ରାୟଗଡ଼ା : ଝୁଲୁଛି ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା। ଡଙ୍ଗରିଆଙ୍କ କପଡାଗନ୍ଦା, ଲାଞ୍ଜିଆ ସଉରାଙ୍କ କାନ୍ଥଚିତ୍ର ଇଡ୍‌ତାଲକୁ ମିଳୁନି ଜିଆଇ ଟ୍ୟାଗ୍। ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀକୁ ବଜାର ଯୋଗାଇ ପାରୁନି ଓରମାସ୍। ସପୁରି ପ୍ରକ୍ରିୟାକରଣ ୟୁନିଟ୍‌ଠୁ ଆରମ୍ଭ କରି ବହୁ ପ୍ରକଳ୍ପ କେବଳ ଶିଳାନ୍ୟାସରେ ସୀମିତ।

Advertisment

ଆଦିବାସୀ ହୋଇ ମଧ୍ୟ ମାନ୍ୟତା ପାଇବାରୁ ବଞ୍ଚିତ ଝୋଡ଼ିଆ ସଂପ୍ରଦାୟ ୧୯୯୭ ମସିହାରୁ ସରକାରୀ ଅବହେଳାର ଶିକାର ହୋଇ ଆସୁଛନ୍ତି। ୪ ଜିଲ୍ଲାରେ ବାସ କରୁଥିବା ୧ଲକ୍ଷରୁ ଊର୍ଦ୍ଧ୍ବ ଝୋଡ଼ିଆ ସଂପ୍ରଦାୟ ଆଦିବାସୀ ମାନ୍ୟତାରୁ ବଞ୍ଚିତ ହୋଇ ୨୫ବର୍ଷ ହେଲା ଲଢ଼େଇ ଜାରି ରଖିଛନ୍ତି। ସଂସଦ, ବିଧାନସଭାରେ ବାରମ୍ବାର ପ୍ରସଙ୍ଗ ଉଠିଥିଲେ ମଧ୍ୟ ସୁଫଳ ମିଳିପାରିନି। ସେହିପରି ୨୦୧୮ରୁ ଡଙ୍ଗରିଆ ସାଲ୍‌କୁ ଜିଆଇ ମାନ୍ୟତା ପାଇଁ ପ୍ରୟାସ ଚାଲିଛି। ତାହା ବି ନାଲିଫିତା ତଳେ ପଡିଛି। ଲାଞ୍ଜିଆ ସଉରାଙ୍କ ଇଡ୍‌ତାଲ ସାରା ବିଶ୍ବରେ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ପରବର୍ତ୍ତୀ ପିଢ଼ି ପାଇଁ ଏହି କଳା, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ କୌଣସି ଉଦ୍ୟମ ହୋଇନି। ଚାଟିକଣାରେ ସପୁରି ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ଶିଳାନ୍ୟାସ ହୋଇଥିଲେ ମଧ୍ୟ ତାହା ଆରମ୍ଭ ହୋଇ ପାରୁନି। ଆଦିବାସୀଙ୍କ ସ୍ବାକ୍ଷରତା ହାର ବଢ଼ୁଥିବା ବେଳେ ଧନ୍ଦାମୂଳକ ନିଯୁକ୍ତି ଯୋଗାଇବାରେ ସରକାରଙ୍କ ବିଫଳତା ଯୋଗୁ ଦାଦନ ଖଟିବାକୁ ଏମାନେ ବାଧ୍ୟ ହୋଇଛନ୍ତି।

publive-image NationNews

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ବସବାସ କରୁଥିବା ୬୨ପ୍ରକାର ଜନଜାତିଙ୍କ ମଧ୍ୟରୁ ୫୩ ପ୍ରଜାତି ଅବିଭକ୍ତ କୋରାପୁଟ ଜିଲ୍ଲା‌ର ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ବସବାସ କରୁଛନ୍ତି। ତେଣୁ ବିକାଶର ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା, ବଣ୍ଡା ଓ ଦିଦାୟୀ ଉନ୍ନୟନ ସଂସ୍ଥା ଭଳି ବହୁ ପ୍ରକଳ୍ପ କାର୍ଯ୍ୟ କରୁଛି। ଅଥଚ ଆଦିବାସୀଙ୍କ ବିକାଶ ଯେଉଁ ତିମିରେକୁ ସେହି ତିମିରେ ରହିଯାଇଛି। ଅନ୍ୟପକ୍ଷରେ, ୧୯୭୪ ମସିହାରୁ ପର୍ଯ୍ୟାୟକ୍ରମେ ଏହି ବିଭାଗର ମନ୍ତ୍ରୀ ପଦ ଅବିଭକ୍ତ କୋରାପୁଟ ଜିଲ୍ଲା ଭାଗ୍ୟରେ ହିଁ ଜୁଟିଛି। ନେତୃତ୍ବରେ ଆଗୁଆ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ନେତା ରାଜ୍ୟ ମନ୍ତ୍ରିମଣ୍ଡଳରେ ୪ଥର କ୍ୟାବିନେଟ୍ ପାହ୍ୟାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ସ୍ବର୍ଗତ ରାମଚନ୍ଦ୍ର ଉଲାକା, ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକା ଏବଂ ବର୍ତ୍ତମାନ ଜଗନ୍ନାଥ ସାରକା ଏହି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟରତ। ବିକାଶ ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଆଦିବାସୀଙ୍କ ସାମାଜିକ-ଅର୍ଥନୈତିକ ବିକାଶ ହୋଇନପାରିବା ସରକାରୀ ଯୋଜନା ପ୍ରତି ଉପହାସ ସଦୃଶ୍ୟ ହୋଇଛି।