ଆଦିବାସୀ ମହିଳା ବେନେଦିକ୍ତା; ଜଙ୍ଗଲ ଜମି ଅଧିକାର ଲଢେଇରୁ ପଞ୍ଚାୟତ ସରପଞ୍ଚ

ସୁନ୍ଦରଗଡ଼: ଗୋଟିଏ ପଟେ ସ୍ବାମୀ ଓ ଦୁଇ ଝିଅକୁ ନେଇ ନିଅଣ୍ଟିଆ ସଂସାର। ଅନ୍ୟପଟେ ଆଦିବାସୀଙ୍କ ହକର ଲଢେଇ। ସ୍ବୟଂ ସହାୟିକା ଗୋଷ୍ଠୀରୁ ଆଠକୋଶିଆ ଆଦିବାସୀ ଏକତା ମଞ୍ଚର ନେତୃତ୍ବ, ଜୈବିକ କୃଷି ଆନ୍ଦୋଳନ, ଜଙ୍ଗଲ ଜମି ଅଧିକାର ଓ ପଞ୍ଚାୟତ ନିର୍ବାଚନ ଯାଏ ଲମ୍ବା ସଂଘର୍ଷର ସଫଳ କାହାଣୀ ରଚନା କରିଥିବା ଆଦିବାସୀ ମହିଳା ହେଲେ ବେନେଦିକ୍ତା ଟପ୍ନୋ। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଅନ୍ତର୍ଗତ କିଞ୍ଜିରକେଲା ଉଦ୍ଦପଡାର ବେନେଦିକ୍ତାଙ୍କ ପରିବାର ଅଭାବରେ ଚଳୁଥିଲେ। ସ୍ବାମୀ ପବନ ଟପ୍ନୋ କିଛି ଜଙ୍ଗଲ ଜମିରେ ଯାହା ଉତ୍ପାଦନ କରୁଥିଲେ ସେଥିରେ କଷ୍ଟେମଷ୍ଟେ ସଂସାର ଚାଲୁଥିଲା।

ତେବେ କୋଳକୁ ଝିଅ ସୁଚିସ୍ମିତା ଓ ଅର୍ଚ୍ଚନା ଆସିବା ପରେ ଅଭାବ ବଢିଗଲା। ଏହି ସମୟରେ ବେନେଦିକ୍ତା ରୋଜଗାର ପାଇଁ ପାଦ ବଢାଇଲେ। ଗାଁରେ କିଛି ମହିଳାଙ୍କୁ ଏକଜୁଟ କରି ଗଢିଲେ ସ୍ବୟଂ ସହାୟିକା ଗୋଷ୍ଠୀ। ସରକାରୀ ସହାୟତାରେ ବିଭିନ୍ନ ଶୁଖିଲା ଖାଦ୍ୟ ଓ ଘରକରଣା ସାମଗ୍ରୀ ତିଆରି କରି ତାକୁ ବିକି ଦି ପଇସା ରୋଜଗାର କଲେ। ଆଗ୍ରହରେ ସେ ଆଗକୁ ମାଡି ଚାଲିଲେ। ଗୋଷ୍ଠୀର କାର୍ଯ୍ୟ ବଢି ଚାଲିଲା।

ଗୋଷ୍ଠୀରେ ଆଦିବାସୀ ଓ ପାରମ୍ପରିକ ଅନ୍ଯ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର କଥା ପଡିଲା। ଏଥିପାଇଁ ଅଞ୍ଚଳରେ ଦୃଢତାର ସହ ସ୍ବର ଉଠାଇଥିବା ବେସରକାରୀ ସଂଗଠନ ସିଆଇଆରଟିଡି ବେନେଦିକ୍ତାଙ୍କୁ ବେଶ ପ୍ରଭାବିତ କରିଥିଲା। ସେ ସଂଗଠନରେ ସାମିଲ ହୋଇ ଗାଁର ଆଦିବାସୀଙ୍କ ପାଇଁ ସ୍ବର ଉଠାଇଲେ। ଆନ୍ଦୋଳନ ତେଜିୟାନ ହେଲା। ତାଙ୍କ ନେତୃତ୍ବରେ ଗାଁର ବହୁ ଆଦିବାସୀ ବ୍ଯକ୍ତିଗତ ଜଙ୍ଗଲ ଜମି ଅଧିକାରପତ୍ର ପାଇଲେ। ଏହା ପରେ ତାଙ୍କ କାର୍ଯ୍ୟ ପରିସର ବଢି ଚାଲିଲା। ଚାଷ କାମରେ ପୁରୁଷ ତୁଳନାରେ ମହିଳାଙ୍କ ସମ୍ପୃକ୍ତି ଅଧିକ ଥିଲେ ମଧ୍ୟ ତାଙ୍କୁ ସେଥିରେ ଅଧିକାର ମିଳି ନଥିବାରୁ ସେ ସ୍ବର ତୋଳିଥିଲେ। ଏହା ପରେ ପରେ ବିଷ ରହିତ ଫସଲ ଉତ୍ପାଦନ ପାଇଁ ରାସାୟନିକ ସାର ଓ କୀଟନାଶକୁ ବାଦ ଦେଇ ଆରମ୍ଭ ହୋଇଥିବା ଜୈବିକ କୃଷି ଆନ୍ଦୋଳନରେ ମଧ୍ୟ ବେନେଦିକ୍ତା ଆଗ ଧାଡିରେ ଠିଆ ହୋଇ ଚାଷୀଙ୍କୁ ଏକ ନୂଆ ବାଟ ଦେଖାଇଲେ। ସେ ବାଟରେ ଏବେ ଗାଁ ମହିଳା ଓ ଚାଷୀମାନେ ସ୍ବାବଲମ୍ବୀ ଓ ରୋଜଗାର ସମ୍ପନ୍ନ ହୋଇଛନ୍ତି। ଶେଷକୁ ଚଳିତ ପଞ୍ଚାୟତ ନିର୍ବାଚନରେ ଲୋକେ ସରପଞ୍ଚ ଭାବେ ନିର୍ବାଚିତ କରି ସେମାନଙ୍କ ବିକାଶର ଆଉ ଏକ ବଡ ଦାୟିତ୍ବ ଦେଇଛନ୍ତି। ସରପଞ୍ଚ ଭାବେ ସେ ଚିରାଚରିତ ବିକାଶ କାମ ଠାରୁ ଭିନ୍ନ କିଛି କରିବାକୁ ଖସଡା ତିଆରି କରୁଛନ୍ତି। ନିପଟ ଆଦିବାସୀ ଗାଁ କିଞ୍ଜିରକେଲାର ଏ ମହିଳା ଏବେ ଅନ୍ୟମାନଙ୍କ ପାଇଁ ସଫଳତାର ସୂତ୍ରଧର ବା ପ୍ରେରଣା ପାଲଟିଛନ୍ତି।

ସମ୍ବନ୍ଧିତ ଖବର