ଭୁବନେଶ୍ବର: ସରକାର ଆଦିବାସୀଙ୍କ କଲ୍ୟାଣ ବାବଦରେ ଖର୍ଚ୍ଚ କରିବାକୁ ଟଙ୍କା ଦେଉଥିଲେ। କିନ୍ତୁ ଅଧିକାଂଶ ଟଙ୍କା ଯନ୍ତ୍ରୀମାନଙ୍କ ପକେଟ୍‌କୁ ଯାଉଥିଲା। କାର୍ଯ୍ୟ ଦାୟିତ୍ବରେ ଥିବା‌ ଯନ୍ତ୍ରୀମା‌ନେ ସରକାରୀ ଅର୍ଥକୁ ନିଜ ବ୍ୟକ୍ତିଗତ ଖାତାକୁ ପଠାଉଥିଲେ। ସେହି ଟଙ୍କାକୁ ଏଟିଏମ୍‌ ଜରିଆରେ ଉଠାଉଥିଲେ ଏବଂ ୟୁପିଆଇ ଜରିଆରେ ଅନ୍ୟକୁ ପଠାଉଥିଲେ। ମୋବାଇଲ୍‌ ରିଚାର୍ଜ କରୁଥିଲେ। ବିଦ୍ୟୁତ୍‌ ଓ ପାଣି ବିଲ୍ ଦେଉଥିଲେ। ମ୍ୟୁଚୁଆଲ୍‌ ଫଣ୍ଡ୍‌ ଓ ଷ୍ଟକ୍ ବଜାରରେ ନିବେଶ କରୁଥିଲେ। ଚେକ୍‌ ଜରିଆରେ ଟଙ୍କା ଉଠାଉଥିଲେ। ନିଜ ବ୍ୟକ୍ତିଗତ ବୀମାର ପ୍ରିମିୟମ ଦେଉଥିଲେ। ଅର୍ଥ ହଡ଼ପକାରୀମାନେ ଆଦିବାସୀମାନଙ୍କୁ ବି ଛାଡ଼ିନାହାନ୍ତି। ସବୁ ପ୍ରକାର ସମ୍ଭବ ବାଟରେ ସେମାନେ ଆଖିବୁଜା ଟଙ୍କା ହଡ଼ପ ଓ ଆତ୍ମସାତ କରିଛନ୍ତି। ଆଦିବାସୀ କଲ୍ୟାଣ ଓ ବିକାଶମୂଳକ ଯୋଜନାର ପାଣ୍ଠିକୁ କିଭଳି ଆଖିବୁଜା ହଡ଼ପ କରାଯାଇଛି, ତାହା ଉପରୁ ଏଭଳି ଢଙ୍ଗରେ ପରଦା ଉଠାଇଛନ୍ତି ସିଏଜି। 

Advertisment

ବୁଧବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥାପନ କରିଥିବା ୨୦୨୩ ମାର୍ଚ୍ଚ ସୁଦ୍ଧା ଅନୁପାଳନ ସମୀକ୍ଷା ରିପୋର୍ଟରେ ଅନେକ ସାଂଘାତିକ ତଥ୍ୟ ରହିଛି। ଆଦିବାସୀଙ୍କ କଲ୍ୟାଣ ‌ଯୋଜନାରେ ଦିଆଯାଇଥିବା ୧୪୮.୭୫ କୋଟି ଟଙ୍କାକୁ କାମ ଦାୟିତ୍ବରେ ଥିବା ଯନ୍ତ୍ରୀମାନେ ମିଳିମିଶି ଖାଇଛନ୍ତି।  ବିଭାଗୀୟ କାମ ପାଇଁ କନିଷ୍ଠଯନ୍ତ୍ରୀ (ଜେଇ) ଓ ସହକାରୀ ଯନ୍ତ୍ରୀ (ଏଇ)ମାନଙ୍କ ଦ୍ବାରା ୮୫ଟି ଖାତା ପରିଚାଳନା କରାଯାଉଥିଲା। ସେଥିରୁ ୧୪ଟି ଖାତାର ବିବରଣୀ ଅଡିଟ୍‌ ପାଇଁ ଦିଆଯାଇନଥିଲା। ୪ଟି ଖାତାର ବିବରଣୀ ଅସମ୍ପୂର୍ଣ୍ଣ ଥିଲା। ୧୪ଟି ଖାତାକୁ ପଠାଯାଇଥିବା ୩୨.୫୦ କୋଟି ଟଙ୍କାର କୌଣସି ରେକର୍ଡ ନଥିଲା। ଏହି ୮୫ଟି ଖାତା ମଧ୍ୟରୁ ୧୯ଟି ଖାତା ଜେଇ ଓ ଏଇମାନଙ୍କ ବ୍ୟକ୍ତିଗତ ନାମରେ ଥିଲା। ପାରଳାଖେମୁଣ୍ଡିର ଜେଇ/ଏଇ ବ୍ୟାଙ୍କ ଖାତା ବ୍ୟକ୍ତିଗତ ନାମରେ ଥିବାରୁ ଏକ ବ୍ୟାଙ୍କ ତାହାର ବିବରଣୀ ଦେବାକୁ ମନା କରିଦେଇଥିଲା। ୪୨ ଜଣ ଜେଇ ସେମାନଙ୍କ ପଦରୁ ହଟିବା ପରେ ମଧ୍ୟ ଉତ୍ତରାଧିକାରୀଙ୍କୁ ବ୍ୟାଙ୍କ କାରବାର ବିବରଣୀ ହସ୍ତାନ୍ତର କରିନଥିଲେ। 

ଏଟିଏମ୍‌ରୁ ଉଠାଇଲେ, ୟୁପିଆଇରେ ପଠାଇଲେ
ମୋବାଇଲ୍‌ ରିଚାର୍ଜ କଲେ
ମ୍ୟୁଚୁଆଲ୍‌ ଫଣ୍ଡ୍‌, ଷ୍ଟକ୍ ବଜାରରେ ନିବେଶ କଲେ

ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଅଡିଟ୍‌ରୁ ଜଣାପଡ଼ିଥିଲା ଯେ ସେମାନଙ୍କ ପାଖରେ ପାଣ୍ଠି ଥିଲେ ସୁଦ୍ଧା ସନ୍ତୋଷଜନକ ଖର୍ଚ୍ଚ ହେଉନାହିଁ। ୧୧ଟି ଆଇଟିଡିଏ ପାଖରେ ୨୦୧୮-୨୩ ଭିତରେ ୧୭୦୯ କୋଟି ଟଙ୍କା ଥିଲା। ସେଥିରୁ ସେମାନେ ୧୧୯୦ କୋଟି ଟଙ୍କା ଖର୍ଚ୍ଚ କରିପାରିଥିଲେ। କୌଣସି ଆଇଟିଡିଏ ବାର୍ଷିକ ହିସାବ ଦେଉନଥିଲେ। ତେଣୁ କ୍ଷତି ଓ ବ୍ୟୟରେ ଅପଚୟ ଜଣାପଡ଼ୁନଥିଲା। ଅନେକ କାର୍ଯ୍ୟ ପାଇଁ ଜେଇ ଓ ଏଇମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଥିଲା। ସେହି ଟଙ୍କାକୁ ‌ଯନ୍ତ୍ରୀମାନେ ନିଜ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରୁଥିଲେ। ଆଇଟିଡିଏଗୁଡ଼ିକର ୪୯୦ଟି କାର୍ଯ୍ୟ ପାଇଁ ୨୦.୭୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ସେଥିରୁ ୩.୩୮ କୋଟି ଟଙ୍କା ଖର୍ଚ୍ଚର ଭାଉଚର ନଥିଲା। ସାମଗ୍ରୀ ଓ ଶ୍ରମ ବାବଦରେ ଖର୍ଚ୍ଚ ହୋଇଥିବା ୩.୨୩ କୋଟି ଟଙ୍କାର କୌଣସି ହିସାବ ନ ଥିଲା। 

୩.୩୮ କୋଟି ଟଙ୍କା ଖର୍ଚ୍ଚକୁ ପ୍ରମାଣ କରିବା ଲାଗି କୌଣସି ଭାଉଚର୍‌ ନଥିବା ଅଡିଟ୍ କରିବା ବେଳେ ସିଏଜି ଧରିଥି‌ଲେ। ସେହିପରି ୩.୨୩ କୋଟି ଟଙ୍କାକୁ ବିନା ଇନ୍‌ଭଏସ୍‌ରେ ଦିଆଯାଇଥିଲା। ଏଭଳି ୨୨.୭୮ କୋଟି ଟଙ୍କାର ଇନ୍‌ଭଏସ୍‌ ଧରାପଡ଼ିଥିଲା, ଯେଉଁଥିରେ ତାରିଖ ନଥିଲା, ନକଲି ସଂଖ୍ୟା ବ୍ୟବହାର କରାଯାଇଥିଲା ଏବଂ ଯେଉଁ ସଂସ୍ଥା ନାମରେ ସେହି ସବୁ ଇନ୍‌ଭଏସ୍‌ କରାଯାଇଥିଲା ତାହା ପଞ୍ଜୀକୃତ ନଥିଲା। ପାରଳାଖେମୁଣ୍ଡି ଆଇଟିଡିଏରେ ଏକ ସାଂଘାତିକ ଦୁର୍ନୀତି ସାମନାକୁ ଆସିଥିଲା। ସଙ୍ଗୀତ ଉପକରଣ ଓ କଷ୍ଟ୍ୟୁମ୍ କିଣିବା ଲାଗି ୭୩.୬୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ତାହାର ପାଞ୍ଚ ଗୁଣା ଅର୍ଥାତ ୩.୭୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।