ଆଦିବାସୀ ମହିଳାଙ୍କ ଶବକୁ ମଶାଣି ମନା!

ଭୋଗରାଇ : ଶବ ସତ୍କାର ପାଇଁ ଜାଗାଟିଏ ମିଳିଲାନି। ମୃତ ମହିଳା ଦଳିତ ଆଦିବାସୀ ହୋଇଥିବାରୁ ସାହି ମଶାଣି ବାରଣ କଲେ ଲୋକେ। ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଶବ ୧୨ ଘଣ୍ଟା ଧରି ପଡ଼ି ରହିଲା। ପରିବାର ଲୋକେ ପ୍ରଶାସନକୁ ଜଣାଇଲେ। କେହି ନଶୁଣିବାରୁ ୧୨ ଘଣ୍ଟା ଧରି ପଞ୍ଚାୟତ ଅଫିସ ସାମ୍ନାରେ ଧାରଣା ଦେଲେ। ଶେଷରେ ଗାଁଠାରୁ ଦୂର ଏକ ଗୋଚର ଜାଗାରେ ମରଶରୀର ଦାହ କରାଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ମହାଗବ ଗାଁରେ।

୪୦ ବର୍ଷରୁ ଅଧିକ ହେବ ମହାଗବ ଗାଁରେ ୨୦ରୁ ୩୦ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ସ୍ଥାୟୀ ବାସିନ୍ଦା ଭାବେ ସେମାନଙ୍କୁ ଭୋଟର ଓ ରାସନ୍‌ କାର୍ଡ ବି ମିଳିଛି। ଆଦିବାସୀ ଓ ଦଳିତ ହୋଇଥିବାରୁ ସେମାନଙ୍କୁ ଗାଁରେ ଅସବର୍ଣ୍ଣ ଭାବେ ସାମାଜିକ ବାସନ୍ଦର ଶିକାର ହେବାକୁ ପଡ଼ୁଛି। ଏମିତି କି ସାହି ମଶାଣି ମଧ୍ୟ ସେମାନଙ୍କ ପାଇଁ ମନା।

ଆଜି ସକାଳେ ଗାଁର ରଘୁନାଥ ହାଁସଦାଙ୍କ ପତ୍ନୀ ହୀରା (୭୦)ଙ୍କ ପରଲୋକ ହୋଇଥିଲା। ଦାହ କରିବା ପାଇଁ ଶବକୁ ପରିବାର ଲୋକେ ଗାଁର ଏକ ମଶାଣିକୁ ନେଇଥିଲେ। ମାତ୍ର ସେଠାରେ ଗ୍ରାମବାସୀ ବିରୋଧ କରିଥିଲେ। ବାଧ୍ୟହୋଇ ସେମାନେ ଶବକୁ ଧରି ମଶାଣିରୁ ଫେରିଥିଲେ। ଏନେଇ ରଘୁନାଥ ସରପଞ୍ଚଙ୍କୁ ଜଣାଇଥିଲେ। ସରପଞ୍ଚ ମଧ୍ୟ ଏହି ଘଟଣାରେ କିଛି ମତ ଦେବା ବଦଳରେ ଚୁପ୍‌ ରହିଥିଲେ। କହିଥିଲେ, ୨୦୦ ଟଙ୍କା ନିଅ, ଆଉ ଗାଁ ପାଖ କେନାଲ୍‌ ବନ୍ଧ ନିକଟରେ ଶବ ଦାହ କରିଦିଅ। ସରପଞ୍ଚଙ୍କଠାରୁ ଏମିତି କଥା ଶୁଣିବା ପରେ କିଛି ଉପାୟ ନପାଇ ରଘୁନାଥଙ୍କ ପରିବାର ଲୋକେ ଶବକୁ ଧରି ପଞ୍ଚାୟତ ଅଫିସରେ ପହଂଚିଥିଲେ। ସେଠାରେ ସେମାନେ ନ୍ୟାୟ ପାଇଁ ସକାଳ ୬ଟାରୁ ଦୀର୍ଘ ୧୨ ଘଣ୍ଟା ଯାଏ ଧାରଣାରେ ବସିିଥିଲେ। ତଥାପି ମଧ୍ୟ ରଘୁନାଥଙ୍କୁ ନ୍ୟାୟ ମିଳିନଥିଲା। ପରେ ଶବକୁ ଦାହ ପାଇଁ ପୁଣି ଅନ୍ୟ ଏକ ଜାଗାକୁ ନିଆଯାଇଥିଲା। ଦୁର୍ଭାଗ୍ୟ, ସେଠାରେ ମଧ୍ୟ ସ୍ଥାନୀୟ ଲୋକେ ମାଡ଼ ମାରିବାକୁ ଗୋଡ଼ାଇଥିଲେ ଓ ଧମକ ଦେଇ ଶବ ସହ ଫେରାଇ ଦେଇଥିଲେ।

ଶେଷରେ ଅନେକ ବୁଝାସୁଝା ପରେ ତହସିଲଦାରଙ୍କ ନିର୍ଦେଶରେ ଗାଁଠୁ ୨ କିଲୋମିଟର ଦୂରରେ ଥିବା ଏକ ଗୋଚର ଜାଗାରେ ରାତି ପ୍ରାୟ ୭ଟା ବେଳେ ହୀରାଙ୍କ ଶବ ଦାହ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର