ଲେଫ୍ରିପଡ଼ା : ଉପାନ୍ତ ଅଂଚଳ ଭାବେ ପରିଚିତ ରାଜବାହାଲ ପଞ୍ଚାୟତ ଆଜି ସରକାରଙ୍କ ଦୃଷ୍ଟି ଅଢ଼ୁଆଳରେ ରହିଯାଇ ଥିବାବେଳେ ସ୍ୱାଧୀନତାର ଦୀର୍ଘ ଛଅ ଦଶନ୍ଧି ପରେ ପଞ୍ଚାୟତବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ। ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଘାଟୀ ତଥା ଉପାନ୍ତ ଅଞ୍ଚଳ ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଏହି ଅଞ୍ଚଳ ଏବେ ବି ଅନୁନ୍ନତ ହୋଇ ପଡ଼ିରହିଛି। ଗ୍ରାମରେ ପାନୀୟ ଜଳ ପାଇଁ ସୁବିଧା ନ ଥିବାରୁ ଗ୍ରାମବାସୀ ଉତ୍କଟ ଜଳାଭାବର ସମ୍ମୁଖୀନ ହୋଇ ଜଙ୍ଗଲି ଝରଣା ଓ ଚୁଆ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।
ରାଜବାହାଲ ପଞ୍ଚାୟତର ‘ଜୁନିଆନି' ଏକ ରାଜସ୍ୱ ଗ୍ରାମ ହୋଇଥିବା ସ୍ଥଳେ ସ୍ଥାନୀୟ ଜନସଂଖ୍ୟା ମାତ୍ର ୧୦୦ ପାଖାପାଖି। ସେମାନେ ପ୍ରାୟ ଶତ ପ୍ରତିଶତ ଆଦିବାସୀ ହୋଇଥିବାବେଳେ ପ୍ରାୟ ଅଧିକାଂଶ ନିରକ୍ଷର। ସେମାନଙ୍କ ଜୀବନ ଜୀବିକା ଅତ୍ୟନ୍ତ ନିମ୍ନ ଓ ଦୟନୀୟ। ଅଞ୍ଚଳଟି ଦୁର୍ଗମ ହୋଇଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ଆଲୋକ, ବିଶୁଦ୍ଧ ପାନୀୟଜଳର ସୁବିଧା, କୃଷି ଏବଂ ଜଳସେଚନ ପରି ପ୍ରତ୍ୟେକ କ୍ଷେତ୍ରରେ ଅବହେଳିତ ରହିଛି। ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଓ ଅଣଜଳସେଚିତ କୃଷି ଉପରେ ନିର୍ଭରକରି ଚଳନ୍ତି। ପିଇବା ପାଣି ପାଇଁ ଏଠାରେ କେବେ ଏକ ନଳକୂଅ ଖୋଲା ହୋଇଥିଲା। କିନ୍ତୁ ତାହା ଅଚଳ ପଡ଼ିଛି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଏକ ଚୂଆଁରୁ ପାଣି ବ୍ୟବହାର କରିଆସୁଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ନିୟମିତ ପ୍ରତ୍ୟେକ ଘରକୁ ପାଇପ ପାଣି ଯୋଗାଇବାର ଘୋଷଣା କରିଚାଲିଥିଲେ ହେଁ ଏହି ଦୁର୍ଗମ ଗାଁ ଗଣ୍ଡାରେ ତାହା ସ୍ବାଧୀନତାର ସାତ ଦଶନ୍ଧି ପରେ ବି ସ୍ବପ୍ନ ହୋଇରହିଛି। ଏହି ସମସ୍ୟା ନେଇ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭବାନୀ ଶଙ୍କର ସାହୁଙ୍କୁ ଯୋଗାଯୋଗ କରାଯିବାରୁ ସେ ଜୁନିଆନିରେ ଏକ ସୋଲାର ପମ୍ପ ପାଇଁ ୧ଲକ୍ଷ ୯୬ ହଜାର ଟଙ୍କା ପଞ୍ଚାୟତରୁ ମଞ୍ଜୁରି ହୋଇଛି। ନିର୍ବାଚନ ଆଚରଣ ବିଧି ପାଇଁ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା ଏବଂ ଶୀଘ୍ର ତାହା କରାଯିବ ବୋଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/sundargarh-water.jpg)