ଜମି କିଣାବିକା ଅନୁମତିକୁ ନେଇ ବଢ଼ିଲା ମତଭେଦ : ପାଙ୍ଗୀଙ୍କୁ ଘେରିଲା ଆଦିବାସୀ ସମାଜ

କୋରାପୁଟ : ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗୀ କହିଥିଲେ, ଆଦିବାସୀ ଜମି କିଣାବିକା ନେଇ ରୋକ୍‌ ଲାଗିଥିବାରୁ ବ୍ୟାଙ୍କ ଋଣ ଦେଉନି। ତେଣୁ ଆଇନ କୋହଳ କରାଯାଉ। ତାଙ୍କ ସହ କିଛି ଆଦିବାସୀ ନେତା ମଧ୍ୟ ଥିଲେ। କିନ୍ତୁ ଏହା ଶୁଣିବା ପରେ ଚିହିଁକି ଉଠିଛି ଜିଲ୍ଲା ଆଦିବାସୀ ସମାଜ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସମ‌ାଜର ନେତାମାନେ ପାଙ୍ଗୀଙ୍କ ବିରୋଧରେ ମନଇଚ୍ଛା ବର୍ଷିଛନ୍ତି। କହିଛନ୍ତି, ଆଦିବାସୀଙ୍କ ଜମି କିଣାବିକା ନିୟମରେ କୋହଳ କରିବାକୁ ଦାବି କରି ଆଦିବାସୀଙ୍କୁ ଲୁଟ୍‌ କରିବାର ବାଟ ଖୋଲି ଦେଉଛନ୍ତି ପାଙ୍ଗୀ। ଆଉ ଏହି ନିୟମ କୋହଳ ହେଲେ, ଆଦିବାସୀଙ୍କର ଲାଭ ହେବନି। ବରଂ ପାଙ୍ଗୀଙ୍କ ପରି କିଛି ଧନୀ ଆଦିବାସୀ ଫାଇଦା ପାଇବେ।

ଅପରପକ୍ଷରେ ଗୋଟିଏ ପ୍ରସଙ୍ଗ ନେଇ ଆଦିବାସୀଙ୍କ ଭିତରେ ଏମିତି ଫାଟ ‌ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାସହ ଏଥିରେ ଲାଗିଛି ରାଜନୀତିର ରଙ୍ଗ। କୋରାପୁଟ ଆଦିବାସୀ ସମାଜ ପକ୍ଷରୁ ଆଜି କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ସମାଜର ସଭାପତି ଦାମୋଦର ଜାନୀ, ସଂପାଦକ ପଦ୍ମନାଭ ଜାନୀ, ଉପଦେଷ୍ଟା ଗୁପ୍ତେଶ୍ବର ପାଣିଗ୍ରାହୀ, ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭଗବନା ମୁଦୁଲି, ଶିବ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଆଦିବାସୀଙ୍କ ଜମି କିଣାବିକା ନେଇ କିଛି ଦିନ ତ‌ଳେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଦେଇଥିବା ମନ୍ତବ୍ୟକୁ ଏଥିରେ କଡ଼ା ସମାଲୋଚନା କରାଯାଇଥିଲା। ସହରାଞ୍ଚଳରେ ଆଦିବାସୀ ଜମି ଅଣ ଆଦିବାସୀକୁ ବିକ୍ରି କରିବା ନେଇ ଅନୁମତି ଦେବାକୁ ନେଇ ଦୁଇ ବିଜେପି ନେତା ଜୟରାମ ପାଙ୍ଗି ଓ ବଳଭଦ୍ର ମାଝୀ ଦାବି କରିଥିଲେ। କିନ୍ତୁ ଏମିତି ଦାବି ଆଦିବାସୀଙ୍କ ଜମି ହଡ଼ପ କରିବାକୁ ଏକ ଯୋଜନା ବଦ୍ଧ ଷଡ଼୍‌ଯନ୍ତ୍ର ବୋଲି ଅଭିଯୋଗ କରିଛି ଆଦିବାସୀ ସମାଜ। ପାଙ୍ଗୀଙ୍କ ମନ୍ତବ୍ୟ ଆଦିବାସୀ ବିରୋଧୀ ବୋଲି କହିବା ସହ ବିଜେପିର ଉଭୟ ନେତା ଆଦିବାସୀଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଛନ୍ତି। ନଚେତ ପଞ୍ଚାୟତ ସ୍ତରରେ ଏହାର ପ୍ରତିବାଦ କରାଯିବ ବୋଲି ସରପଞ୍ଚ ସଂଘର ସଭାପତି ଭଗବାନ ମୁଦୁଲି କହିଛନ୍ତି।

ସମ୍ବନ୍ଧିତ ଖବର