ରାୟଗଡ଼ା: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା। ଏହି ଜିଲ୍ଲାର ଜଣେ ବିଧାୟକ ମଧ୍ୟ ରାଜ୍ୟ ସରକାରଙ୍କର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ରହିଛନ୍ତି। କିନ୍ତୁ ଏହି ଜିଲ୍ଲାରେ ହିଁ ବାରମ୍ବାର ଆଦିବାସୀ ଛାତ୍ରଛାତ୍ରୀ ନିର୍ଯାତିତ ଓ ଅବହେଳିତ ହୋଇ ରହିଛନ୍ତି। ସଦ୍ୟତମ ଘଟଣାକ୍ରମରେ ରାୟଗଡା ବ୍ଲକର ଜେମାଦେଇପେଣ୍ଠ ପଞ୍ଚାୟତର ବଡରାଇସିଂ ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଦ୍ବାରା ଛାତ୍ରଛାତ୍ରୀମାନେ ନିର୍ଯାତିତ ହେଉଥିବାରୁ ଶନିବାର ଭୋର ସକାଳ ୩ଟାରୁ ୧୫ ଜଣ ଛାତ୍ର ଚାଲି ଚାଲି ପ୍ରାୟ ୨୦ କିଲୋମିଟର ରାୟଗଡାରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଦିନ ୧୦ଟା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ ଆଦି ଦ୍ବିତୀୟ ଶନିବାର ହୋଇଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଜାଣିବା ପରେ ଛାତ୍ରମାନେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ନିଜର ଦୁଃଖ ଜଣାଇଥିଲେ।
ଏହି ଛାତ୍ରାବାସରେ ପିଲାଙ୍କୁ ଭଲ ଖାଇବାକୁ ଦିଆଯାଉନଥିବା ବେଳେ ପ୍ରଧାନଶିକ୍ଷକ ନିୟମିତ ପିଲାଙ୍କୁ ମାଡ ମାରନ୍ତି। ଏପରିକି ସ୍କୁଲର ସମସ୍ତ କାମ ପିଲାଙ୍କ ଦ୍ବାରା ହିଁ କାମ କରାନ୍ତି। ପୁଣି ପିଲାଙ୍କୁ କିଛି ଶିକ୍ଷୟତ୍ରୀ ତେଲୁଗୁରେ ପାଠ ପଢାନ୍ତି। ପିଲାମାନେ କିଛି ବୁଝିପାରୁନଥିବା କହିଥିଲେ। ଓଡ଼ିଆ ସ୍କୁଲରେ କିପରି ତେଲୁଗୁ ଭାଷାରେ ଶିକ୍ଷାଦାନ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରକାଶ ଥାଉକି ଏହି ବିଦ୍ୟାଳୟରେ ମୋଟ ୨୪୦ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୦୦ ଜଣ ଛାତ୍ର ଛାତ୍ରାବାସରେ ରହି ପାଠ ପଢୁଥିବା ବେଳେ ୧୪୦ ଛାତ୍ରୀ ଛାତ୍ରାବାସରେ ରୁହନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଛି। ଏତେ ପିଲାଙ୍କୁ ଶିକ୍ଷାଦାନ କରିବା ପାଇଁ ମାତ୍ର ୩ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି। ଆଦିବାସୀ ପିଲାଙ୍କୁ ପ୍ରାୟତଃ ପ୍ରତି ଛାତ୍ରାବାସଗୁଡିକରେ ଏଭଳି ବ୍ୟବହାର ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ସଦର ମହକୁମାର ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ହୋଷ୍ଟେଲରେ ମଧ୍ୟ ପ୍ରଧାନ ଶିକ୍ଷକ ଏଭଳି ପିଲାଙ୍କୁ ନିର୍ଯାତନା ଦେବାରୁ ପିଲାମାନେ ତିନି କିଲୋମିଟର ବାଟ ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ।
ତେବେ ଆଜି ପିଲାମାନେ ମନ୍ତ୍ରୀ ଶ୍ରୀ ସାରକାଙ୍କୁ ଭେଟି ବିଦ୍ୟାଳୟରେ ହେଉଥିବା ସମସ୍ୟା ସଂପର୍କରେ କହିଥିଲେ। ଶ୍ରୀ ସାରକା ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ତୁରନ୍ତ ଏନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହାତୀ ଓ ବାଘ ବୁଲୁଥିବା ଜିଲ୍ଲାରେ ପିଲାମାନେ ଅନ୍ଧାରରେ ରାତି ୩ଟାରୁ ଉଠି ଚାଲି ଚାଲି ରାୟଗଡା ଆସିବା କେତେ ବିପଦପୂର୍ଣ୍ଣ ତାହା ନଦେଖିଲେ ଜାଣି ହେବ ନାହିଁ। ରାତିରେ ଯଦି କୌଣସି ପିଲାଙ୍କ କିଛି ଘଟିଥାନ୍ତା କିଏ ଦାୟୀ ରହିଥାନ୍ତେ ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।
ମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ଛାତ୍ରଛାତ୍ରୀ ବାରମ୍ବାର ନିର୍ଯାତିତ ଓ ଅବହେଳିତ ହେଉଥିବା ଏବଂ ଏଭଳି ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ପିଲାମାନେ ଆସିବା ପରେ ଅତିରିକ୍ତ ମଙ୍ଗଳ ଅଧିକାରୀ ଏବଂ ଡବ୍ଲିଇଓ ତଥା ସ୍କୁଲର ପ୍ରଧାନ ଶିକ୍ଷକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପିଲାଙ୍କୁ ବୁଝାସୁଝା କରି ନେବା ପାଇଁ ଆସିଥିଲେ। କିନ୍ତୁ ପିଲାମାନେ ମନ୍ତ୍ରୀଙ୍କୁ ଭେଟି ସବୁ ଅଭିଯୋଗ କରିଥିଲେ। ସ୍କୁଲଙ୍କ ପଇସାକୁ ମିଳିମିଶି ସ୍କୁଲ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଅଧିକାରୀ ଖାଇଗଲେ। କିନ୍ତୁ ସମସ୍ତ ପିଲାଙ୍କୁ ମନ୍ତ୍ରୀ ସକାଳେ ଖାଇବାକୁ ଦେଇଥିଲେ। ଜିଲ୍ଲାରେ ଆଦିବାସୀ ପିଲାଙ୍କର ଭବିଷ୍ୟତ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏଭଳି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ହେଲେ ଆଗକୁ ପୁନଃ ଏଭଳି ଘଟଣା ଘଟିବ ନାହିଁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।