ଜନଜାତି ଷ୍ଟୋର ‘ଆଦିଶା’ ଉଦ୍‌ଘାଟିତ, ଇ-କମର୍ସ ଜରିଆରେ କିଣି ହେବ ଆଦିବାସୀ ଉତ୍ପାଦ

ଭୁବନେଶ୍ବର : ରୁପାଲି ଛକସ୍ଥିତ ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମର ମୁଖ୍ୟାଳୟରେ ଆଜି ସ୍ବତନ୍ତ୍ର ଜନଜାତି ଷ୍ଟୋର ‘ଆଦିଶା’ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଷ୍ଟୋରରେ ଆଦିବାସୀମାନଙ୍କର ବିଭିନ୍ନ ସାମଗ୍ରୀ ତଥା ଲଘୁ ବନଜାତ ଦ୍ରବ୍ୟ, ବଳକା କୃଷି ଉତ୍ପାଦିତ ଦ୍ରବ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ହସ୍ତକଳା, ଅଳଙ୍କାର, ମସଲା, ଚିତ୍ରକଳା, ଖାଦ୍ୟ ସାମଗ୍ରୀ, ବିସ୍କୁଟ, ପିଠା, ପାଉଁରୁଟି ପ୍ରଭୃତି ଉପଲବ୍ଧ ହେବ।

ନିଗମ ପକ୍ଷରୁ ରାଜ୍ୟର ୬ଟି ଜିଲ୍ଲାରେ ୧୧ଟି ଜନଜାତି ଷ୍ଟୋର ରହିଛି। ଏହାସହ ଏକ ଭ୍ରାମ୍ୟମାଣ ଷ୍ଟୋର ‘ଟ୍ରାଇବାଲ୍ସ ଅନ୍‌ ହ୍ବିଲ୍‌ସ’ ମଧ୍ୟ କାର୍ଯ୍ୟକାରୀ ହୋଇଛି। ଏହି ଷ୍ଟୋରରୁ ଲୋକମାନେ ଆଦିବାସୀମାନଙ୍କର ସାମଗ୍ରୀ କିଣିବାର ଏକ ଭିନ୍ନ ଅନୁଭୂତି ପାଇପାରିବେ। ସେହିପରି ଆଦିବାସୀଙ୍କ ଉତ୍ପାଦକୁ ରାଜ୍ୟ ତଥା ଦେଶ ବାହାରେ ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ ଏକ ଇ-କର୍ମସ ୱେବସାଇଟ୍‌ ମଧ୍ୟ ଖୋଲାଯାଇଛି। ଏହା ଜରିଆରେ ଲୋକମାନେ ଘରେ ବସି ଆଦିବାସୀ ଉତ୍ପାଦକୁ ପାଇପାରିବେ।

ଟିଡିସିସିଓଏଲର ପରିଚାଳନା ନିର୍ଦେଶିକା ମାନସୀ ନିମ୍ଭାଲ କହିଛନ୍ତି, ଆଦିବାସୀଙ୍କୁ ସିଧାସଳଖ ମାର୍କେଟ ଯୋଗାଇଦେବା ହେଉଛି ଏହି ଷ୍ଟୋରର ମୁଖ୍ୟ ଉଦ୍ଦେଶ୍ୟ। ରାଜଧାନୀରେ ୪ଟି ଷ୍ଟୋର ରହିଥିବା ବେଳେ ‘ଆଦିଶା’ ହେଉଛି ରାଜ୍ୟରେ ୧୨ନଂ ଷ୍ଟୋର। ଏହିସବୁ ଷ୍ଟୋରରେ ହଜାରରୁ ଅଧିକ ଆଦିବାସୀ ଉତ୍ପାଦ ଉପଲବ୍ଧ ହେଉଛି। ରାଜ୍ୟରେ ଆଦିବାସୀମାନେ କିଭଳି ଉଚ୍ଚକୋଟୀର ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ଏହା ଜରିଆରେ ଦେଶ ତଥା ଦେଶ ବାହାରର ଲୋକମାନେ ଜାଣିପାରିବେ ବୋଲି ସେ କହିଛନ୍ତି।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ପ୍ରମୁଖ ସଚିବ ରଂଜନା ଚୋପ୍ରା, ବିଭାଗୀୟ ନିର୍ଦେଶକ(ଜନଜାତି) ସଚିନ ଆର. ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର