ସ୍ମରଣୀୟ ହୋଇ ରହିଲା ମହିଳା ଦିବସ : ଆଦିବାସୀ ଛାତ୍ରୀଙ୍କୁ ଥାନା ଅଧିକାରୀ ଦାୟିତ୍ବ

ଦିନକ ପାଇଁ ୩ଛାତ୍ରୀଙ୍କୁ ସୁଯୋଗ, ଆଇନଶୃଙ୍ଖଳା ସ୍ଥିତି ପରଖିଲେ

ମାଲକାନଗିରି : ବିଶ୍ବ ମହିଳା ଦିବସରେ ମହିଳା ସଶକ୍ତୀକରଣର ବାର୍ତ୍ତା। ବିଦ୍ୟାଳୟରେ ପାଠ ପଢ଼ୁଥିବା ୩ଜଣ ଆଦିବାସୀ ଛାତ୍ରୀଙ୍କୁ ଦିନକ ପାଇଁ ମିଳିଲା ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଭଳି ଗୁରୁଦାୟିତ୍ବ। ଯାହାକୁ ଛାତ୍ରୀମାନେ ଖାକି ପୋଷାକ ପିନ୍ଧିବା ପରେ ଅତି ନିଷ୍ଠାର ସହ ତୁଲାଇଛନ୍ତି। ନକ୍ସଲ ପ୍ରବଣ ଅଞ୍ଚଳରେ ପୁଲିସର ଏଭଳି ପରୀକ୍ଷାମୂଳକ ପଦକ୍ଷେପ ଏବେ ଚର୍ଚ୍ଚାରେ। ଅନ୍ୟପଟେ ଛାତ୍ରୀମାନେ ଥାନା ଅଧିକାରୀ ଭାବେ ନେଇଥିବା ନିଷ୍ପତ୍ତି ଏବଂ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।

ମାଲକାନଗିରି ଜିଲ୍ଲା ସୀମାକୁ ଲାଗି ରହିଥିବା ଛତିଶଗଡ଼ର କୋଣ୍ଟା ଥାନା ପୁଲିସ ଅଭିନବ ଉପାୟରେ ପାଳନ କରିଛି ମହିଳା ଦିବସ। ଏହି ଦିବସରେ ସ୍ବତନ୍ତ୍ର କିଛି କରିବାକୁ ଉଦ୍ୟମ କରି ପୁଲିସ ବଡ଼ ସଫଳତା ସହ ଚର୍ଚ୍ଚା ସାଉଁଟିଛି। ନକ୍ସଲ ଅଧ୍ୟୁଷିତ ଏହି ଅଞ୍ଚଳରେ ସବୁବେଳେ ଭୟର ବାତାବରଣ ଲାଗି ରହିଥାଏ। ସୁରକ୍ଷା କର୍ମୀଙ୍କ ସହ ଛକାପଞ୍ଝା ଲାଗି ରହିଥିବା ବେଳେ ପୁଲିସ ପ୍ରତି ଲୋକଙ୍କ ବିଶ୍ବାସ ବଢ଼ାଇବାକୁ ତିନି ଜଣ ଆଦିବାସୀ ଛାତ୍ରୀଙ୍କୁ ରୋଲ୍ ମଡେଲ ଭାବେ ଆଗକୁ ଅଣିଥିଲା । ଏଥିପାଇଁ କୋଣ୍ଟା ଅଂଚଳର ଆରଏମ୍‌ଏସ୍‌ ହଷ୍ଟେଲର ଛାତ୍ରୀଙ୍କୁ ଚୟନ କରାଯାଇଥିଲା। ଉଇକା ଡିଗନାସାଙ୍କୁ ଇନସ୍‌ପେକ୍ଟର ଦାୟିତ୍ବ ଦିଆଯାଇଥିବା ବେଳେ କୋରସା ସପ୍ନା ଏବଂ ମାଧବୀ ଆଶ୍ଚର୍ଯ୍ୟାଙ୍କୁ ସବ୍ ଇନସ୍‌ପେକ୍ଟର ଭାବେ ଗୋଟିଏ ଦିନ ପାଇଁ ଦାୟତ୍ବ ପ୍ରଦାନ କରାଯାଇଥିଲା। ଏଭଳି ଅପ୍ରତ୍ୟାଶିତ ଦାୟିତ୍ବ ମିଳିବା ପରେ ଛାତ୍ରୀମାନେ ମଧ୍ୟ ଉତ୍ସାହିତ ହୋଇ ଯାଇଥିଲେ। ମିଳିଥିବା ସମୟର ସଦୁପଯୋଗ କରି ନିଜ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ ଛାତ୍ରୀମାନେ।

