ବ୍ରହ୍ମପୁର: ଜଙ୍ଗଲ ପାହାଡ଼ ଘେରା ଆଦିବାସୀ ଗାଁ ସାନକରଞ୍ଜେଇ। ପାହାଡ଼ର ପାଦଦେଶରେ ରହିଥିବା ଏହି ଗାଁ ବହୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇରହିଛି। ସଞ୍ଜ ନଇଁବା କ୍ଷଣି ଗ୍ରାମବାସୀଙ୍କୁ ହାତୀ ଭୟ ଘାରୁଛି। ଏପରିକି କୌଣସି ଅସୁବିଧା ହେଲେ କାହାକୁ ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା ନାହିଁ। ଗାଁରେ ମୋବାଇଲ୍ ନେଟୱାର୍କ ଆସୁ ନଥିବାରୁ ପ୍ରାୟ ଦେଢ଼କିମି ଗଲେ ଫୋନ୍ ଲାଗୁଛି। ଏଭଳି ନାନା ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ଗ୍ରାମବାସୀ। ଏହା କୌଣସି ଉପାନ୍ତ ବ୍ଲକ୍ର ଦୁର୍ଗମ ଇଲାକାରେ ଥିବା ଗାଁ ନୁହେଁ, ଏହା ହେଉଛି ବ୍ରହ୍ମପୁର ସହର ଠାରୁ ପ୍ରାୟ ୨୨/୨୫ କିମି ଦୂରରେ ରହିଥିବା କୁକୁଡ଼ାଖଣ୍ଡି ବ୍ଲକ୍ର ସାନକରେଞ୍ଜଇ ଗାଁର ସମସ୍ୟା। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ କଙ୍କିଆ ପଞ୍ଚାୟତ ଅନ୍ତର୍ଗତ ସାନକରଞ୍ଜେଇ ଗାଁ। ଗାଁରେ ପ୍ରାୟ ୨୫ ପରିବାର ରହୁଛନ୍ତି। ଧାନ ଓ ମକା ଚାଷ କରି ଗ୍ରାମବାସୀ ପରିବାରର ଭରଣପୋଷଣ କରୁଛନ୍ତି। ଗାଁକୁ ଯିବା ଆସିବା ପାଇଁ ରାସ୍ତାଟିଏ ହୋଇଛି। ଏହି ଗାଁ ନିକଟସ୍ଥ ରାଇପଡ଼ା
ଜଙ୍ଗଲରେ ହାତୀପଲ ରହୁଛନ୍ତି। ସଂଧ୍ୟା ହେବା କ୍ଷଣି ହାତୀ ପାହାଡ଼ରୁ ତଳକୁ ଓହ୍ଲାଇ ଫସଲ, ଫଳ ପରିବା ଖାଇଥାନ୍ତି। ହାତୀ ଭୟରେ କେହି ଘରୁ ବାହାରନ୍ତି ନାହିଁ। ବିଭିନ୍ନ ସମୟରେ ରାଇପଡ଼ା ଜଙ୍ଗଲରୁ ପ୍ରାୟ ୧୦ଟିକିଆ ହାତୀ ପଲ ଗାଁ ନିକଟକୁ ଆସି ଫସଲ ନଷ୍ଟ କରୁଥିବା ଗ୍ରାମବାସୀ କହିଛନ୍ତି। ହାତୀଙ୍କ ଦାଉରୁ ରକ୍ଷା କରିବା ପାଇଁ ଗାଁକୁ ଆଲୋକିତ କରାଯାଇଛି। ଗାଁରେ ଦୁଇଟି ଛୋଟ ହାଇମାଷ୍ଟ୍ ଲାଇଟ୍ ଲଗାଯାଇଛି। ଗାଁକୁ ବିଦ୍ୟୁତ ସଂଯୋଗ ହୋଇଛି। କିନ୍ତୁ ଝଡ଼ତୋଫାନ୍ ହେଲେ ସଂଯୋଗ ବିଚ୍ଛିନ୍ନ ହୋଇଯାଉଛି। ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ଦେଢ଼କିମି ଦୂରରେ ଥିବା ସୁଳିଆ ଗାଁକୁ ପିଲାମାନେ ପାଠ ପଢ଼ିବାକୁ ଯାଉଛନ୍ତି। ପ୍ରତ୍ୟେକ ଘରକୁ ପିଇବା ପାଇଁ ପାନୀୟ ଜଳ ଯୋଗାଣ ପାଇପ୍ ସଂଯୋଗ କରାଯାଇଛି। କିନ୍ତୁ ମୋଟର ଖରାପ୍ ଯୋଗୁଁ ପାଣି ଆସୁନାହିଁ। ଏଣୁ ନଳକୂପ ପାଣି ଉପରେ ଗ୍ରାମବାସୀ ଭରସା କରୁଛନ୍ତି। ଗାଁର ପ୍ରାୟ ୧୦/୧୨ ପରିବାରର ଇନ୍ଦିରା ଆବାସ ରହିଛି। ଅନ୍ୟମାନେ ଆବେଦନ କରିଥିଲେ ସୁଦ୍ଧା ସେମାନଙ୍କୁ ଆବାସ ମିଳି ନଥିବା ଗନ୍ତାୟତ ଓ କୃଷ୍ଣ ମଲିକ କହିଛନ୍ତି। ଏଣୁ ସେମାନେ ଝାଟିମାଟି ଘରେ ମୁଣ୍ଡ ଗୁଞ୍ଜିଛନ୍ତି।
ଗାଁରେ ମୋବାଇଲ୍ ନେଟୱର୍କ ଆସୁନାହିଁ। ରାତି କୌଣସି ଅସୁବିଧା ହେଲେ କାହାକୁ ଯୋଗାଯୋଗ କରି ହେଉନାହିଁ। ଏପରିକି ଗ୍ରାମବାସୀ ଟେଲିଭିଜନ୍ ମଧ୍ୟ ଦେଖି ନାହାନ୍ତି। ଏହି ଗାଁରେ କାହାର ମୋବାଇଲ୍ ଫୋନ୍ ନାହିଁ କି ଟିଭି ନାହିଁ। ଏଣୁ ଗ୍ରାମବାସୀ କୌଣସି ଖବର କି ସୂଚନା ପାଇପାରୁ ନାହାନ୍ତି। ବ୍ରହ୍ମପୁର ସହର ଠାରୁ ମାତ୍ର ୨୫ କିମି ଦୂରରେ ଏଭଳି ଏକ ସମସ୍ୟା ବହୁଳ ଆଦିବାସୀ ଗାଁ ରହିଥିବା ନେଇ ସହଜରେ ବିଶ୍ବାସ କରି ହେଉନାହିଁ। ବନ ବିଭାଗ ବିଭିନ୍ନ ସମୟରେ ଗାଁକୁ ଯାଇ ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି। ସେହିପରି ହାତୀ କବଳରୁ ନିଜକୁ ରକ୍ଷା କରିବା ପାଇଁ ସଂଧ୍ୟା ୭ଟା ପରେ ସକାଳ ୬ଟା ପର୍ଯ୍ୟନ୍ତ ସେହି ରାସ୍ତା ଦେଇ ଯାତାୟାତ କରିବାକୁ ମନା କରାଯାଇଛି। ଏପରିକି ବିଭିନ୍ନ ସ୍ଥାନରେ ବନ ବିଭାଗ ତରଫରୁ ସଚେତନତା ପୋଷ୍ଟର୍ ଲଗାଯାଇଥିବା ଦେଖିବାକୁ ମିଳିଛି।