ବାରିପଦା: ସ୍ଥାନ ମୟୂରଭଞ୍ଜ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ। ସମୟ ଦିନ ପ୍ରାୟ ୧୦ଟ‌ା ହେବ। ହଠାତ୍‌ ଜିଲ୍ଲାପାଳଙ୍କ ସମ୍ମିଳିନୀ କକ୍ଷ ବାରଣ୍ଡାରେ ମହିଳା, ପୁରୁଷ ମିଶି ୪୫ରୁ ଅଧିକ ଲୋକ ତଳେ ବସି ଖାଇବାରେ ଲାଗିଥିଲେ। ସାଙ୍ଗରେ ଆଣିଥିଲେ ପଖାଳ, ଆମ୍ବ ଓ ଆଚାର। କାହାରି କାହାରି କେଟିଲ୍‌ ଭିତରକୁ ହାତ ଗଲେ ତୋରାଣି ସିନା ଆସୁଥିଲା, ହେଲେ ଭାତ ଦେଖିବାକୁ ମିଳୁ ନ ଥିଲା। ଆଉ କେତେଜଣଙ୍କ ଆଖିକୋଣରୁ ଲୁହ ବି ଜକେଇ ଆସୁଥିଲା। ଜିଲ୍ଲାପାଳଙ୍କୁ ନିଜର ଗୁହାରି ଜଣାଇବା ପାଇଁ ଆସିଥିଲେ। ହେଲେ ଭୋକ ସମ୍ଭାଳି ନପାରି ଏମିତି ଖାଇବାକୁ ବସିଥିଲେ। ସେମାନଙ୍କ ଜମିକୁ କିଛି ଲୋକ ଅକ୍ତିଆର କରିନେଇଥିବା ଏବଂ ଚାଷ କରିବାକୁ ଗଲେ ଗଣ୍ଡଗୋଳ କରୁଥିବା ସଂପର୍କରେ ଗୁହାରି କରିବାକୁ ଆସିଥିଲେ।

Advertisment

ଏହି ଲୋକମାନଙ୍କ ଘର ହେଉଛି ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କେଶଡ଼ିହା ପଞ୍ଚାୟତର ଚାନ୍ଦିଖମଣ ଗାଁରେ। ଆଜି ସକାଳ ୫ଟାରେ ଏକ ପିକ୍‌ଅପ୍‌ ଗାଡ଼ିରେ ଲଦାଲଦି ହୋଇ ପାଖାପାଖି ୧୦ଟା ସମୟରେ ବାରିପଦାରେ ପହଞ୍ଚିଥିଲେ। ସେମାନଙ୍କ କହିବା କଥା, ୧୯୫୨ ମସିହାରୁ ତିନିପିଢ଼ି ଧରି ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଲୋକ ଶିମିଳିପାଳ​ ପାଦଦେଶରେ ଥିବା ଏହି ଗାଁରେ ବସବାସ କରୁଛନ୍ତି। ଜଙ୍ଗଲ ଜମି ଅଧିକାରରେ ଜମି ପଟ୍ଟା ମଧ୍ୟ ସେମାନଙ୍କୁ ଦିଆଯାଇଛି। ହେଲେ, କିଛି  ଲୋକ ଜୋର୍‌ଜବରଦସ୍ତ ସେମାନଙ୍କ ଚାଷ ଜମିକୁ ଅକ୍ତିଆର କରି ରଖିଛନ୍ତି। ଚାଷ କରିବାକୁ ଗଲେ ଗଣ୍ଡଗୋଳ କରୁଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ଓ ପୁଲିସକୁ ଜଣାଇଲେ ସୁଦ୍ଧା କୌଣସି ସମଧାନ ହେଉନାହିଁ। ସେଇଥିପାଇଁ ସେମାନେ ଜିଲ୍ଲାପାଳଙ୍କୁ ଗୁହାରି କରିବାକୁ ଆସିଥିବା କହିଥିଲେ। ନିଜର କୋହଭରା କଣ୍ଠରେ ଗୀତା ମୁର୍ମୁ କହିଥିଲେ, ‘ଗତଥର ଚାଷ କରି ନ ଥିବାରୁ ଯାହା ରାସନ କାର୍ଡରେ ଚାଉଳ ମିଳୁଛି ତାହାକୁ ଖାଉଛୁ। ଆଜି ଯେଉଁ ପଖାଳ ଆଣିଛୁ ତାହା ବି ରାସନ ଚାଉଳର ଭାତ। ଜମିକୁ ଗଲେ ବର୍ଷକ ପାଇଁ ଖାଦ୍ୟ ରଖିହୁଏ। ହେଲେ, ଆ​ମ ଜମିକୁ ଆମେ ଚାଷ କରିପାରୁନୁ। ଜିଲ୍ଲାପାଳ ଆମକୁ ନ୍ୟାୟ ଦିଅନ୍ତୁ ଅଥବା ଆମକୁ ଏହିଠାରେ ରହି ଗୁଜୁରାଣ ମେଣ୍ଟାଇବାକୁ ଦିଅନ୍ତୁ।’ ଏକ ଗୁରୁତ୍ବପୂର୍ଣ୍ଣ ଭିଡିଓ କନ୍‌ଫେରେନ୍ସ (ଭିସି)ରେ ଜିଲ୍ଲାପାଳ ବ୍ୟସ୍ତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ସେଠାରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ। ତେବେ, ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଉଠିବେନି ବୋଲି ସେମାନେ ଅଡ଼ି ବସିଥିଲେ। ପରେ ଜିଲ୍ଲାପାଳ ପହଞ୍ଚି ଦାବି ଶୁଣିବା ସହ ସମାଧାନ ପାଇଁ ସେମାନଙ୍କୁ ପ୍ରତିଶ୍ରୁତି ଦେବାପରେ ସେମାନେ ଗାଁକୁ ଫେରିଥିଲେ।

ଏନେଇ ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି, ଗତବର୍ଷ ଜୁନ୍‌ ୬ରେ ଜମିଜମାକୁ କେନ୍ଦ୍ରକରି ଏଠାରେ ଏକ ହତ୍ୟାକାଣ୍ଡ ହୋଇଥିଲା। ଯେଉଁ ଜମିରେ ସେମାନେ ଚାଷବାସ କରିବାକୁ ଚାହୁଛନ୍ତି, ଉଚ୍ଚନ୍ୟାୟାଳୟ ପକ୍ଷରୁ ଷ୍ଟାଟସ୍‌କୋ ବଜାୟ ରଖିବାକୁ କୁହାଯାଇଛି। ହାଇକୋର୍ଟଙ୍କୁ ଅବଗତ କରିବା ସହ କିପରି ଏହାର ସ୍ଥାୟୀ ସମାଧାନ ହେବ ସେନେଇ ବ୍ୟବସ୍ଥା କରିବୁ ବୋଲି ସେ କହିଛନ୍ତି।