ମାଲକାନଗିରି: ମାଲକାନଗିରି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଜିଲ୍ଲାର ଆଦିବାସୀ ବିଭିନ୍ନ ଋତୁରେ ଜଂଗଲରୁ ମିଳୁଥିବା ବିଭିନ୍ନ ଜଂଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ବେଳେ ସେଗୁଡିକ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିଥାନ୍ତି। ଜଂଗଲରୁ ମହୁଲ, ଝୁଣା, କରଡି, କାଠ, ବାଉଁଶ, ଛତୁ, ମହୁ, କନ୍ଦା ଭଳି ବିଭିନ୍ନ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ନିଜେ ଖାଦ୍ୟ ରୂପେ ବ୍ୟବହାର କରିବା ପରେ ବଜାରରେ ବିକ୍ରି କରିଥାନ୍ତି। ଫେବ୍ରୁଆରିରୁ ଏପ୍ରିଲ ପର୍ଯନ୍ତ ମହୁଲ ସରିଲା ପରେ ଏବେ ଟୋଲା ମଞ୍ଜି ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବାରର ସମସ୍ତ ସଦସ୍ୟ ସକାଳ ୬ଟାରୁ ହିଁ ଜଂଗଲକୁ ଯାଇ ମହୁଲ ଗଛ ତଳେ ପଡିଥିବା ଟୋଲା ମଞ୍ଜିକୁ ସଂଗ୍ରହ କରିଥାନ୍ତି। ଏଥିରେ ପିଲାମାନେ ମଧ୍ୟ ବାଦ ପଡିନଥାନ୍ତି।
ସ୍କୁଲ ଛୁଟି ଥିବାରୁ ଆଦିବାସୀ ପିଲାମାନେ ନିଜ ବାପା ମା’ଙ୍କ ସହ ମିଶି ଟୋଲା ମଞ୍ଜି ଗୋଟାଇବାକୁ ଯାଇଥାନ୍ତି। ସଂଧ୍ୟାରେ ଘରକୁ ଫେରିବା ପରେ ଟୋଲାରୁ ମଞ୍ଜି ବଛାଯାଇଥାଏ। ପ୍ରବଳ ଖରା ହେଉଥିବାରୁ ଲୋକେ ସକାଳୁ ଥରେ ଏବଂ ଅପରାହ୍ନରେ ଥରେ ଜଂଗଲକୁ ଯାଇଥାନ୍ତି। ଏବେ ଜିଲ୍ଲାର ଗାଁ ଗାଁରେ ଟୋରା ମଞ୍ଜି ସଂଗ୍ରହ ଚାଲିଛି।ଏହି ଟୋଲା ମଞ୍ଜିକୁ ଖରିଦ କରିବା ପାଇଁ ଦଲାଲମାନେ ଗାଁ ଗାଁରେ ବସା ବାନ୍ଧିଲେଣି। ବିଶେଷକରି ଛତିଶଗଡ ଦଲାଲଙ୍କ ରାଜୁତି ଚାଲେ।ବଜାରରେ ଟୋଲା ମଞ୍ଜି କିଲୋ ପ୍ରତି ୮୦ରୁ ଶହେ ଟଂକା ମଧ୍ୟରେ ରହିଥିବା ବେଳେ ଦଲାଲମାନେ ଗାଁ ଗାଁରେ ବୁଲି ୨୦ରୁ ୩୦ ଟଂକା ମଧ୍ୟରେ କିଣିଥାନ୍ତି, ଯାହାଦ୍ବାରା ସରଳ ନିରୀହ ଆଦିବାସୀ ଠକାମିର ଶିକାର ହୁଅନ୍ତି।
ଦିନ ଦିନ ଧରି ଟୋଲା ମଞ୍ଜି ସଂଗ୍ରହ କରିବା ଏବଂ ଦିନ ତମାମ ବସି ଟୋଲାରୁ ମଞ୍ଜି ବାହାର କରିବା କାମ ବେଶ କଷ୍ଟକର ହୋଇଥିବା ବେଳେ ଏହାର ଉଚିତ ମୂଲ୍ୟ ନପାଇ ଆଦିବାସୀ ଭାଇଭଉଣୀମାନେ କାହା ନିକଟରେ ଗୁହାରି ମଧ୍ୟ କରିନଥାନ୍ତି। ସରକାରଙ୍କ ତରଫରୁ ପ୍ରତିବର୍ଷ ଏହାର ମୂଲ୍ୟ ଯଦି ଧାର୍ଯ୍ୟ କରାଯାଇଥାନ୍ତା ତେବେ ସରଳ ଆଦିବାସୀ ଏହାର ଉଚିତ ମୂଲ୍ୟ ପାଇପାରନ୍ତେ ବୋଲି କୁହାଯାଇଛି।
ଏନେଇ ଭୀମା ମାଡକାମୀ କହନ୍ତି କି ମହୁଲ ଓ ଟୋଲା ମଞ୍ଜି ବିକ୍ରି ଆମେ ପ୍ରତିବର୍ଷ ଦିପଇସା ରୋଜଗାର କରିଥାଉ। କିନ୍ତୁ ଏହାର ଉଚିତ ଦାମ କେତେ ନଜାଣି ଦଲାଲମାନଙ୍କ ହାତରେ ଟେକି ଦେଇଥାଉ ବୋଲି କହନ୍ତି। ଛତିଶଗଡ ବେପାରୀମାନେ ଗାଁରୁ କମ୍ ଦରରେ ଟୋଲା ମଞ୍ଜି କିଣି ବେଶ ଲାଭବାନ ହେଉଥିବା ଦେଖିବାକୁ ମିଳିଛି।ବର୍ଷ ବର୍ଷ ଧରି ଏଭଳି ସ୍ଥିତି ରହିଥିବା ବେଳେ ସରକାର କେବେ ଚେତିବେ ଏବଂ ଜଂଗଲଜାତ ଦ୍ରବ୍ୟ ଉପରେ କଟକଣା ଲଗାଇବା ସହ ଏହାର ମୂଲ୍ୟ ଧାର୍ଯ୍ୟ କରି ଆଦିବାସୀଙ୍କୁ ସେମାନଙ୍କର ହକ୍ ଦେବେ ଦେଖିବାକୁ ବାକି ରହିଲା।