କଳାହାଣ୍ଡିରେ ଆଦିବାସୀଙ୍କ ଘର ଭଙ୍ଗାକୁ ବିରୋଧ; ମୁଖ୍ୟ ସଚିବଙ୍କ ନିକଟରେ ଫେରାଦି, ତୁରନ୍ତ ଘର, ଜୀବନଜୀବିକାର ମାଧ୍ୟମ ଯୋଗାଇବାକୁ ଦାବି

ଭୁବନେଶ୍ବର : କଳହାଣ୍ଡି ଜିଲ୍ଲାର ଖଣ୍ଡୁଆମାଳି ଜଙ୍ଗଲ ଅଞ୍ଚଳର ସଗଡ଼ା ଗ୍ରାମରେ ୩୨ ଆଦିବାସୀ ପରିବାରଙ୍କ ଘରକୁ ଜଙ୍ଗଲ ବିଭାଗ ଭାଙ୍ଗି ଦେଇଛି। ଏହି ଲକ୍‌ଡାଉନ୍ ଓ ଖରା ସମୟରେ ଏହି ଆଦିବାସୀମାନେ ସେମାନଙ୍କ ପିଲାମାନଙ୍କ ସହ ଖୋଲା ଆକାଶ ତଳେ ବିନା ଖାଦ୍ୟ ଓ ପାଣିରେ ରହିବାକୁ ବାଧ୍ୟ ହୋଇଛନ୍ତି। ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ଆଦିବାସୀଙ୍କ ପ୍ରତି ହୋଇଥିବା ଏହି ଅନ୍ୟାୟର ତୀବ୍ର ପ୍ରତିବାଦ କରିବା ସହ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି।

ଶ୍ରୀ ସାମନ୍ତରା ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଘର ଭଙ୍ଗା ହେଲା ପରେ ଏହି ଆଦିବାସୀମାନେ ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି। ଆଜି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ନାୟକ ସାମ୍ବାଦିକମାନଙ୍କୁ ନେଇ ଆଦିବାସୀମାନଙ୍କୁ ଭେଟିବା ନିମନ୍ତେ ସଗଡ଼ାରେ ପହଞ୍ଚିଲା ପରେ ଜଙ୍ଗଲ ବିଭାଗର ଅଧିକାରୀ ଓ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ଠେଲାପେଲା କରିଥ‌ିଲେ। ଲକ୍‌ଡାଉନ୍ ସମୟରେ ସେମାନଙ୍କୁ ରହିବାର ବିକଳ୍ପ ବ୍ୟବସ୍ଥା ନ ଯୋଗାଇ ଉଚ୍ଛେଦ କରିବା ଠିକ୍ ନୁହେଁ। ଯେତେବେଳେ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟ କରାଯାଉଛି ସେତେବେଳେ ସେହି ଆଦିବାସୀ ଲୋକଙ୍କୁ ବିନା ଘରେ ଓ ବିନା ମାସ୍କରେ ରହିବାକୁ ପଡ଼ୁଛି। ଯେଉଁ ଅଧିକାରୀମାନେ ଆଦିବାସୀଙ୍କ ବିରୋଧରେ ଏପରି ବେଆଇନ ଓ ଅମାନବିକ କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କୁ କ‌େରାନା ମହାମାରୀ ସମୟରେ ସାମାଜିକ ଦୂରତା ନିୟମ ଭାଙ୍ଗିବାକୁ ବାଧ୍ୟ କରିଛନ୍ତି, ସେହି ଅଧିକାରୀମାନଙ୍କୁ ନିଲମ୍ବନ କରାଯାଉ। କ୍ଷତିଗ୍ରସ୍ତ ଆଦିବାସୀଙ୍କୁ ଘର ଦିଆଯିବା ସହ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ଓ ଜୀବନଜୀବିକା ନିଶ୍ଚିତ କରାଯାଉ। ଏ ଦିଗରେ ତୁରନ୍ତ ତଦନ୍ତ କରାଯାଇ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଶ୍ରୀ ସାମନ୍ତରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର