥିଲେ। ଏଥିପାଇଁ ପୂର୍ବରୁ ଗ୍ରାମବାସୀଙ୍କୁ ସୂଚନା ଦିଆଯିବା ସହ ଅଙ୍ଗନବାଡ଼ି ଓ ଆଶାକର୍ମୀ ମଧ୍ୟ ଘରକୁ ଘର ବୁଲି ସଚେତନ କରିବା ସହ ଟିକା ନେବାକୁ ପରାମର୍ଶ ଦେଇଥିଲେ। ତଥାପି ଅଧିକାଂଶ ଏଥିପାଇଁ ରାଜି ହୋଇ ନଥିଲେ। ଫଳରେ ଗୋଲିଆ ଓ ବାଦୁଆରେ ମାତ୍ର ୧୦ ଜଣ ଓ ଚିରିକିପଡ଼ାରେ ମାତ୍ର ୨ ଜଣ ଟିକା ନେଇଥିଲେ। ଆଦିବାସୀବହୁଳ ଗ୍ରାମ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀରେ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଏଏନ୍‌ଏମ୍ ଘରକୁ ଘର ବୁଲି ଲୋକଙ୍କୁ ଯେତେ ବୁଝାସୁଝା କରିଥିଲେ ବି, ଜଣେ ବି କେହି ଟିକା ନେବାକୁ ଆସି ନଥିଲେ। ବରଂ ‘ଆମେ ମରିଗଲେ କଣ ତମେ ଦାୟୀ ହେବ କି’ ବୋଲି ପ୍ରଶ୍ନ କରିଥିଲେ। ଶେଷରେ ସ୍ବାସ୍ଥ୍ୟଟିମ୍ ବହୁ ସମୟ ଧରି ଅପେକ୍ଷା କରିବା ନିରାଶରେ ଫେରିଯାଇଥିଲେ।

ଆଜି ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଗୋଲିଆ ଏଏନ୍‌ଏମ୍ ରେଶମା ସ୍ବାଇଁ କୁଶାପଲ୍ଲୀ ଗ୍ରାମକୁ ଯାଇଥିବା ବେଳେ ବହୁ ବୁଝାସୁଝା ପରେ ମାତ୍ର ୫ଜଣ ଟିକା ନେଇଥିଲେ। ଟିକାକୁ ନେଇ ଗ୍ରାମବାସୀଙ୍କ ଭିତରେ ଏଭଳି ମାନସିକତା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ଆସନ୍ତା ୧୬ ତାରିଖ ମଧ୍ୟରେ ଗୋଲିଆ ପଞ୍ଚାୟତର ୪୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି ସମସ୍ତଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଲୋକେ ସଚେତନ ହେଉ ନଥିବାରୁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କୁ କେମିତି କଣ ବୁଝାଇବେ, ସେମାନଙ୍କୁ ଏଥିପାଇଁ ବୁଦ୍ଧିବାଟ ଦିଶୁନି। ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ ଏଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର