ମାଲକାନଗିରିରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ

କଟକ : ମାଲକାନଗିରିରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ମାଧ୍ୟମରେ ସରକାର ଷ୍ଟାଟସ୍‌ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖକୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଦୁରା ଗୌଡ଼ଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ତଦନ୍ତର ସ୍ଥିତି ସଂପର୍କରେ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ସ୍ବାମୀ ବୁଦୁରା ଗୌଡ଼ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଘଟଣାର ସିବିଆଇ, କ୍ରାଇମବ୍ରାଞ୍ଚ କିମ୍ବା କୌଣସି ସ୍ବାଧୀନ ଏଜେନ୍ସି ମାଧ୍ୟମରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରିଛନ୍ତି। ଏପରିକି, ପୁଲିସ ତଦନ୍ତ ଠିକ୍ ଭାବେ କରୁ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୁଲିସ ତଦନ୍ତ ସନ୍ତୋଷଜନକ ନଥିବାବେଳେ ମାମଲାର ସିବିଆଇ, କ୍ରାଇମବ୍ରାଞ୍ଚ୍‌ କିମ୍ବା କୌଣସି ସ୍ବାଧୀନ ଏଜେନ୍ସି ଦ୍ବାରା ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ମାଲକାନଗିରି ଏସ୍‌ପି ଓ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆକାଶ ଭୂୟାଁ ମାମଲା ପରିଚାଳାନା କରୁଛନ୍ତି।

ସମ୍ବନ୍ଧିତ ଖବର