ଅନ୍ୟାୟର ଶିକାର ୧୬୦ ସମୁଦାୟ

୪୪ ବର୍ଷ ଧରି ଜନଜାତି ମାନ୍ୟତା ପାଇଁ ଓଡ଼ିଶାର ସୁପାରିସକୁ କେନ୍ଦ୍ରର ବେଖାତିର

ଭୁବନେଶ୍ବର : ଅନ୍ୟାୟର ଶିକାର ରାଜ୍ୟର ୧୬୦ ଆଦିବାସୀ ସମୁଦାୟ। ଜନଜାତି ପରାମର୍ଶ ପରିଷଦର ଅନୁମୋଦନ କ୍ରମେ ୧୯୭୮ ମସିହାରୁ ଏମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି କରି ଆସୁଛନ୍ତି। ଏପରିକି ୨୦୧୪ ମସିହାରେ ଓଡ଼ିଶାର ୯ ପ୍ରସ୍ତାବକୁ କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗର ଟାସ୍କଫୋର୍ସ ମଧ୍ୟ ସୁପାରିସ କରିସାରିଛନ୍ତି। ଏହାପରେ ମଧ୍ୟ ଏସଂକ୍ରାନ୍ତରେ ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ପ୍ରକାଶିତ ହେଉନାହିଁ। ଓଡ଼ିଶାର ୧୬୦ ସମୁଦାୟଙ୍କୁ ଜନଜାତି ମାନ୍ୟତା ମିଳିପାରୁ ନାହିଁ। ଏଥିଯୋଗୁଁ ଜନଜାତିଙ୍କୁ ମିଳୁଥିବା ଅଧିକାରରୁ ଏମାନେ ବଞ୍ଚିତ ହେଉଛନ୍ତି। ଓଡ଼ିଶାର ଏହି ୧୬୦ ଗୋଷ୍ଠୀଙ୍କୁ ଜନଜାତି ମାନ୍ୟତା ପାଇଁ ପୁନର୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ପତ୍ର ଦେଇଛନ୍ତି। ସେ କହିଛନ୍ତି, ଜନଜାତି ପରାମର୍ଶ ପରିଷଦର ଅନୁମୋଦନରେ ଓଡ଼ିଶା ସରକାର ୧୬୦ ସମୁଦାୟଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ସୁପାରିସ କରିଆସୁଛି। ଏଥିରେ କିଛି ନୂତନ ଭାବରେ ସାମିଲ ସମୁଦାୟ ଅଛନ୍ତିତ ଆଉ କିଛି ଜନଜାତିଙ୍କ ଉପଜାତି ଅଛନ୍ତି। ସେମାନଙ୍କୁ ଜନଜାତିରେ ସାମିଲ କରିବା ନେଇ ୨୦୧୧ ମସିହାରୁ ଲଗାତାର ୩ ଥର ଆଲୋଚନା ହୋଇଛି। ତେଣୁ ଏହାକୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭାବରେ ବିଚାର କରାଯାଇ ଦୀର୍ଘ ଦିନ ପଡ଼ିରହିଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Live Law

ସ୍ମରଣଯୋଗ୍ୟ ଯେ ୧୯୫୬ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁସୂଚିତ ଜନଜାତିର ତାଲିକା ପ୍ରସ୍ତୁତ ହୋଇଛି। ଦେଶର ୭୦୫ ସମୁଦାୟଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ଦିଆଯାଇଛି। ଏଥିମଧ୍ୟରେ ଓଡ଼ିଶାର ୬୨ ସମୁଦାୟ ରହିଛନ୍ତି। ଏଥିରୁ ୧୯ ସମୁଦାୟ ଅର୍ଥାତ ପାଉଡ଼ି ଭୂୟାଁ, ତମୋଡ଼ିଆ ଭୂମିଜ, ଚୁକୁଟିଆ ଭୁଞ୍ଜିଆ, ଦୁରୁଆ ଓ ଧୁରୁଆ, ଧୁରଭା, ଟଁଲା ଗୌଡ଼, ଉରାମ, ଧାଙ୍ଗରା, ଓରାମ ବା ଓରାଉଁ ଉରାଉଁ ମୁଡି, କୁଇ କନ୍ଧ, କନ୍ଧ କୁମ୍ଭାର, କୋଣ୍ଡା ରେଡି, ମୁକା ଦୋରା, ଆଣ୍ଟିଦୋରା, ସଅଁରା, ଲୁହାରା, ପୁଟିଆ ବା ଦୁଳିଆ ବା ଧୁଳିଆ ବା କୋରାପୁଟ ଜିଲ୍ଲାର ଧୁଳିଆ ପାଇକ ବା ସୁନ୍ଦରଗଡ଼ ଜିଲ୍ଲାର ଭୂଇଁଆର, କଅଁର ପ୍ରମୁଖ ସମୁଦାୟ ସମ୍ପୂର୍ଣ୍ଣ ଭାବରେ ଆଦିବାସୀ ହୋଇ ମଧ୍ୟ ସେମାନଙ୍କୁ ଓବିସି କିମ୍ବା ଅନ୍ୟ ବର୍ଗରେ ରଖାଯାଇଛି। ବାକି ସମୁଦାୟ ବନାନଗତ ତ୍ରୁଟି ଯୋଗୁଁ ଅନୁସୂଚିତ ଜନଜାତିରୁ ବାଦ ଦିଆଯାଇଛି। ଗବେଷକଙ୍କ ଅନୁସାରେ, କିଛି ଆଦିବାସୀ ସମୁଦାୟ ଅଛନ୍ତି ସେମାନଙ୍କୁ ଭୌଗୋଳିକ ଭାବରେ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ହିସାବରେ ବିଭାଜିତ କରି ଦେଲେ ମଧ୍ୟ ସେମାନଙ୍କ ସଭ୍ୟତା, ସଂସ୍କୃତି ଗୋଟିଏ। କିନ୍ତୁ ରାଜ୍ୟ ବଦଳିଲେ ସେମାନଙ୍କ ଜାତିର ମାନ୍ୟତା ବଦଳିଯାଉଛି।

