ରାଜନୀତି ଅଧିକ, ଦରଦ କମ୍: ବିପଦରେ ଆଦିବାସୀ ଶିଶୁ

ଜନ୍ମରୁ ୨୮ ଦିନରେ ମରୁଛନ୍ତି ପ୍ରତି ହଜାରରେ ୪୨ ନବଜାତକ

ଭୁବନେଶ୍ବର : ସମୟ ପୂର୍ବରୁ ଜନ୍ମ, ପ୍ରସବ ସମ୍ବନ୍ଧୀୟ ଜଟିଳତା ଅର୍ଥାତ୍ ଜନ୍ମ ସମୟରେ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ସଂକ୍ରମଣ ଏବଂ ତ୍ରୁଟିପୂର୍ଣ୍ଣ ପ୍ରସବ କାରଣରୁ ନବଜାତକଙ୍କର ପ୍ରାଣଯାଉଛି। କିଛି ନବଜାତକ ଜନ୍ମରୁ ନିମୋନିଆ, ମ୍ୟାଲେରିଆ, ଅପପୁଷ୍ଟି ଭଳି ସଙ୍ଗିନ୍ କାରଣରୁ ମୃତ୍ୟୁ ମୁହଁକୁ ଠେଲି ହୋଇଯାଉଛନ୍ତି।

ରାଜ୍ୟରେ ପ୍ରତି ହଜାରରେ ହାରାହାରି ୨୭ଜଣ ଶିଶୁ ଜନ୍ମ ହେବାର ପ୍ରଥମ ଚାରି ସପ୍ତାହ ମଧ୍ୟରେ ଏସବୁ କାରଣରୁ ମୃତ୍ୟୁବରଣ କରୁଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ପଞ୍ଚମ ରିପୋର୍ଟ କହୁଛି। ହେଲେ ଉଦ୍‌ବେଗର ବିଷୟ ହେଉଛି ଯେ ଓଡ଼ିଶାର ପାଖାପାଖି ୨୨.୮୫% (୨୦୧୧ ଜନଗଣନା ଅନୁସାରେ) ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରେ ଏହାର ଅନୁପାତ ହୃଦୟ ଥରାଇ ଦେବାଭଳି। ଏହି ବର୍ଗରେ ଯେତିକି ଶିଶୁ ଜନ୍ମ ହେଉଛନ୍ତି, ଉପରୋକ୍ତ କାରଣ ଲାଗି ସେମାନଙ୍କ ମଧ୍ୟରୁ ପ୍ରଥମ ୨୮ ଦିନ ମଧ୍ୟରେ ପ୍ରତି ହଜାରରେ ହାରାହାରି ୪୨ ଜଣ (୪୧.୬)ଙ୍କର ଜୀବନ ରକ୍ଷା ସମ୍ଭବ ହେଉନାହିଁ।

୬୬ ଜଣ ଶିଶୁ ପାଞ୍ଚବର୍ଷ ବଞ୍ଚିବା ମୁସ୍କିଲ୍ ହୋଇପଡ଼ୁଛି
ପ୍ରତି ଶହରେ ୭୩ ଶିଶୁ, ୭୨ ମହିଳା ରକ୍ତହୀନତାର ଶିକାର
ଗର୍ଭଧାରଣ ସମୟରେ ମହିଳାଙ୍କ ପ୍ରତି ହିଂସା ବି ବଢ଼ାଇଲାଣି ଚିନ୍ତା

ବର୍ଷତମାମ ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ନେଇ ଦେଶର ସମସ୍ତ ରାଜନୈତିକ ଦଳ ରାଜନୀତି କରୁଛନ୍ତି। ହେଲେ ସବୁଠାରୁ ସମ୍ବେଦନଶୀଳ ଏହି ବର୍ଗର ଲୋକଙ୍କ ସ୍ଥିତି କେତେ ସଙ୍ଗିନ୍ ରହିଛି, ତାହା ଏଥିରୁ ଯେ କେହି ଅନୁମାନ କରିପାରିବ। ଭାତ ହାଣ୍ଡିରୁ ଗୋଟିଏ ନେବା ଭଳି କେବଳ ଏସ୍‌ଟି ବା ଆଦିବାସୀ ଶିଶୁଙ୍କ ସ୍ବାସ୍ଥ୍ୟ କଥାକୁ ବିଚାରକୁ ନେଲେ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚି ହେଉଛି; ଏମାନେ ରାଜନୈତିକ ନେତାଙ୍କ ପଶାପାଲିର ଗୋଟି ପାଲଟିଛନ୍ତି ଓ ସମାଜର ଅତି ଦୁର୍ବଳସ୍ତରରେ ଥିବା ଏହି ବଡ ଗୋଷ୍ଠୀକୁ ରୁଗ୍‌ଣ କରିବା ଲାଗି କେଉଁଠି ନା କେଉଁଠି ଭୀଷଣ ଷଡ୍‌ଯନ୍ତ୍ର ଚାଲିଛି।
କେନ୍ଦ୍ର ସରକାରଙ୍କ ବଜେଟ୍‌ ଏ ଦିଗରେ ଆଦୌ ଲକ୍ଷ୍ୟଭେଦୀ ନୁହେଁ, ରାଜ୍ୟ ସରକାରଙ୍କ ବଜେଟ୍‌, ଯୋଜନା ବା କାର୍ଯ୍ୟକ୍ରମ ବି। କିଛି କ୍ଷେତ୍ରରେ ବାର୍ଷିକ ବ୍ୟୟ ଅଟକଳ ସମୟରେ ରାଜ୍ୟ ସରକାର ଅଧିକ ଅର୍ଥ ବ୍ୟୟବରାଦ କରୁଥିଲେ ହେଁ ଠୋସ୍ ଲକ୍ଷ୍ୟ ହାସଲରେ କେହି ସମର୍ଥ ହୋଇନାହାନ୍ତି। ସଂପ୍ରତି ଦେଶରେ ଜଣେ ଆଦିବାସୀ ବର୍ଗର ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଯେତେବେଳେ ପୂରା ଭାରତର ରାଜନୀତି ଚର୍ଚ୍ଚାରେ ରହିଛି, ଠିକ୍ ସେହି ସମୟରେ ବୁଦ୍ଧିଜୀବୀ ଓ ବିଶେଷଜ୍ଞମାନଙ୍କୁ ଏହି ଚିତ୍ରଗୁଡିକ ବିଶେଷ ଭାବରେ ଆନ୍ଦୋଳିତ କରୁଛି।

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ପଞ୍ଚମ ରିପୋର୍ଟକୁ ତର୍ଜମା କଲେ ଦେଖାଯାଉଛି ଯେ ରାଜ୍ୟରେ ପ୍ରତି ହଜାରରେ ଶିଶୁ ମୃତ୍ୟୁ ହାର ୩୬ ରହିଛି। ହେଲେ ଆଦିବାସୀ ଶିଶୁଙ୍କ କ୍ଷେତ୍ରରେ ଏହା ହେଉଛି ୫୬। ୫ବର୍ଷର ଶିଶୁଙ୍କ ମୃତ୍ୟୁହାରକୁ ଯଦି ମାପକାଠି କରାଯାଏ, ତେବେ ଆହୁରି ଭୀଷଣ ଚିତ୍ର ସାମ୍ନାକୁ ଆସୁଛି। ରାଜ୍ୟରେ ଏ କ୍ଷେତ୍ରରେ ପ୍ରତି ହଜାରରେ ହାରହାରି ମୃତ୍ୟୁ ସଂଖ୍ୟା ୪୧.୧ ରହିଛି। କିନ୍ତୁ ଆଦିବାସୀଙ୍କ କ୍ଷେତ୍ରରେ ଆହୁରି ଅଧିକ ୨୫ ଶିଶୁ ମୃତ୍ୟୁକୁ ସାମ୍ନାରେ ଦେଖୁଛନ୍ତି। ସରଳ ଭାବେ କହିଲେ, ରାଜ୍ୟରେ ପ୍ରତି ହଜାରରେ ୬୬.୨ ଜଣ ଆଦିବାସୀ ଶିଶୁର ଆୟୁଷ ପାଞ୍ଚବର୍ଷ ଟପୁନାହିଁ। ଏହାଠାରୁ ଆଉ ବିଚଳିତ କରିବା ଭଳି ତଥ୍ୟ କ’ଣ ହୋଇପାରେ?

ପ୍ରଶ୍ନ ଉଠୁଛି, ବର୍ଷ ବର୍ଷ ଧରି ଅନୁସୂଚିତ ଜନଜାତି ବର୍ଗ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାର ତେବେ ଲାଭାର୍ଥୀ କିଏ? ରାଜ୍ୟ ସରକାରଙ୍କ ବଜେଟ୍‌ର ଏକ ବିଶେଷ ଅଂଶ ଯଦି ଏମାନଙ୍କ ଲାଗି ସମର୍ପିତ, ତେବେ ଏହି ଶିଶୁମାନଙ୍କ ପାଖରେ ଏସବୁ ପହଞ୍ଚୁନି କାହିଁକି? କେଉଁମାନେ ସରକାରଙ୍କ ଯୋଜନା ଓ ଆଦିବାସୀଙ୍କ ବିକାଶ ମଧ୍ୟରେ ପାଚେରି ହୋଇ ଠିଆ ହୋଇଛନ୍ତି। ଆହୁରି ଆଚମ୍ବିତ କରୁଛି ଯେ ରାଜ୍ୟ ସରକାର ନ୍ୟୁଟ୍ରିସନ୍ ବଜେଟ୍ ପ୍ରସ୍ତୁତ କରୁଛନ୍ତି। ଏହି ବଜେଟ୍‌ ପ୍ରସ୍ତୁତ କରିବା ବେଳେ ଏସବୁ ଦିଗକୁ ସରକାର ବିଚାରକୁ ନେଉଛନ୍ତି ନା ନାହିଁ? କି କି ଠୋସ୍ କାର୍ଯ୍ୟକ୍ରମ ଏଥିରେ ଅନୁସୂଚିତ ଜନଜାତି ବର୍ଗ ପାଇଁ ନିଆଯାଇଛି?

ନା ବିଧାନସଭାରେ ଏହା ଉପରେ ବିତର୍କ ହେଉଛି ନା ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସାମ୍ନାରେ ରଖି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦାବି କରିଛନ୍ତି। ବିଶେଷଜ୍ଞ ମହଲ ଆଉ ଗୋଟିଏ ଦିଗକୁ ଅତି ଗୁରୁତ୍ବର ସହ ନେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଆଦିବାସୀ ବିଭାଗ ମନ୍ତ୍ରାଳୟ ଦାୟିତ୍ବରେ ପାଞ୍ଚବର୍ଷ ଜୁଏଲ୍‌ ଓରାମ ମନ୍ତ୍ରୀ ରହିଲେ; ପୂର୍ବରୁ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଗୋଟିଏ ପୂର୍ଣ୍ଣ ଅବଧି (୫ବର୍ଷ) ଏହି ମନ୍ତ୍ରାଳୟରେ ସେ କାଟିଛନ୍ତି। ଏବେ ମୟୂରଭଂଜ ସାଂସଦ ବିଶେଶ୍ବର ଟୁଡୁ ଏହି ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ଓ ତାଙ୍କ ପାଖରେ ଏହି ବିକଳ ପରିସଂଖ୍ୟାନ ଅବଶ୍ୟ ଥିବ। ହେଲେ ତୁଚ୍ଛା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହିତ ବାରମ୍ବାର ମୁହଁ ଲଢ଼ାଇ ବିତର୍କକୁ ଆସୁଥିବା ଏହି କେନ୍ଦ୍ରମନ୍ତ୍ରୀମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଥରୁଟିଏ ରାଜ୍ୟ ସରକାରଙ୍କୁ ତାଙ୍କର ଉଦ୍‌ବେଗ ଜଣାଇନାହାନ୍ତି କି ସ୍ବତନ୍ତ୍ର କେନ୍ଦ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ ଲାଗି ନିଜସ୍ତରରେ ଉଦ୍ୟମ କରିବା ନଜିର୍ ନାହିଁ।

odishasuntimes.com

ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ ଦୀର୍ଘ ଦିନ ଧରି ଗୋଟିଏ ଗୋଟିଏ ପରିବାର ଅପପୁଷ୍ଟିର ଶିକାର ହୋଇଥିବା କାରଣରୁ ତାଙ୍କର ଉତ୍ତରପିଢି ମଧ୍ୟ ଏହାଦ୍ବାରା ପ୍ରଭାବିତ ହେଲାଣି। ପ୍ରତି ଶହେ ଆଦିବାସୀ ଶିଶୁଙ୍କ ମଧ୍ୟରୁ ୪୨.୧ ଶିଶୁଙ୍କ ଉଚ୍ଚତା କମୁଥିବା ପରିଲକ୍ଷିତ ହେଉଛି। ସାଧାରଣ ଶିଶୁଙ୍କ କ୍ଷେତ୍ରରେ ଏହାର ପରିମାଣ ୩୧ ରହିଛି। ସେହିଭଳି ପ୍ରତି ଶହେ ଆଦିବାସୀ ଶିଶୁଙ୍କ ମଧ୍ୟରୁ ୨୨.୮ ଶିଶୁ ନିର୍ଧାରିତ ଓଜନ ଠାରୁ କମ୍ ରହୁଥିବା ବେଳେ ଅତି କମ୍ ଓଜନର ଶିଶୁଙ୍କ ସଂଖ୍ୟା ପ୍ରତି ଶହେରେ ୮.୫ ରହିଛି।

ବିଶେଷଜ୍ଞ ମହଲ ଆହୁରି ଯେଉଁ ପରିସଂଖ୍ୟାନକୁ ନେଇ ବ୍ୟଥିତ ଅଛନ୍ତି ତାହା ହେଲା, ଆଦିବାସୀ ବର୍ଗର ସିଂହଭାଗ ଶିଶୁ (୭୨.୯%) ଏନେମିଆରେ ଆକ୍ରାନ୍ତ। ସାଧାରଣ ବର୍ଗର ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ଏହା ଚିନ୍ତାଜନକ ସ୍ଥିତିରେ (୬୪.୨%)ଅଛି। କେବଳ ଶିଶୁ ନୁହେଁ, ମହିଳାଙ୍କ ଅବସ୍ଥା ଆହୁରି ଜଟିଳ। ୧୫ରୁ ୪୯ ବର୍ଷ ବୟସର ୭୧.୭% ଆଦିବାସୀ ମହିଳା ମଧ୍ୟ ଏନେମିଆରେ ଆକ୍ରାନ୍ତ। ଏପରିସ୍ଥଳେ ସୁସ୍ଥ ଶିଶୁ ଜନ୍ମ ନେବେ କେମିତି?

ରୋଗାକ୍ରାନ୍ତ ଶିଶୁ ଜନ୍ମ ହେବାର ଆଉ ଗୋଟିଏ ଗୁରୁତର ଦିଗ ହେଉଛି, ଗର୍ଭଧାରଣ କରିବା ସମୟରେ ପ୍ରତି ଶହେରେ ପାଞ୍ଚ ଜଣ ମହିଳା (୧୮ରୁ ୪୯ ବର୍ଷ ବୟସ୍କ) ଘରୋଇ ହିଂସାର ଶିକାର ହେଉଛନ୍ତି। ବିଶେଷଜ୍ଞ କୁହନ୍ତି ଯେ ଏହି ସମୟରେ ଜଣେ ମହିଳାର ଅତିରିକ୍ତ ଗୋଟିଏ ମିଲ୍ ବା ଅଧିକ ଜଣକର ଖାଦ୍ୟ ଆବଶ୍ୟକ ହୋଇଥାଏ। ଏହାବ୍ୟତୀତ ସେମାନଙ୍କ ଠାରେ ମାନସିକ ସ୍ତରରେ ସୁସ୍ଥତା ଯେତିକି ଜରୁରୀ, ଶାରୀରିକ ବିଶ୍ରାମ ମଧ୍ୟ ସେତିକି ଅପରିହାର୍ଯ୍ୟ। ଥରେ ମହିଳା ଯଦି ହିଂସାର ଶିକାର ହୁଏ, ତେବେ ଏସବୁ ତା’ ଠାରେ ଆଶା କରାଯିବା ନିରର୍ଥକ। ଏହାଦ୍ବାରା ପରବର୍ତ୍ତୀ ପିଢ଼ିମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ, ଏକଥା କେହି ଭୁଲିଯିବା ଉଚିତ୍ ନୁହେଁ।

News Reader Board

ଭାରତର ପୋଷଣ ମାନବ ବୋଲି କୁହାଯାଉଥିବା ବସନ୍ତ କୁମାର କର କହିଛନ୍ତି ଯେ ଓଡ଼ିଶା ସରକାର ଅପପୁଷ୍ଟି ରୋକିବା ଲାଗି ଚେଷ୍ଟିତ, ଏକଥା ତାଙ୍କ ପୁଷ୍ଟିକର ବଜେଟ୍ ପ୍ରସ୍ତୁତିରୁ ଜଣାପଡ଼ୁଛି। ଏହାର ଅନେକ ସକାରାତ୍ମକ ପ୍ରଭାବ ବି ଅନୁଭୂତ ହେଲାଣି। ହେଲେ ଆଦିବାସୀଙ୍କ କ୍ଷେତ୍ରରେ ସରକାରଙ୍କୁ ଠୋସ୍ ରଣନୀତି ଆପଣାଇବାକୁ ହେବ। କାରଣ ପୁଷ୍ଟିକର ବଜେଟ୍ ସମୁଦାୟ ଓଡ଼ିଶାକୁ ଲକ୍ଷ୍ୟ ରଖି କରାଯାଇଛି। ଆଦିବାସୀ ବର୍ଗର ଶିଶୁ ଓ ମହିଳା ସ୍ବତନ୍ତ୍ର ଧ୍ୟାନର ଆବଶ୍ୟକ କରନ୍ତି। ଆଶା କରିବା କଥା ଯେ ସରକାର ଏ ଦିଗରେ ପଦକ୍ଷେପ ନେବେ। ଯେହେତୁ ଓଡ଼ିଶା ସରକାର ବିକଶିତ ରାଜ୍ୟର ସ୍ବପ୍ନ ଦେଖୁଛନ୍ତି ଓ ବିଶ୍ବସ୍ତରୀୟ ରାଷ୍ଟ୍ରର ସମକକ୍ଷ ହେବା ଲାଗି ପ୍ରଚେଷ୍ଟା ଚଳାଇଛନ୍ତି, ପାଖାପାଖି ୨୩ ପ୍ରତିଶତ ଲୋକ ପଛରେ ରହିଲେ, ଏ ଲକ୍ଷ୍ୟ ହାସଲ ହେବା କଷ୍ଟକର ବ୍ୟାପାର।

ବିଶେଷଜ୍ଞଙ୍କର କହିବା କଥା ହେଉଛି, ପୁଷ୍ଟିହୀନତାର ସୁଦୂର ପ୍ରସାରୀ ପ୍ରଭାବ ରହିଛି। ଏହାର ପ୍ରଭାବ ଜ୍ଞାନଗତ ଦକ୍ଷତା ଅଥବା ବୁଦ୍ଧି ଉପରେ ମଧ୍ୟ ପଡ଼ିପାରେ। କେବଳ ସେତିକି ନୁହେଁ, ଶରୀରର ଅଭିବୃଦ୍ଧି, ଉତ୍ପାଦକତା ଆଦି ସବୁ ପ୍ରଭାବିତ ହେବ। ବୟସ ଅନୁପାତରେ କମ୍ ଉଚ୍ଚତା, ଜନ୍ମ ସମୟରେ କମ୍ ଓଜନ ଶିଶୁ ପାଇଁ ବିପଦ ଟାଣିଆଣେ। ଯାଜପୁର ଜିଲ୍ଲାର ନଗଡା ହେଉ କି ମାଲକାନଗିରି ଜିଲ୍ଲାରେ ଏଭଳି ଅନେକ ଉଦାହରଣ ରହିଛି। ରାଜ୍ୟ ସରକାର ଏସବୁ ଅଞ୍ଚଳକୁ ଚିହ୍ନଟ କରିବା ସହିତ ସ୍ବତନ୍ତ୍ର ଅଭିଯାନ ଜରିଆରେ ହିଁ ଏଥିରେ ଉନ୍ନତି ଆଣିପାରିବେ।

ସମ୍ବନ୍ଧିତ ଖବର