କୁତ୍ରା: ମୁଦ୍ରାର ପ୍ରଚଳନ ପୂର୍ବରୁ ଜିନିଷ ବଦଳରେ ଜିନିଷ ଦେଣନେଣ ଥିଲା। ମୁଦ୍ରାର ପ୍ରଚଳନ ପରେ ଏହି ପ୍ରଥା ପ୍ରାୟତଃ ଲୋପ ପାଇଯାଇଥିଲା। ତଥାପି କେତେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ବି ଅଦଳବଦଳ ପ୍ରଥା ଚାଲିଛି। ଆଦିବାସୀଙ୍କ ସରଳତା ସୁଯୋଗ ନେଇ ବେପାରୀ ଚତୁରତାର ସହ ଅଦଳବଦଳ ପ୍ରକ୍ରିୟାରେ ସେମାନଙ୍କୁ ଶୋଷଣ କରୁଥିବା ଜଣାଯାଇଛି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସାପ୍ତାହିକ ହାଟରେ ରବିବାର ଓ ବୁଧବାର କିଣାବିକାରେ ଏହି ଅଦଳବଦଳ କାରବାର ଦେଖିବାକୁ ମିଳୁଛି। ଗ୍ରାମୀଣ ମହିଳାମାନେ ଜଙ୍ଗଲଜାତ ଦ୍ରବ୍ୟ ତଥା ମହୁଲଫୁଲ, ଚାରମଞ୍ଜି, ଶାଳମଞ୍ଜି, ଆମ୍ବ ଟାକୁଆ ପ୍ରଭୃତି ବେପାରୀକୁ ଦେଇ ତା’ ବଦଳରେ ନିଜର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିଶେଷ ଭାବେ ଲୁଣ ନେଉଥିବା ଦେଖାଯାଏ। କଷ୍ଟଲବ୍ଧ ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉନାହାନ୍ତି ଆଦିବାସୀ। ସିଂହଭାଗ ଦଲାଲ, ବେପାରୀଙ୍କ ହାତକୁ ଚାଲିଯାଉଛି।
ବଜାରରେ ଚାହିଦା ନାହିଁ କହି ବେପାରୀ ଲୁଣ ବଦଳରେ ମୂଲ୍ୟବାନ ଜଙ୍ଗଲଜାତ ଦ୍ରବ୍ୟ ନେଇ ମାଲାମାଲ ହେଉଥିବା ବେଳେ ପୂରା ପରିବାରର ଦିନଦିନର ଖଟଣି ପରେ ବି ଭଲ ମୁଠେ ଦାନା ପାଇ ପାରୁନାହିଁ। ଆଦିବାସୀ, ବନବାସୀମାନେ ଟୋକେଇ, ବସ୍ତାରେ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ଆଣି ବେପାରୀଙ୍କଠାରୁ ଲୁଣ ନିଅନ୍ତି। ଅନ୍ୟପଟେ ସରକାରୀ ଦର, ନୀତିନିୟମ ଥିଲେ ବି ଆଦିବାସୀଙ୍କ ପାଖରେ ସେ ସମ୍ପର୍କିତ ସୂଚନା ପହଞ୍ଚି ପାରୁନାହିଁ। ସରକାରୀ କଳ, ଟିଡିସିସି ଭଳି ବିଭାଗ ଆଦିବାସୀଙ୍କ ସଚେତନତା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁ ନଥିବା ବେଳେ ଅଦଳବଦଳ ଭଳି ବେଆଇନ କାରବାର ପ୍ରତି ମଧ୍ୟ ପ୍ରତିକ୍ରିୟାଶୂନ୍ୟ ରହୁଥିବା ଅଭିଯୋଗ ହୋଇଛି। ଆଦିବାସୀଙ୍କ ଆର୍ଥିକ ବିକାଶ ପାଇଁ ସରକାର ଲଘୁବନଜାତ ଦ୍ରବ୍ୟର କିଣାବିକାକୁ ବ୍ୟବସ୍ଥିତ କରିବାକୁ ଦର ନିର୍ଦ୍ଧାରଣ, କ୍ରୟବିକ୍ରୟ ନୀତି କାର୍ଯ୍ୟକାରୀ ହୋଇଥିଲେ ବି ବାସ୍ତବରେ ତାହା ଆଦିବାସୀଙ୍କ ପାଖରେ ପହଞ୍ଚୁ ନାହିଁ।