ପୂରା ଦିନ କାର୍ଯ୍ୟବ୍ୟସ୍ତତା ଏବଂ ବଡ଼ ନିଷ୍ପତ୍ତି ନେବାରେ କଟିଥିବା ନିଜ ଅତିଭୂତିରେ ଛାତ୍ରୀମାନେ ପ୍ରକାଶ କରିଛନ୍ତି। ପ୍ରଥମେ ସେମାନେ ଥାନାକୁ ଯାଇ ଦାୟିତ୍ବ ଗ୍ରହଣ କରିଥିଲେ। ରୢାଙ୍କ ଅନୁଯାୟୀ ପୋଷାକ ପିନ୍ଧିବା ପରେ ଥାନାକୁ ସେହିଦିନ ଆସିଥିବା ମାମଲାଗୁଡ଼ିକର ସମୀକ୍ଷା କରିଥିଲେ। ଆଇନ ଶୃଙ୍ଖଳା ସ୍ଥିତି ପରଖିବା ପାଇଁ ପାଟ୍ରୋଲିଂରେ ବାହାରିଥିଲେ। ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ତଦାରଖ କରିବା ସହ ଲୋକଙ୍କୁ ଟ୍ରାଫିକ୍ ନିୟମ ସଂପର୍କରେ ସଚେତନ କରିଥିଲେ। ନୂଆ ମୋଟରଯାନ ଆଇନରେ ରହିଥିବା ଜରିମାନା ବ୍ୟବସ୍ଥା ସଂପର୍କରେ ମଧ୍ୟ ଅବଗତ କରାଇଥିଲେ। ବିଶେଷ କରି ରାସ୍ତାରେ ଯାତାୟାତ କରୁଥିବା ମହିଳା ଓ ଶିଶୁଙ୍କ ସମସ୍ୟାର ସମାଧାନ ନିଷ୍ପତ୍ତି ନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଇନସ୍‌ପେକ୍ଟର ଭାବେ ଦାୟିତ୍ବ ନେଇଥିବା ଉଇକାଙ୍କ କହିବା ଅନୁଯାୟୀ, ପିଲାଟି ଦିନରୁ ଜଣେ ପୁଲିସ ଅଧିକାରୀ ହେବାକୁ ସ୍ବପ୍ନ ଦେଖି ଆସୁଛନ୍ତି। ଯାହାକୁ କୋଣ୍ଟା ପୁଲିସ ପୂରଣ କରିଥିବାରୁ ସେ ଖୁବ୍ ଆନନ୍ଦିତ। ଥାନାରେ କିଛି ସମୟ ବିତାଇବା ପରେ ପୁଲିସ ଗାଡ଼ିରେ ବୁଲିବା ଏବଂ ଲୋକଙ୍କୁ ସଚେତନ କରିବା ତାଙ୍କ ପାଇଁ ସାରା ଜୀବନ ସ୍ମରଣୀୟ ହୋଇ ରହିବ। ଭବିଷ୍ୟତରେ ସେ ଜଣେ ପୁଲିସ ଅଧିକାରୀ ହେବେ ବୋଲି ତାଙ୍କର ଆତ୍ମବିଶ୍ବାସ ରହିଥିବା କହିଛନ୍ତି।

ସମ୍ବନ୍ଧିତ ଖବର