କୋରାପୁଟ: କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଳକ୍ ତେନ୍ତୁଳିଗୁଡାର ବୈଦହରି ପାଙ୍ଗି ଆମେରିକା ଯିବେ। ଆସନ୍ତା ମାସ ୮ ତାରିଖରେ ଆମେରିକା ଠାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଭିଜିଟର୍ସ ଲିଡରସିପ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ପରିବେଶର ପରିବର୍ତ୍ତନ ଓ ଏହାର ନିରାକରଣ ଉପରେ ସେ ଉଦବୋଧନ ଦେବେ। ଆମେରିକା ସରକାରଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାରୁ ସେ ଚୟନ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୩୧ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବାବେଳେ ସେ ଆମେରିକାରୁ ଏପ୍ରିଲ ୩ରେ ଫେରିବେ।
କୋରାପୁଟର ଏହି ୪୩ ବର୍ଷୀୟ ହରି ଅଷ୍ଟମ ପର୍ଯ୍ୟନ୍ତ ପଢ଼ିଥିଲେ ମଧ୍ୟ ଜଡ଼ିବୁଟି ଉପରେ ତାଙ୍କର ଭଲ ଜ୍ଞାନ ରହିଛି। ତାଙ୍କର ପୂର୍ବ ପୁରୁଷ ପିଢ଼ି ପରେ ପିଢ଼ି ଏହି କ୍ଷେତ୍ରରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ପିଲାଟି ଦିନରୁ ବାପା ରୁପା ପାଙ୍ଗୀଙ୍କ ସହ ଜଙ୍ଗଲକୁ ଯାଇ ସେ ଏହି କାର୍ଯ୍ୟ ଶିକ୍ଷା କରିଛନ୍ତି। ଅଦ୍ୟାବଧି ଜଙ୍ଗଲରୁ ଜଡ଼ିବୁଟି ସଂଗ୍ରହ କରି ସେ ପ୍ରାୟ ୪୫୦ ପ୍ରକାରର ଚେରିମୁଳି ଔଷଧ ତିଆରି କରିଛନ୍ତି। ଏହାଦ୍ଵାରା ହୃଦରୋଗ, ରକ୍ତଚାପ, ସିକଲସେଲ୍, ସ୍ନାୟୁ ରୋଗ, ମହିଳାଙ୍କ ଋତୁସ୍ରାବ ସମସ୍ୟା, ଥାଇରଏଡ, କିଡ୍ନି ସମସ୍ୟା ଭଳି ୧୦୫ଟି ରୋଗ ଏହି ଔଷଧ ଦ୍ଵାରା ଠିକ୍ ହେଉଥିବା ସେ କହିଛନ୍ତି। ସେମିଳିଗୁଡା ବ୍ଲକ୍ ଡଳିଆମ୍ବ ଠାରେ ଗୁପ୍ତେଶ୍ୱର ଚେରମୁଳି ଔଷଧ ଏବଂ ପାରମ୍ପରିକ ବିଜ୍ଞାନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରି ସେ ସମସ୍ତ ଗବେଷଣା କରୁଛନ୍ତି।
କୋରାପୁଟ ସବୁବେଳେ ଆକୃଷ୍ଟ କରିଛି ଜନମାନସକୁ, କେତେବେଳେ ନୈସର୍ଗିକ ଶୋଭା ପାଇଁ, ଆଉ କେତେବେଳେ ନିଜର ମହନୀୟତା ପାଇଁ। ପ୍ରକୃତି କୋଳରେ ବଢ଼ି ଆସିଥିବା କୋରାପୁଟିଆର ହୃଦୟ ବି ବହୁତ ସରଳ, ଦେବାରେ କାର୍ପଣ୍ୟ ନାହିଁ। ସେବାରେ ବି ନିଃସ୍ୱାର୍ଥ ଭାବ। ବନୌଷଧିରେ ଭରପୁର କୋରାପୁଟ ମାଟିର ନିର୍ଯ୍ୟାସରେ କେତେଯେ ଉପଚାରର କଥା ଅଛି ସେସବୁ ଗୋଟିଗୋଟି କରି ବଖାଣିଲେ ହୁଏତ ସମୟ ନିଅଣ୍ଟ ହେବ। ସେଇ ବନୌଷଧିକୁ ଲୋକଙ୍କ ସ୍ୱାସ୍ଥ୍ୟ ସେବାରେ ଉତ୍ସର୍ଗ କରିବାରେ କୋରାପୁଟିଆ ନିଜକୁ ସାମିଲ କରି ଗର୍ବ କରେ, କୋଉ ରୋଗ ପାଇଁ କି ପ୍ରକାର ବନୌଷଧିକୁ ନେଇ ଆୟୁର୍ବେଦୀୟ ଚିକିତ୍ସାରେ ଉପଚାର କରି ହେବ ସେକଥା ସେ ବେଶ ଜାଣେ, ରୋଗୀଟିଏ ଖୁସିରେ ଔଷଧ ନେଇ ଫେରେ, ତାହା ବି ବିନା ଅର୍ଥ ଦେୟରେ। ସେମିତି ଏକ ଉତ୍ସର୍ଗୀକୃତ ମନୋଭାବ ନେଇ ସମାଜ ସକାଶେ ନିଜକୁ ସମର୍ପି ଦେଇଥିବା ଚରିତ୍ର ହେଲେ ହରି ପାଙ୍ଗି।
ଆଦିବାସୀ କୂଳରେ ଜନ୍ମ ହେଇ ସ୍ୱଳ୍ପ ବିଦ୍ୟା ଶିକ୍ଷା ପରେ ସେ ବାଛି ନେଇଛନ୍ତି ଏଇ ରୋଗୀ ସେବାର ମାଧ୍ୟମ। ତେବେ ସକାଳୁ ଉଠି ସୂର୍ଯ୍ୟପୂଜା କରି ନିଜ ଗ୍ରାମର ପାରମ୍ପରିକ ନିଶାଣିମୁଣ୍ଡାରେ ମୁଣ୍ଡିଆ ଟିଏ ମାରି କାମ ଆରମ୍ଭ କରନ୍ତି। ହାତରେ ବ୍ୟାଗ ଖଣ୍ଡିଏ ଧରି ଘଞ୍ଚ ଜଙ୍ଗଲ ଭିତରେ ପ୍ରବେଶ କରି ସନ୍ଧାନ କରିଥାନ୍ତି ଚେରମୂଳି ଓ ଜଡିବୁଟି । ଜଙ୍ଗଲ ମଧ୍ୟରେ ଗଙ୍ଗ ଶିଉଳି,ବିଶଲ୍ୟକରଣୀ, କୋଚିଲା,ଗୁଡମାରୀ ଭଳି ଏହି ଅଞ୍ଚଳର ପାରମ୍ପରିକ ଔଷଧିୟ ଗୁଳ୍ମ ଓ ଔଷଧିୟ ବୃକ୍ଷ ଗୁଡିକର ଚେର, ମୂଳ, କଣ୍ଡା, ପତ୍ର, ଫୁଲ ଓ ଫଳ ସଂଗ୍ରହ କରି ଆଣି ନିଜ ପଖରେ ରଖିଥାନ୍ତି। ପ୍ରକ୍ରିୟାକରଣ କରି ଥାକ ଥାକ ସଜାଇ ପାରମ୍ପରିକ ଭାବେ ପ୍ରସ୍ତୁତ କରିଥାନ୍ତି ଆୟୁର୍ବେଦିକ ଔଷଧ । କିନ୍ତୁ ଏ ଆଦିବାସୀ ଗବେଷକ ବୈଦ୍ୟ ଗୁଜୁରାଟର ଗାନ୍ଧି ନଗରକୁ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପାରମ୍ପରିକ ଔଷଧକୁ ନେଇ ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଏ ଅଂଚଳର ଔଷଧିୟ ବୃକ୍ଷ ସଂପର୍କରେ ତଥ୍ୟ ଉପସ୍ଥାପନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିଲେ । ଏବେ ଆମେରିକା ଯିବେ ଆଉ ସେଇଠି ସାରା ବିଶ୍ୱ ଦରବାର ଆଗରେ କୋରାପୁଟର ଆୟୁର୍ବେଦ ଔଷଧ ଓ ପରିବେଶ ସନ୍ତୁଳନ ଉପରେ ଭାବ ଆଦାନ ପ୍ରଦାନ କରିବେ । ଆସି ଯାଇଛି ପାସପୋର୍ଟ ଓ ଭିସା । ଆଉ ସେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି ।