ଅବହେଳିତ ଆଦିବାସୀ ଗାଁ କୁସୁମଗାଡ଼ିଆ : ମିଳୁନି ସରକାରୀ ସୁବିଧା ସୁଯୋଗ, ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଆଦିବାସୀମାନେ

ନୂଆଗାଁ : ଆଦିବାସୀଙ୍କ ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ସରକାରଙ୍କ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ହୋଇ ରହିଛି। ଫଳରେ ଆଦିବାସୀଙ୍କ ବିକାଶର ଫାଇଲ ନାଲିଫିତା ତଳେ ଚାପି ହୋଇ ରହୁଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଗୁମୀ ପଞ୍ଚାୟତର ଆଦିବାସୀ ଗାଁ କୁସୁମଗାଡ଼ିଆ ଏହାର ଜ୍ବଳନ୍ତ ଉଦାହରଣ। ସ୍ବାଧୀନତାର ଅନେକ ବର୍ଷ ପରେ ବି ଏହି ଗାଁ ବିକାଶର ସ୍ବାଦ ଚାଖି ପାରିନି। କିନ୍ତୁ କାଗଜ କଲମରେ ଏଠି ଅନେକ ଯୋଜନା। ଏବେ ସରକାରୀ ଯୋଜନାର ସୁଫଳ ନପାଇ ବାସ କରୁଥିବା ଆଦିବାସୀମାନେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି।

ଏଠାରେ ବହୁ ଅବ୍ୟବସ୍ଥା ଆଉ ପ୍ରଶାସନ ଏହି ନିରୀହ ଆଦିବାସୀଙ୍କ ପ୍ରତି କେତେ ନିଷ୍ଠୁର ତାହା ଦେଖିବାକୁ ମିଳିଛି। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ୩୫ ପରିବାରର ୨ ଶହ ୫୦ ଜଣ ଲୋକଙ୍କୁ ନେଇ କୁସୁମଗାଡ଼ିଆ ଗାଁ ଗଠିତ। ସମସ୍ତେ ଆଦିବାସୀ ହୋଇଥିଲେ ହେଁ ଲୋକେ ସମସ୍ତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଗାଁଟି ନୂଆଗାଁ ବ୍ଲକ୍ ଏବଂ ଗଂଜାମ ଜିଲ୍ଲା ସୀମାନ୍ତରେ ଥିବାରୁ ଏହା ଉପରେ କାହାର ଆଖି ପଡ଼େନି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଗୁମୀ ରାସ୍ତାରୁ ଚାରି କିଲୋମିଟର ଯିବା ପରେ ପଡ଼େ ଏହି କୁସୁମଗାଡ଼ିଆ ଗାଁ। ଜଙ୍ଗଲ ପାହାଡ଼ ମଧ୍ୟରେ ଗ୍ରାମଟି ଅବସ୍ଥିତ। ଆଜି ପର୍ଯ୍ୟନ୍ତ ଗାଁ ପାଇଁ ରାସ୍ତାଟିଏ ନାହିଁ। ଆବୁଡ଼ା ଖାବୁଡ଼ା ଅଙ୍କାବଙ୍କା ପାହାଡ଼ିଆ ରାସ୍ତା ଦେଇ ପ୍ରତିଦିନ ଲୋକେ ବାହାରକୁ ଯାତାୟାତ କରିଥାନ୍ତି। ଝାଟିମାଟିର ନୂଆଣିଆ ନଡ଼ା ଓ ଘାସ ଛପର ଘର ହେଉଛି ସେମାନଙ୍କର ସମ୍ବଳ। ଚାଷ କାମ ସହ ଖଲି ସିଇଁବା ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଏମାନଙ୍କ ମୁଖ୍ୟ ଜୀବିକା। ଗାଁକୁ ଲାଗି ରତାଦେଇ ପାହାଡ଼ ଥିବାରୁ ଆଦିବାସୀମାନେ ସେଇ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି। ଜଙ୍ଗଲରୁ ମହୁ, ଝୁଣା ଏବଂ ଜାଳେଣୀ କାଠ ସଂଗ୍ରହ କରି ନିକଟରେ ଥିବା ବାହାଡ଼ାଝୋଲା ହାଟକୁ ବିକ୍ରି କରିବାକୁ ନିଅନ୍ତି। ଦିନକୁ ଦିନ ଜଙ୍ଗଲ ସଂପଦ ଲୋପ ପାଉଥିବାରୁ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା କୁସୁମଗାଡ଼ିଆ ଗାଁ ଲୋକଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗାଁର ମହିଳାମାନେ ଜମିରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ହେଲେ ବର୍ଷା ଉପରେ ନିର୍ଭରଶୀଳ ହୋଇ ରହିଥିବା ଲୋକେ ବର୍ଷା ନ ହେଲେ ଏ ବେଉସା ବୁଡ଼ିଯାଏ ବୋଲି କହିଛନ୍ତି। ଏହି ଗ୍ରାମରେ ଜଙ୍ଗଲ ଜନ୍ତୁମାନଙ୍କର ଜୁଲମ କହିଲେ ନଚଳେ। ମ୍ୟାଲେରିଆପ୍ରବଣ ଏହି ଗାଁରେ କେବେ ବି ସ୍ବାସ୍ଥ୍ୟକର୍ମୀଙ୍କ ପାଦ ପଡ଼େ ନାହିଁ। ସ୍ବାସ୍ଥ୍ୟ ଖରାପ ହେଲେ ଡିମିରିପଲ୍ଲୀ ଉପସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରି ଚଳନ୍ତି। ରାସ୍ତା ନଥିବାରୁ ଲୋକେ ରୋଗୀକୁ ଦୋଳାରେ ବୋହି ବୋହି ଡାକ୍ତରଖାନାକୁ ନେଇଥାନ୍ତି। ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ା ଘରେ ଚାଲିଛି। ଗାଁଠାରୁ ଦୂରରେ ପ୍ରାଥମିକ ବିଦ୍ୟାଳୟ ଥିବାରୁ ଛାତ୍ରଛାତ୍ରୀମାନେ ଠିକ୍ ଭାବେ ଯାଇପାରନ୍ତି ନାହିଁ। ଗାଁରୁ ୮ଜଣ ଛାତ୍ରଛାତ୍ରୀ ଗୁମୀ ବିଦ୍ୟାଳୟରେ ଯାଇ ପାଠ ପଢ଼ନ୍ତି।

ବଡ଼ କଥା ହେଉଛି ଗାଁ ଲୋକେ ପିଲାଙ୍କ ପାଠପଢା ପାଇଁ ସବୁବେଳେ ଗୁରୁତ୍ବ ଦେଇଥାନ୍ତି। ଛାତ୍ରଛାତ୍ରୀମାନଙ୍କୁ ଗାଁରୁ ପାଳି କରି ପ୍ରତିଦିନ ସ୍କୁଲ୍‌କୁ ନେବା ଆଣିବା କରିଥାନ୍ତି। ଗ୍ରାମର ମହିଳାମାନେ ଜନନୀ ସୁରକ୍ଷା ଯୋଜନା କ’ଣ ଜାଣି ନ ଥିବାବେଳେ ଗ୍ରାମର ବହୁ ପ୍ରସୂତି ମହିଳା, ଶିଶୁ ପୁଷ୍ଟିହୀନତା ଓ ରକ୍ତହୀନତାର ଶିକାର ହେଉଥିବା ଅଭିଯୋଗ ହୁଏ। ଗାଁକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଅନେକ ତ୍ବରିତ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇଥାନ୍ତି। ଏଠାରେ ଗାଁ କଲ୍ୟାଣ ସମିତି ଯୋଜନା ବାଟବଣା। ଘର ଆଗରେ ନର୍ଦ୍ଦମା ପାଣି ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ ହୋଇ ରହିଛି। ଗାଁଠାରୁ ବ୍ଲକ୍ କାର୍ଯ୍ୟାଳୟ ୨୫ କିଲୋମିଟର ଦୂର ହୋଇଥିବାରୁ ଅନେକ ବାରମ୍ବାର ଗୁହାରି କରିବାକୁ ଆସି ନିରାଶ ହୋଇ ଫେରିଥିବା କହିଛନ୍ତି। ଯଦି ଆବାସ ଖଣ୍ତିଏ ମିଳେ ତେବେ ଦଲାଲମାନେ ସେମାନଙ୍କୁ ସତମିଛ କହି ଭାଗ ମାରିଥାନ୍ତି ବୋଲି ଅଭିଯୋଗ ହୋଇଛି। ଘର ପାଇଁ ଯେତିକି ଟଙ୍କା ମିଳୁଛି ସେଥିରୁ ଦଲାଲମାନେ ଅଧା ଟଙ୍କା ଖାଇ ଦେଉଥିବାରୁ ଗରିବ ଆଦିବାସୀମାନେ ଘର କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେଉଁ କେତେଜଣ ଘରକାମ ଆରମ୍ଭ କରିଛନ୍ତି, ମିଳିଥିବା ଟଙ୍କାରେ ଘରକାମ ଅଧାଯାଏଁ ଯାଇଛି। ଅର୍ଥ ଅଭାବରୁ ପଡ଼ିଥିବା ଅର୍ଦ୍ଧନିର୍ମିତ ଘର ଅଧାରୁ ଭାଙ୍ଗିରୁଜି ଯିବା ଦେଖାଗଲାଣି। ମନରେଗା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ହେଲେ ଏଠିକା ଲୋକଙ୍କୁ ଏହାର ସୁଫଳ ମିଳୁ ନଥିବା ଅଭିଯୋଗ ହେଉଛି। କୁସୁମଗାଡ଼ିଆ ଗାଁକୁ ଯେତିକି ବି ଅନୁଦାନ ଦିଆଯାଇଛି ସବୁ ଟଙ୍କା ବାରମାରଣା ହୋଇଥିବା ଗୁରୁତର ଅଭିଯୋଗ ହେଉଛି। କେବଳ ନାଲିମୋରମ ପକାଇ ରାସ୍ତା କାମ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଉଛି। ଏହି ଜଙ୍ଗଲ ଭିତରେ ଯାହି ତାହି କାମ କଲେ କେହି ଦେଖିବାକୁ ଆସିବାର ଭୟ ନଥିବାରୁ ଯେତିକି ଟଙ୍କା ମଞ୍ଜୁରୀ ହୋଇଛି ତା’ର ଅଧା ଟଙ୍କା ମଧ୍ୟ ଏଠାରେ ବିନିଯୋଗ ହୋଇନାହିଁ ବୋଲି କୁହାଯାଉଛି। ଏହିସବୁ ସମସ୍ୟାକୁ ବିଚାର କରି ଗାଁର ବିକାଶ ପାଇଁ ପ୍ରଶାସନ ଯଦି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ତେବେ ରାଜନେତାମାନଙ୍କର ଏହି ଆଦାବାସୀ ଗାଁ ପାଇଁ ଟିକେ ବି ଦରଦ ନାହିଁ। କେବଳ ନିର୍ବାଚନ ଆସିଲେ ଗାଁରେ ପଶି ଭୋଟ୍‌ ଦେବାକୁ ନିବେଦନ କରିଥାନ୍ତି। କିନ୍ତୁ ଏଥର ଗାଁର ବିକାଶ ନ ହେଲେ, ଆସନ୍ତା ଥରକୁ ରାଜନେତାମାନଙ୍କୁ ଗାଁରେ ପୂରାଇ ଦେବେ ନାହିଁ ବୋଲି ଆଦିବାସୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର