ଘର କାମ ସମୟରେ ରାଜମିସ୍ତ୍ରିଙ୍କ ମୃତ୍ୟୁ ଘଟଣା : ବିଧାୟକଙ୍କ ଗିରଫ ଦାବି କଲା ଆଦିବାସୀ ସଂଘ

ସମସ୍ତଙ୍କ ପାଇଁ ଆଇନ ସମାନ ହେଉ

ବଲାଙ୍ଗୀର : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଦୁଇମହଲା ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ରାଜମିସ୍ତ୍ରି ଡିଙ୍ଗର ବରିହାଙ୍କ ୧୧କେଭି ଲାଇନ ସଂସ୍ପର୍ଶରେ ଆସି ଗୁରୁବାର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ୧୧କେଭି ଲାଇନ ଥିଲେ ବି ବିଧାୟକ ଶ୍ରୀ ମେହେର କାମ ବେଳେ ଲାଇନ କାଟିବାକୁ ବିଦ୍ୟୁତ ବିଭାଗଠାରୁ କୌଣସି ଅନୁମତି ନନେଇ ମିସ୍ତ୍ରିଙ୍କୁ କାମରେ ଲଗାଇଥିଲେ। ଏଣୁ ତାଙ୍କ ଦାୟିତ୍ୱହୀନ କାମ ପାଇଁ ମିସ୍ତ୍ରିଙ୍କ ମୃତ୍ୟୁ ହୋଇଛି ବୋଲି ସଂଘ ଅଭିଯୋଗ କରିଛି। ପୂର୍ବରୁ ମଧ୍ୟ ପାଟଣାଗଡ଼ ଥାନା ଅନ୍ତର୍ଗତ ପୋଡ଼ଛାପର ଗ୍ରାମର ଧନସିଂ ମେହେରଙ୍କ ଘର ଛାତ କାମ ସମୟରେ ମୁଣ୍ଡାପଲା ଗ୍ରାମର ଜଣେ ଶ୍ରମିକ ପ୍ରଦୀପ ଧରୁଆ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ ଓ ଘର ନିର୍ମାଣ କରୁଥିବା ଲୋକ ସେହି ଘଟଣାରେ ଜେଲ ଯାଇଥିଲେ। ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଆଇନ ଥିବା ବେଳେ ବିଧାୟକଙ୍କ କ୍ଷେତ୍ରରେ ଆଇନ ପରିବର୍ତନ କାହିଁକି ହେବ ବୋଲି ସଂଘ ପ୍ରଶ୍ନ କରିଛି। ଏଣୁ ବିଧାୟକଙ୍କ ଗିରଫ ଦାବି କରିଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ। ଆଗାମୀ ୩ ଦିନ ମଧ୍ୟରେ ଗିରଫ କରାନଗଲେ ଜିଲ୍ଲାବ୍ୟାପୀ ଆନ୍ଦୋଳନ କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ସଂଘ ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ଗ୍ରାମର ସମାରୁ ବରିହାଙ୍କ ପୁଅ ଡିଙ୍ଗର ବରିହା (୪୬) ଆଦିବାସୀ ସଂପ୍ରଦାୟର। ମୃତ ରାଜମିସ୍ତ୍ରି ଡିଙ୍ଗର ବରିହା ବିଧାୟକ ମେହେରଙ୍କ ଦୁଇମହଲା କୋଠାର ଛାତ କାମ କରୁଥିଲେ। ଏହି କୋଠା ନିକଟରେ ୧୧ କେଭି ବିଦ୍ୟୁତ ତାର ଟଣାଯାଇଛି। ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ରାଜମିସ୍ତ୍ରି ବରିହାଙ୍କ ମୃତ୍ୟୁ ଘଟିଥିଲା। ରାଜମିସ୍ତ୍ରି ବରିହାଙ୍କ ମୃତ୍ୟୁ ପାଇଁ ବିଧାୟକ ସରୋଜ ମେହେର ଦାୟୀ। କାରଣ ୧୧ କେଭି ବିଦ୍ୟୁତ ତାର ନିକଟରେ ଗୃହ ନିର୍ମାଣ ପାଇଁ ବିଦ୍ୟୁତ ବିଭାଗଠାରୁ ଆଗୁଆ ଅନୁମତି ନେବାକୁ ପଡ଼େ। ହେଲେ ବିଧାୟକ ଶ୍ରୀ ମେହେର ତାହା କରିନଥିଲେ। ବିଧି ନ ଜାଣି ବିଧାୟକ ହୋଇଛନ୍ତି, ଯଦି ବିଧି ବିଧାନ, ନୀତି ନିୟମ ଜାଣିଥିଲେ ତେବେ ଉଲ୍ଲଂଘନ କଲେ କାହିଁକି ବୋଲି ସଂଘ ପ୍ରଶ୍ନ ଉଠାଇଛି। ରାଜମିସ୍ତ୍ରିଙ୍କ ପରିବାର ବର୍ତମାନ ବହୁତ ଅସୁବିଧାରେ। ସେମାନଙ୍କୁ ସୁରକ୍ଷା ଦିଆଯାଉ। କାରଣ ରାଜମିସ୍ତ୍ରିଙ୍କ ମରଶରୀର ହସପିଟାଲରେ ଥିଲା। ୫ଜଣ ପୁଅ ଝିଅ ରମାକାନ୍ତ, କାନ୍ତ, ରାଧାକାନ୍ତ, ଦେବାଶିଷ ଓ ଶିବାନୀ ବରିହା ହସପିଟାଲରେ ଥିଲେ। ବିଧାୟକ ଲୋକ ପଠାଇ ସେମାନଙ୍କୁ ଉଠାଇନେଲେ। ଅପରାହ୍ନ ୪ଟାରେ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହେଲା। ଏପରିକି ଡିଙ୍ଗର ବରିହାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି ଲେଖାଇ ନିଆଯାଇଛି। ଏହା କଲା କିଏ? ଚାପ ପ୍ରୟୋଗ କଲା କିଏ? ଏ ସବୁର ତଦନ୍ତ କରାଯାଉ ଏବଂ ରାଜମିସ୍ତ୍ରି ଡିଙ୍ଗର ବରିହାଙ୍କ ମୃତ୍ୟୁ ପାଇଁ ଦାୟୀ ବିଧାୟକ ଶ୍ରୀ ମେହେରଙ୍କୁ ଗିରଫ କରାଯାଉ ବୋଲି ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର