ନକ୍ସଲଙ୍କ ଉପରେ ମାନ୍ଦାବସ୍ଥାର ପ୍ରଭାବ : ମାଓ କ୍ୟାମ୍ପରୁ ଖସି ଆସିଲେ ଅପହୃତ ବଣ୍ଡା ଯୁବକ

ଜଙ୍ଗଲରେ ୧୫ କିମି ‌ଦୌଡ଼ି ଘରେ ପହଞ୍ଚିଲେ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ମାଲକାନଗିରି : ମାଓ ସଂଗଠନ ଉପରେ ମାନ୍ଦାବସ୍ଥାର ପ୍ରଭାବ। ଟଙ୍କା ଅଭାବ ଯୋଗୁଁ ଦୈନନ୍ଦିନ ସାମଗ୍ରୀ ବି କିଣିପାରୁ ନାହାନ୍ତି। ତେଣୁ ଟଙ୍କା ଯୋଗାଡ଼ କରିବାକୁ ଯୋଜନା କରୁଛନ୍ତି। ଦାଦାବଟି ସାଙ୍ଗକୁ ଅନ୍ୟାନ୍ୟ ସୂତ୍ରରୁ ଟଙ୍କା କିଭଳି ମିଳିବ ସେଥିପାଇଁ ଘୂରି ବୁଲୁଛନ୍ତି। ମାଓ କ୍ୟାମ୍ପରୁ ଜଣେ ବଣ୍ଡା ଯୁବକ ଖସି ଆସିବା ପରେ ଏହା ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ପଞ୍ଚାୟତର ଜଣେ ଯୁବକଙ୍କୁ ଦୁଇ ଦିନ ତଳେ ମାଓବାଦୀ ଅପହରଣ କରି ନେଇଥିଲେ। ଯୁବକ ଜଣକ ହେଲେ ବଣ୍ଡାଘାଟି ଫୁରସୁଗୁଡା ଗାଁର ଭାସ୍କର କିରସାନି। ସେ ଜାଳେଣି କାଠ ସଂଗ୍ରହ କରିବାକୁ ଗାଁ ଠାରୁ ଅଳ୍ପ ଦୂରରେ ଥିବା ଜଙ୍ଗଲକୁ ଯାଇଥିଲେ। ହଠାତ୍ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ। ଜୋର ଜବରଦସ୍ତ ନକ୍ସଲ ତାଙ୍କୁ ସାଥୀରେ ନେଇ ଯାଇଥିଲେ। ଦୁଇ ଧରି ଘଞ୍ଚ ଜଙ୍ଗଲରେ ରଖିଥିଲେ। ବିଭିନ୍ନ ବିଷୟରେ ପଚାରିବା ସହ ସେହି ଅଞ୍ଚଳର ସାହୁକାର, ଜମିଦାର ଏବଂ ଠିକାଦାରଙ୍କ ସଂପର୍କରେ ବିସ୍ତୃତ ବିବରଣୀ ମାଗିଥିଲେ। ତେବେ ଭାସ୍କର ଏସବୁ ବିଷୟରେ କିଛି ଜାଣିନଥିବା କହିଥିଲେ। ଏଥିରେ କ୍ରୋଧିତ ନକ୍ସଲ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାରମ୍ବାର ଗୋଟିଏ କଥାକୁ ପଚାରିବା ପରେ ସମାନ ଉତ୍ତର ଶୁଣି ଦିନ ତମାମ ପିଟିଥିଲେ। ଏଥିରେ ଭାସ୍କର ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା। ସେ କିଛି ଜାଣି ନଥିବାରୁ ଛାଡ଼ି ଦେବାକୁ ନେହୁରା ହୋଇଥିଲା। ତଥାପି ନକ୍ସଲ ତାଙ୍କୁ ନଛାଡ଼ି ଛୋଟମୋଟ କାମରେ ନିୟୋଜିତ କରିଥିଲେ। ଖାଇ ସାରିବା ପରେ ଅଇଁଠା ବାସନ ମାଜିବାକୁ ବି ଦେଇଥିଲେ। ଭାସ୍କର ବାସନ ଧୋଇବା ଆଳରେ ସେଠାରୁ ଖସି ଚାଲି ଆସିଥିଲା। ଜଂଗଲରେ ପ୍ରାୟ ୧୫ କିଲୋମିଟର ବାଟ ଦୌଡି ଦୌଡି ନିଜ ଗାଁ ଫୁରସାଗୁଡାରେ ପହଞ୍ଚିଥିଲେ।

ଅନ୍ୟପଟେ ଦୁଇ ଦିନ ଧରି ଘରକୁ ଫେରି ନଥିବାରୁ ପରିବାର ଲୋକ ମୁଦୁଲିପଡ଼ା ଥାନାରେ ଏତଲା ଦେଇ ଖୋଜାଖୋଜି ଜାରି ରଖିଥିଲେ। ହଠାତ୍ ଭାସ୍କର ଘରେ ରକ୍ତାକ୍ତ ଅବସ୍ଥାରେ ପହଞ୍ଚିବା ସମସ୍ତଙ୍କୁ ଚକିତ କରିଥିଲା। ଦୁଇ ଦିନ ଧରି ସେ କିଭଳି ନକ୍ସଲଙ୍କ ଦ୍ବାରା ନିର୍ଯାତିତ ହୋଇଥିଲା କହିବା ପରେ ମେଡିକାଲ ନିଆଯାଇଥିଲା। ପ୍ରଥମେ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଶେଷ ଖବର ସୁଦ୍ଧା ଚିକିତ୍ସା ଜାରି ରହିଥିଲା।

ଭାସ୍କରଙ୍କ କହିବା ଅନୁଯାୟୀ, ନକ୍ସଲ ତାଙ୍କୁ ବାରମ୍ବାର ଏଠାକାର ପୁଞ୍ଜିପତିଙ୍କ ସଂପର୍କରେ ପଚାରିଥିଲେ। କିଛି ଲୋକଙ୍କ ନାମ ନେଇ ସେମାନଙ୍କ ପାଖରେ କେତେ କ’ଣ ସଂପତ୍ତି ରହିଛି ଜାଣିବାକୁ ଚାହିଁଥିଲେ। ଏଥିରୁ ନକ୍ସଲ ସଂଗଠନରେ ଅର୍ଥର ଘୋର ଅଭାବ ରହିଥିବା ଅନୁମାନ କରାଯାଉଛି। ତେଣୁ ନକ୍ସଲ ଏବେ ଟଂକା ଯୋଗାଡ ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ସେଣ୍ଟ୍ରାଲ କମିଟିରୁ ବି ପୂର୍ବଭଳି ଆଉ ଟଙ୍କା ଆସୁନଥିବା ଜଣାପଡ଼ିଛି। ଏପରିକି ଲୋକଙ୍କୁ ଧମକାଇ ଟଙ୍କା ଆଦାୟ କରିବା ବି ସହଜ ହେଉନି। ଯାହାଫଳରେ ଆବଶ୍ୟକ ହତିଆର ସହ ଦୈନନ୍ଦିନ ସାମଗ୍ରୀ ମଧ୍ୟ କିଣିବା ସଂଗଠନ ପାଇଁ କଷ୍ଟକର ହୋଇଯାଇଛି। ତେବେ ସଂଗଠନର କିଛି ଗୋପନ କଥା ଭାସ୍କର ଦୁଇ ଦିନ ମଧ୍ୟରେ ଜାଣିପାରି ଥିବାରୁ ଜୀବନରେ ମାରିଦେବାକୁ ନକ୍ସଲ ଚିନ୍ତା କରୁଥିଲେ ବୋଲି ଜଣାପଡ଼ିଛି। ସୌଭାଗ୍ୟ ବଶତଃ ସେ ବର୍ତି ଯାଇଥିବାରୁ ସଂଗଠନର ଆର୍ଥିକ ସ୍ଥିତି ସଂପର୍କରେ ପଦାକୁ ସୂଚନା ଆସିଛି।

ବଣ୍ଡାଘାଟିରେ ଏକ ପ୍ରକାର ସୁପ୍ତ ଅବସ୍ଥାକୁ ଚାଲି ଆସିଥିଲେ ନକ୍ସଲ। କିନ୍ତୁ ଏହି ଅପହରଣ ଘଟଣା ପରେ ମାଓବାଦୀ ଲେଉଟିଥିବା ସ୍ପଷ୍ଟ ହୋଇଛି। ଯାହାକି ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ସଂଚାର କରିଛି। ଗତ ମାସ ପୁଲିସ ଏହି ବଣ୍ଡାଘାଟିରେ ଜଣେ ହାର୍ଡକୋର ନକ୍ସଲକୁ ମାରିଥିବା ବେଳେ ଜଣେ ଯବାନଙ୍କୁ ମଧ୍ୟ ହରାଇଥିଲା। ଏହାସତ୍ତ୍ବେ ନକ୍ସଲ ବଣ୍ଡାଘାଟି ଛାଡ଼ି ନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର