ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କର କଳା ଓ ସଂସ୍କୃତି ଅନନ୍ୟ : ଜଗନ୍ନାଥ ସାରକା

ଏସସିଏସଟିଆରଟିଆଇ ପକ୍ଷରୁ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ

ଭୁବନେଶ୍ୱର: ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଏକ ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଆୟୋଜନ କରାଯାଇଛି। ବୁଧବାର ଦିନ ଏହାକୁ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, “ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କର କଳା ଓ ସଂସ୍କୃତି ଅନନ୍ୟ। ସାହିତ୍ୟରେ ମଧ୍ୟ ଜନଜାତୀୟ କବି ଓ ଲେଖକମାନେ ସୁନାମ ଅର୍ଜନ କରିଛନ୍ତି। ଏଭଳି ଜନଜାତି କବି ସମ୍ମିଳନୀ ସ୍ଥାନୀୟ ସାହିତ୍ୟର ବିକାଶରେ ବିଶେଷ ସହାୟକ ହୋଇପାରିବ।”

କବି ସମ୍ମିଳନୀର ପ୍ରଥମ ଦିନରେ ବିଭିନ୍ନ ଆଦିବାସୀ ସଂପ୍ରଦାୟର ୨୪ ଜଣ କବି ନିଜ ନିଜ ଭାଷାରେ କବିତା ପାଠ କରିଥିଲେ। ଏହି ଦୁଇଦିନିଆ ସମ୍ମିଳନୀରେ ବିନଝାଲ, ଦେଶିଆ, ଗଦବା, କୋୟା, କୁଇ, ଖଡ଼ିଆ, କୁଭି, ପରଜା, ସଉରା, ଲାଞ୍ଜିଆ ସଉରା, ଗଣ୍ଡ, ମୁଣ୍ଡା, ଭୂମିଜ, ଜୁଆଙ୍ଗ, ସାନ୍ତାଳୀ ଏବଂ ହୋ ଆଦି ସଂପ୍ରଦାୟର ୫୦ ଜଣ କବି ଭାଗ ନେଉଛନ୍ତି।

ଏଭଳି ଅଭିନବ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା “ସରଗିଫୁଲ’ର ସମ୍ପାଦକ ଦାଶ ବେନହୁର । ସେ କହିଥିଲେ, “ଆଦିମ କାଳରେ ଜନଜାତି ସଂପ୍ରଦାୟର ଲୋକମାନେ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ସେମାନେ ସବୁବେଳେ ପ୍ରକୃତି ସହ ଯୋଡ଼ିହୋଇ ରହୁଥିବାରୁ ସେମାନଙ୍କର କଳ୍ପନା ଶକ୍ତି ଅଧିକ ରହିଛି । ଏଥିପାଇଁ ବିଭିନ୍ନ ଜନଜାତୀୟ କବିତାରେ ଆଦିବାସୀ ସଂସ୍କୃତି, ପରମ୍ପରା ଏବଂ ପ୍ରକୃତି ଆଦି ବିଷୟ ଅତି ନିଖୁଣ ଭାବେ ବର୍ଣ୍ଣନା ହୋଇଥିବା ଦେଖିବାକୁ ମିଳେ । ତେଣୁ ବର୍ତ୍ତମାନ ସମୟରେ ଆଦିବାସୀ ସାହିତ୍ୟକୁ ଆହୁରି ଆଗକୁ ନେବାର ସମୟ ଆସିଛି।”

ସମ୍ମିଳନୀରେ ଏସସିଏସଟିଆରଟିଆଇ ନିଦେ୍ର୍ଦଶକ ଇନ୍ଦ୍ରମଣୀ ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ, ଆଦିବାସୀ ଭାଷା ଓ ସାହିତ୍ୟର ବ୍ୟାପକ ପ୍ରସାର ଲାଗି ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ସିରିଜ୍ ଅବସରରେ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏଭଳି ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସସିଏସଟିଆରଟିଆଇ ଓଏସଡି ସମରେନ୍ଦ୍ର ଭୁତିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ରଥ, ସହକାରୀ ନିଦେ୍ର୍ଦଶକ ମଧୁସ୍ମିତା ସାହୁ ଏବଂ ପ୍ରତିଷ୍ଠାନର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ମିଳନୀରେ ଯୋଗ ଦେଇଥିବା ଜନଜାତି କବିମାନଙ୍କୁ ଆୟୋଜକଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

 

ସମ୍ବନ୍ଧିତ ଖବର