theleaflet.in

ଆନ୍ଧ୍ରପ୍ରଦେଶ, ଓଡ଼ିଶାର କୋରାପୁଟ, ଗଜପତି, ରାୟଗଡ଼ାରେ ରହୁଥିବା କୋଣ୍ଡା ଦୋରା ବା କୋଣ୍ଡା ରେଡି ଗୋଟିଏ କିନ୍ତୁ ଆନ୍ଧ୍ରପ୍ରଦେଶରେ ସେମାନଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ମିଳିଛି ଓଡ଼ିଶାରେ ମିଳିନାହିଁ। ଏଥିଯୋଗୁଁ ଆନ୍ଧ୍ରପ୍ରଦେଶ ତୁଳନାରେ ଏଠାରେ ରହୁଥିବା କୋଣ୍ଡାଦୋରାଙ୍କ ଆର୍ଥିକ ସ୍ଥିତି ଅଧିକ ଶୋଚନୀୟ ରହିଛି। ସେମାନେ ପାହାଡ଼ ଉପରେ ରହି ପୋଡ଼ୁ ଚାଷ କରୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ସବୁ ପ୍ରକାର ସୁବିଧାରୁ ବଞ୍ଚିତ ଅଛନ୍ତି। ଚୁକୁଟି ଭୁଞ୍ଜିଆଙ୍କୁ ଛତିଶଗଡ଼ରେ ଅନୁସୂଚିତ ଜନଜାତିର ମାନ୍ୟତା ମିଳିଛି କିନ୍ତୁ ଓଡ଼ିଶାରେ ଏହାନାହିଁ। ଆଦିବାସୀମାନଙ୍କ ଭଳି ଚୁକୁଟି ଭୁଞ୍ଜିଆଙ୍କ ନିଜସ୍ବ ସାଂସ୍କୃତିକ ନିୟମ ରହିଛି। ସାମାଜିକ, ଆର୍ଥିକ ଭାବରେ ସେମାନଙ୍କ ଅବସ୍ଥା ଅତି ଦୁର୍ବଳ ରହିଛି। ନୂଆପଡ଼ା ଜିଲ୍ଲାରେ ରହୁଥିବା ଚୁକୁଟିଭୁଞ୍ଜିଆ ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଛନ୍ତି। ମାତ୍ର ଆଦିବାସୀ ଭାବରେ ସେମାନଙ୍କୁ ଥଇଥାନ କରାଯାଇ ନାହିଁ।

Flickr

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ରହୁଥିବା ପାଉଡ଼ି ଭୂୟାଁଙ୍କ ଅବସ୍ଥା ଏଭଳି ଯେ ସେମାନଙ୍କୁ ଜନଜାତିର ମାନ୍ୟତା ନମିଳିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥାର ଗଠନ ହୋଇଛି। ଏଥି ଅନ୍ତର୍ଗତରେ ସେମାନଙ୍କ ଉନ୍ନୟନ ପାଇଁ କାର୍ଯ୍ୟ କରାଯାଉଛି। ଏହା ସତ୍ତ୍ବେ ମଧ୍ୟ ଜନଜାତିର ମାନ୍ୟତା ନଥିବାରୁ ସଂରକ୍ଷଣ ସୁବିଧା ପାଆନ୍ତି ନାହିଁ। କଟକ, ନୟାଗଡ଼, ଢେଙ୍କାନାଳ, ଅନୁଗୁଳରେ ରହୁଥିବା ସହର ସମୁଦାୟଙ୍କୁ ବନାନଗତ ତ୍ରୁଟି ଯୋଗୁଁ ସେମାନେ ଅନୁସୂଚିତ ଜନଜାତିରୁ ବଞ୍ଚିତ ହେଲେ। ଗତବର୍ଷ ପୂର୍ବତନ ସାଂସଦ ବଳଭଦ୍ର ମାଝି ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ବନାନଗତ ତ୍ରୁଟି ଯୋଗୁଁ ଅନେକ ସମୁଦାୟ ଆଦିବାସୀ ମାନ୍ୟତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଥିଲେ। ଚଳିତ ବର୍ଷ ବିଧାନସଭାରେ ଏହାକୁ ନେଇ ଆଲୋଚନା ହୋଇଛି। ଉଭୟ ବିଜେଡି ଏବଂ ବିଜେପି ଏହି ପ୍ରସଙ୍ଗରେ ଅବଗତ ଥାଇ ମଧ୍ୟ କାହିଁକି ୧୬୦ ସମୁଦାୟଙ୍କୁ ନ୍ୟାୟ ମିଳୁ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର