ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ମିଳୁନି: ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ୭ ଜଣିଆ ଟିମ୍‌

ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ ଝୋଡ଼ିଆ ସମାଜ

ରାୟଗଡା: ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦାବିରେ ପଲ୍ଲୀରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିଲ୍ଲୀରେ ପହଞ୍ଚିଛି। ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଝୋଡ଼ିଆ ସମାଜ ମୁଖ୍ୟ ସୁମନୀ ଝୋଡ଼ିଆଙ୍କ ନେତୃତ୍ବରେ ୭ ଜଣିଆ ଟିମ ବୁଧବାର ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି। ମାନ୍ୟତା ପ୍ରଦାନରେ ଅବହେଳା ଯୋଗୁ ଝୋଡ଼ିଆ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ସମାଜ। କେନ୍ଦ୍ର ସରକାର ଏବଂ ଆଦିବାସୀ ମନ୍ତ୍ରାଳୟ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପରେ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବାକୁ ଝୋଡ଼ିଆ ସମାଜ ନିଷ୍ପତ୍ତି ନେଇଛି। ଏଥିସହିତ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି କମିସନରଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଥିବା ବିଧାୟକ ମକରନ୍ଦ ମୁଦୁଲି ସୂଚନା ଦେଇଛନ୍ତି। ସୁମନୀଙ୍କ ସହ ଗୁରୁନାଥ ଝୋଡ଼ିଆ, ହୁତାସନ ଝୋଡ଼ିଆ, ଘାସେନ ଝୋଡ଼ିଆ ଯାଇଥିବା ବେଳେ ସଭିଁଏ ଦାବି ହାସଲ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ୧୯୯୭ ମସିହାରୁ ମାନ୍ୟତା ଦାବିରେ ଝୋଡ଼ିଆ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଏ ଦିଗରେ ସରକାର ପଦକ୍ଷେପ ନେଉନଥିବା ଝୋଡ଼ିଆ ସମାଜ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆଦିବାସୀ ମାନ୍ୟତା ନ ମିଳିବା କାରଣରୁ ୧ ଲକ୍ଷରୁ ଉର୍ଦ୍ଧ୍ବ ଝୋଡ଼ିଆ ସମ୍ପ୍ରଦାୟ ସରକାରଙ୍କ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି। ଗରିବ ସୀମା ରେଖା ତଳେ ଏହି ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ହକ୍ ଥିବା ସତ୍ତ୍ବେ ସରକାରଙ୍କ ପକ୍ଷରୁ ପ୍ରଣୀତ ଯୋଜନାର ସୁଫଳ ପାଇ ପାରୁ ନାହାନ୍ତି। ୧୯୯୭ ମସିହା ପର୍ଯ୍ୟନ୍ତ ଝୋଡ଼ିଆ ସମ୍ପ୍ରଦାୟ ଆଦିବାସୀଙ୍କ ପାଇଁ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ପାଉଥିଲା। ୧୯୯୮ରେ ପରଜାଙ୍କୁ ଆଦିବାସୀ ଶ୍ରେଣୀଭୁକ୍ତ କରି ଝୋଡ଼ିଆଙ୍କୁ ଆଦିବାସୀ ତାଲିକାରୁ ବାଦ୍ ଦେଇଥିଲେ ସରକାର। ଫଳରେ ଜାତିଗତ ପ୍ରମାଣପତ୍ରଠୁ ଆରମ୍ଭ କରି ସମସ୍ତ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି ଝୋଡ଼ିଆ।

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ୧୨ ପଞ୍ଚାୟତ ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଝୋଡ଼ିଆ ସଂପ୍ରଦାୟ ବସବାସ କରୁଛନ୍ତି। ୨୦୧୨ରେ ନିଜ ଦାବି ହାସଲ ପାଇଁ ଝୋଡ଼ିଆ କାଶୀପୁର ବ୍ଲକରେ ଭୋଟ ବର୍ଜନ କରିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କ ନିର୍ଦେଶରେ ଏକ ଟିମ୍ କାଶୀପୁର, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ଗସ୍ତ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅବଗତ କରିବା ପରେ ୨୦୧୪ରେ ହାଇପାୱାର କମିଟି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଅନୁମୋଦନ କରିଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ତତ୍କାଳୀନ ରାଜ୍ୟପାଳ ଡଃ. ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଝୋଡ଼ିଆଙ୍କ ସପକ୍ଷରେ ନିଜର ଦାବି କେନ୍ଦ୍ର ନିକଟରେ ରଖିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଝୋଡ଼ିଆଙ୍କ ଦାବିକୁ ଅଣଦେଖା କରି ଆସୁଥିବାରୁ ନିୟମିତ ଭାବେ ଲୋକସଭାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାଜ୍ୟସଭାରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଦାବି ଉଠାଇ ଥିଲେ। ୨୦୧୪ରେ ମୋଦି ଶାସନକୁ ଆସିବା ପରେ ଆସାମ, ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡର ୧୫ରୁ ଉର୍ଦ୍ଧ୍ବ ସମ୍ପ୍ରଦାୟକୁ ସରକାର ଆଦିବାସୀ ତାଲିକାଭୁକ୍ତ କରିଥିଲେ। ଅଥଚ ଓଡ଼ିଶାର ଦାବିକୁ ଅଣଦେଖା କରି ଝୋଡ଼ିଆଙ୍କୁ ମାନ୍ୟତା ପ୍ରଦାନ କରି ନଥିଲେ।

ସମ୍ବନ୍ଧିତ ଖବର