କରୋନା ନୁହେଁ ଅନାହାରରେ ଆଖି ବୁଜିଲେ ଲୋଧା ସମ୍ପ୍ରଦାୟର ବୃଦ୍ଧା

ଅଭିଯୋଗ ଆଣିଲେ ଜନପ୍ରତିନିଧି , ପ୍ରଶାସନ ନିକଟରେ ଖବର ନାହିଁ, ତଦନ୍ତ ହେବ କହିଲେ ଜିଲ୍ଲାପାଳ

ବାରିପଦା : ମହାମାରୀ କରୋନାର ମହାସଂଗ୍ରାମରେ ଅନାହାରରେ ଆଖି ବୁଜିଛନ୍ତି ଲୋଧା ସମ୍ପ୍ରଦାୟର ଜଣେ ବୃଦ୍ଧା। ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ୍ ଅଧୀନ ଭାଗବତଚନ୍ଦ୍ରପୁର ପଞ୍ଚାୟତର ଧାନଶୋଳ ଗ୍ରାମରେ ଅନୁସୂଚିତ ଜନଜାତି ସମ୍ପ୍ରଦାୟ(ଲୋଧା)ର ପ୍ରାୟ ୭୫ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ସାମନାକୁ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ଉକ୍ତ ପଞ୍ଚାୟତର ସମିତି ସଭ୍ୟା ଲାବଣ୍ୟବତୀ ମହାନ୍ତ।

ଶ୍ରୀମତୀ ମହାନ୍ତଙ୍କ ଅଭିଯୋଗ ଆଧାରରେ ଧାନଶୋଳ ଗ୍ରାମର ଧୁନ୍ଦି ମଳିକଙ୍କର ଖାଦ୍ୟ ଅଭାବରେ ମୃତ୍ୟୁ ହୋଇଛି । ତାଙ୍କୁ ଦୁଇ ମୁଠା ରାନ୍ଧି ଖାଇବାକୁ ଦେବା ନିମନ୍ତେ କେହି ନାହାନ୍ତି । ନିସ୍ୱଃ, ଗରୀବ, ଅସହାୟ, ଭିକ୍ଷୁକ, ନିରାଶ୍ରୟ, ଭିନ୍ନକ୍ଷମ, ବୃଦ୍ଧ ଓ ବୃଦ୍ଧା ଆଦିଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଇବା ନିମନ୍ତେ ରନ୍ଧା ଖାଦ୍ୟ ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ହୋଇଥିବା ତାଲିକାରେ ମୃତ ଧୁନ୍ଦି ମଳିକଙ୍କର ନାମ ଥିଲା। କେବଳ ଧୁନ୍ଦି ନୁହନ୍ତି ଏହି ପରି ପ୍ରାୟ ୨ ଶହରୁ ଅଧିକ ଯୋଗ୍ୟ ହିତାଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା। ମାତ୍ର ବାରିପଦା ବ୍ଲକ୍ ପକ୍ଷରୁ ଏହାକୁ କାଟଛାଟ କରାଯାଇଛି । ଫଳରେ ରନ୍ଧା ଖାଦ୍ୟ ପାଇବାରୁ ଅନେକ ବାଦ ପଡ଼ିଯାଇଛନ୍ତି । ଏହାକୁ ନେଇ ପିଡି ଡିଆରଡ଼ିଏଙ୍କ ଦୃଷ୍ଟି ଆକର୍ଷଣ କରାଇବା ପରେ ବର୍ତ୍ତମାନ ୪୦ରୁ ବୃଦ୍ଧି ପାଇ ୫୫ ଜଣଙ୍କୁ ରନ୍ଧା ଖାଦ୍ୟ ମିଳୁଛି । ବାରିପଦା ବ୍ଲକ୍ ପ୍ରଶାସନ ଉକ୍ତ ଲୋଧା ସମ୍ପ୍ରଦାୟ ବୃଦ୍ଧାଙ୍କର ମୃତ୍ୟୁ ନିମନ୍ତେ ଉତ୍ତରଦାୟୀ ବୋଲି ଅଭିଯୋଗ ହୋଇଛି। ନିୟମିତ ରନ୍ଧା ଖାଦ୍ୟ ପାଉଥିଲେ ବୋଧହୁଏ ଧୁନ୍ଦି ବଞ୍ଚିଥାଆନ୍ତେ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି।

ଏହି ପଞ୍ଚାୟତର ତଥା ପାଖ ପଞ୍ଚାୟତରେ ରନ୍ଧାଖାଦ୍ୟ ଯୋଗ୍ୟ ବ୍ୟକ୍ତିମାନଙ୍କୁ ମିଳୁନଥିବା ଅଭିଯୋଗ ସମ୍ପର୍କିତ ଖବର ପୂର୍ବରୁ ପ୍ରକାଶିତ ହୋଇଥିଲା। ୨ ଶହରୁ ଅଧିକ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ୭୫ ଜଣଙ୍କୁ ଦେବା ନିମନ୍ତେ ବିଡିଓ ନିର୍ଦ୍ଦେଶ ଦେଇଥିଲେ । ଫଳରେ ସ୍ଥାନୀୟ ୮ଟି ଏସଏସଜି ଗ୍ରୁପ୍ ପକ୍ଷରୁ ନିଜସ୍ୱ ଖର୍ଚ୍ଚରେ ଦୈନିକ ୧୨୫ ଜଣଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ମାତ୍ର ପ୍ରଶାସନ ଏହା ଉପରେ ବିହିତ ପଦକ୍ଷେପ ନେବା ବଦଳରେ ନୀରବଦ୍ରଷ୍ଟା ସାଜିଥିଲେ । ଫଳରେ କରୋନାରେ ଖାଦ୍ୟ ଅଭାବରୁ ଜଣେ ମରିବା ଭଳି ବିଷୟ ଉଠିଛି। ତେବେ ଲୋଧାମାନଙ୍କର ବିକାଶ ନିମନ୍ତେ ପ୍ରଚୁର ଅର୍ଥ କୁଆଡ଼େ ଯାଉଛି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଏହି ଅନାହାର ମୃତ୍ୟୁ ଅଭିଯୋଗକୁ ନେଇ ବାରିପଦା ବିଡିଓ ସରୋଜ କୁମାର ଦାଶଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ। ସେହିପରି ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ବାରିପଦା ପିଏ ଆଇଟିଡିଏ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଅଭିଯୋଗ ଉପରେ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।

ମୃତ ଧୁନ୍ଦି ମଳିକ ଖାଦ୍ୟ ଖାଇବାକୁ ନ ପାଇ ଆଜି ରାତି ପ୍ରାୟ ସାଢ଼େ ୩ଟାରେ ମୃତ୍ୟୁବରଣ କରିଥିବା ଜଟ ଭକ୍ତା ପ୍ରକାଶ କରିଛନ୍ତି । ରାସନ୍ କାର୍ଡ ଜରିଆରେ ଚାଉଳ ପାଉଥିଲେ। ମାତ୍ର ମୃତକଙ୍କୁ ରାନ୍ଧିବାଡ଼ି ଦେବା ନିମନ୍ତେ କେହି ନଥିଲେ । ଫଳରେ ଖାଇବାକୁ ନ ପାଇ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେହିପରି ଉକ୍ତ ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ତଥା ଅନ୍ଧୁଣି ପାଗଳୀ ଭକ୍ତା ରନ୍ଧା ଖାଦ୍ୟ ପାଉ ନାହାନ୍ତି ଅଥବା ଭତ୍ତା ପାଉନଥିବାର ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର