ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଆଦିବାସୀ ବହୁଳ ଗାଁ ‘ନେପାଳ’, ସ୍ୱାଧୀନତାର ୭୨ ବର୍ଷ ପରେ ବି ଏହି ଗାଁକୁ ନିତିଦିନିଆ ରାସ୍ତା ନାହିଁ କି ବିଜୁଳି ଆଲୁଅ ନାହିଁ

ଓଡ଼ଗାଁ : ଆଦିବାସୀ ବହୁଳ ଏକ ଗାଁର ନାଁ ନେପାଳ। ଆଦିବାସୀମାନଙ୍କର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାର ଡିଣ୍ତିମ ପିଟୁଥିବା ବେଳେ ଓଡ଼ଗାଁ ବ୍ଲକ୍‌ ବାଣ୍ଠପୁର ପଞ୍ଚାୟତର ଏହି ନେପାଳ ଗାଁକୁ ଦେଖିଲେ ବିକାଶର ବାସ୍ତବ ଚିତ୍ର ସ୍ପଷ୍ଟ ବାରିହେବ। ସ୍ବାଧୀନତାର ୭୨ ବର୍ଷ ପରେ ବି ଏହି ଗାଁକୁ ନିତିଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ପ୍ରାଶାସନିକ ଉଦାସନୀତା ଓ ଲୋକ ପ୍ରତିନିଧିମାନଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଗ୍ରାମରେ ବାସ କରୁଥିବା ୨୫ଟି ପରିବାରର ୧୩୨ ଜଣ ଅଧିବାସୀ ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଜୁଳି ଆଲୁଅ ଆଦି ମୌଳିକ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି।

ଲୋକଙ୍କ ସମ୍ବଳ କହିଲେ ଝାଟିମାଟି କୁଡ଼ିଆ ଖଣ୍ତିଏ ଖଣ୍ଡିଏ। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଏମାନେ ଜୀବନ ବିତାନ୍ତି। ପଞ୍ଚାୟତଠାରୁ ୮ କିମି ଓ ବ୍ଲକ୍‌ କାର୍ଯ୍ୟାଳୟଠାରୁ ୨୦ କିମି ଦୂରରେ ଅବସ୍ଥିତ। ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ନିତିଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ପଞ୍ଚାୟତଠାରୁ ଗାଁ ପର୍ଯ୍ୟନ୍ତ ପାହାଡ଼ ଜଙ୍ଗଲଘେରା ରାସ୍ତାରେ ଯିବା କାଠିକର ପାଠ। ସେଥିରେ ପୁଣି ବନ୍ୟଜନ୍ତୁଙ୍କ ଭୟ। ବର୍ଷାଦିନେ ସତେ ଯେମିତି ଏମାନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ନ୍ତି। ରାସ୍ତା ସମସ୍ୟା କାରଣରୁ ଗ୍ରାମର ବିକାଶ ଘଟିପାରୁନି। ମ୍ୟାଲେରିଆପ୍ରବଣ ଏହି ଗାଁରେ ସ୍ବାସ୍ଥ୍ୟକର୍ମୀଙ୍କ ପାଦ ପଡ଼େନି। ବେମାରରେ ପଡ଼ିଲେ ଡାକ୍ତରଖାନା ଯିବା ସମ୍ଭବ ହୁଏନି। କେବଳ ଭଗବାନ ଭରସା। ସେହିପରି ଗର୍ଭବତୀ ଓ ପ୍ରସୂତିଙ୍କ ଅବସ୍ଥା। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଅଛି। ମାତ୍ର ନିଜସ୍ବ ଗୃହ ନାହିଁ। ବାହାର ଗାଁର କର୍ମୀ ଜଣକ ନିୟମିତ ଆସିବା ସମ୍ଭବ ହୁଏନି। ବର୍ଷା ଦିନେ ସେ ଆସିବା ସଂପୂର୍ଣ୍ଣ ବନ୍ଦ। ମହିଳା ଓ ଶିଶୁମାନେ ପୁଷ୍ଟିହୀନତାର ଶିକାର। ଶିକ୍ଷାର ସୁଯୋଗ ନାହିଁ। ୮ କି.ମି ସ୍କୁଲ୍‌ ଯିବା ସମ୍ଭବ ହେଉନଥିବାରୁ ପାହାଡ଼ ଜଙ୍ଗଲରେ ବିକ୍ଷିପ୍ତ ହୋଇଯାଇଛି ଶୈଶବ। ଗାଁରେ କୂଅ କିମ୍ବା ପୋଖରୀଟିଏ ନଥିବା ବେଳେ ଭରସା ଏକମାତ୍ର ନଳକୂପ। ମାତ୍ର ବର୍ଷର ଅଧିକାଂଶ ସମୟ ତାହା ଅଚଳ ହୋଇପଡୁଥିବାରୁ ଗାଁଠାରୁ ସାତଶହ ମିଟର ଦୂରରେ ଥିବା ବାରମୂଳ ଝରଣାର ଦୂଷିତ ପାଣିକୁ ସଂଗ୍ରହ କରି ପାନୀୟ ଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି ଓ ବିଭିନ୍ନ ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଅନଭିଜ୍ଞ ଗ୍ରାମ୍ୟ କ୍ବାକ୍ ଏମାନଙ୍କ ଭରସା।

ପରିମଳ ଯୋଜନାରେ ଗାଁରେ ଗୋଟିଏ ବି ପାଇଖାନା ନିର୍ମାଣ ହୋଇପାରିନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ପରିବାରଙ୍କୁ ପକ୍କାଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲେ ମଧ୍ୟ ରାସ୍ତା ସମସ୍ୟା ଯୋଗୁ କେହି ବି ନିର୍ମାଣ କାର୍ଯ୍ୟ ଆରମ୍ଭ କରି ପାରିନାହାନ୍ତି। ବିଜୁଳି ଆଲୁଅ ଏମାନଙ୍କ ପାଇଁ ସାତପସନ। ଆଶ୍ଚର୍ଯ୍ୟର କଥା ୨୦୦୭ ମସିହାରେ ରାଜୀବ ଗାନ୍ଧୀ ବିଦ୍ୟୁତ୍‌କରଣ ଯୋଜନାରେ ଏହି ଗାଁକୁ ସର୍ଭେ କରାଯାଇ ସାଇନ‌୍ ବୋର୍ଡଟିଏ ଲଗାଇ ଦିଆଯାଇଥିଲା। ମାତ୍ର ଆଜିଯାଏଁ ଗାଁରେ ବିଜୁଳି ଜଳିପାରଲା ନାହିଁ। ବରବରା ଜଙ୍ଗଲର ସାକରଖଣ୍ତି ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗାଁକୁ ସଞ୍ଜ ହେଲେ ଅଧିକାଂଶ ଦିନ ହାତୀ ଓ ଗୟଳ ଚାଲି ଆସନ୍ତି। ଫଳରେ ସଞ୍ଜ ହେଲେ ଲୋକେ ତାଟିକବାଟ ପକାଇ ଆତଙ୍କିତ ଅବସ୍ଥାରେ ରୁହନ୍ତି। ଜୀବନଶୈଳୀ ଆଦିମ ଜନଜାତିଙ୍କ ପରି। ଶିଶୁ ଓ ବୟସ୍କ ସମସ୍ତେ ରୁଗ୍‌ଣ। ରାସ୍ତାଟିଏ ପାଇଁ ଗ୍ରାମବାସୀ ବିଡିଓ, ଜିଲ୍ଲାପାଳ ଓ ବିଧାୟକଙ୍କୁ ବାରମ୍ବାର ଭେଟିଥିଲେ ମଧ୍ୟ ଫଳ ଶୂନ। ଗତବର୍ଷ ମାର୍ଚ୍ଚରେ ସ୍ଥାନୀୟ ବିଡିଓ ଗାଁକୁ ଯାଇ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କଥା ଦେଇଥିଲେ। ମାତ୍ର ତାହା କଥାରେ ହିଁ ରହିଗଲା। ପ୍ରାଶାସନିକ ଉଦାସୀନତା ଓ ଅବହେଳା ଯୋଗୁ ନେପାଳବାସୀ ନିଜର କପାଳ ଫଟା ବୋଲି କହି ନିଜକୁ ଅଭିଶପ୍ତ ମନେ କରୁଛନ୍ତି।

ଆଜି ଗ୍ରାମବାସୀ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଲିଖିତ ଭାବେ ଗୁହାରୀ କରିଛନ୍ତି। ମନ୍ତ୍ରୀ ଅରୁଣ କୁମାର ସାହୁ ଏ ନେଇ ଜିଲ୍ଲାପାଳ ଓ ଡିଏଫ୍ଓଙ୍କୁ ଚିଠି ଲେଖି ରାସ୍ତା କାମ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମନ୍ତ୍ରୀଙ୍କ କଥା ଓ ବିଡିଓଙ୍କ ଚିଠି କେତେ ଫଳପ୍ରଦ ହେବ ତାହା ଆଗାମୀ ସମୟ ହିଁ କହିବ।

ସମ୍ବନ୍ଧିତ ଖବର