ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବଣ୍ଡା, ଡିଡାୟୀ, କୋୟା, ଦୁରୁଆ, କନ୍ଧ ଜନଜାତି ବସବାସ କରୁଛନ୍ତି। ଏମାନେ ପ୍ରକୃତିର ପୂଜକ। ଦିନ ଥିଲା ଏମାନେ ଜଙ୍ଗଲକୁ ସୁରକ୍ଷା ଦେବାରେ ହେଳା କରୁନଥିଲେ। ଏବେ କିନ୍ତୁ ମାନସିକତାରେ ପରିବର୍ତ୍ତନ ହୋଇଛି। ପୂର୍ବ ଭଳି ଜଙ୍ଗଲ ସୁରକ୍ଷାକୁ ଆଦିମ ଜନଜାତି ଗୁରୁତ୍ବ ଦେଉନଥିବାରୁ ନଷ୍ଟ ହେବାକୁ ବସିଲାଣି ସବୁଜିମା। ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଦଣ୍ଡକାରଣ୍ୟ ଟାଙ୍ଗରା ଭୂଇଁରେ ପରିଣତ ହେବାକୁ ଯାଉଥିବାରୁ ପୁଣି ଥରେ ଆଦିବାସୀଙ୍କୁ ଏକାଠି ହେବାକୁ ପଡ଼ିବ। 

Advertisment

‘ସମ୍ବାଦ’ ପକ୍ଷରୁ ମାଲକାନଗିରି ଘଡ଼େଇ ଆବାସିକ ମହାବିଦ୍ୟାଳୟରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ। ଶ୍ରୀ ମାଡକାମୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏବେ ସମସ୍ତଙ୍କୁ ଅଡ଼ୁଆରେ ପକାଇଛି। ଲଘୁଚାପ ହେଲେ ହିଁ ବର୍ଷା ହେଉଛି। ପୂର୍ବରୁ ଦିନରେ ବାଘ ବୁଲୁଥିଲେ। ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ଥିଲା ଜଙ୍ଗଲ। କାଠ ମାଫିଆଙ୍କ ପାଦୁର୍ଭାବ ଯୋଗୁଁ ମୂଲ୍ୟବାନ ବୃକ୍ଷ ଦେଖିବାକୁ ମିଳୁନି। ସମୟ ଆସିଛି ଆମକୁ ସଚେତନ ହେବାକୁ ପଡ଼ିବ ବୋଲି ବିଧାୟକ କହିଥିଲେ। 

ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ. ରଂଜନ କୁମାର ସ୍ବାଇଁ ଯୋଗଦେଇ ପରିବେଶର ସୁରକ୍ଷା ଦିଗରେ ଆଗାମୀ ଦିନର ଭବିଷ୍ୟତ ଛାତ୍ରଛାତ୍ରୀ ହିଁ ପ୍ରମୁଖ ଭୂମିକା ତୁଲାଇବେ ବୋଲି କହିଥିଲେ। ନିଜ ଦାୟିତ୍ବ ଓ ଅଧିକାର ଭାବି ଛାତ୍ରଛାତ୍ରୀ ଗଛ ଲଗାଇଲେ ପୁଣି ଜଙ୍ଗଲ ବଢ଼ିବ ଓ ପରିବେଶ ହସି ଉଠିବ। ପୃଥିବୀକୁ ବଞ୍ଚାଇ ରଖିବାକୁ ସମସ୍ତଙ୍କୁ ଶପଥ ନେବାକୁ ପଡ଼ିବ। ମହାବିଦ୍ୟାଳୟ ପରିଚାଳନା ନିର୍ଦେଶକ ସୁରେଶ ଚନ୍ଦ୍ର ଘଡ଼େଇ ନିଜ ବକ୍ତବ୍ୟରେ ପରିବେଶକୁ ସରସ ସୁନ୍ଦର କରିବା ପାଇଁ ନିଜ ଘରୁ ପ୍ରଥମେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ବୃକ୍ଷରୋପଣ ଓ ପୁନଶ୍ଚ ପୃଥିବୀ ଅଭିଯାନ ଏକ ଆହ୍ବାନରେ ପରିଣତ କରି ଗଛ ଲଗାଇବା ପାଇଁ ସମସ୍ତଙ୍କୁ ଅନ୍ୟ ସହ ପ୍ରତିଯୋଗିତା କରିବାକୁ ପଡ଼ିବ। ତାହାହେଲେ ଆଗାମୀ ୧୦ ବର୍ଷରେ ପୁଣି ପୃଥିବୀ ହସିବ। 

କନକ ନ୍ୟୁଜ୍‌ ବ୍ୟୁରୋ ଦେବବ୍ରତ ସାନା ଜଳବାୟୁ ପରିବର୍ତ୍ତନ ଯୋଗୁଁ କାଶ୍ମୀର ଏବଂ ଉତ୍ତରାଖଣ୍ଡରେ ଭୟାଭୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେ ସଂପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ‘ସମ୍ବାଦ’ ମାଲକାନଗିରି ଜିଲ୍ଲା ପ୍ରତିନିଧି ପ୍ରେମେନ୍ଦ୍ର ପରିଛା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଜିଲ୍ଲା ପ୍ରତିନିଧି ସଂଜୟ ସରକାର, ବରିଷ୍ଠ ନେତା ମାଣିକ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ବିଧାୟକ ପ୍ରତିନିଧି ନିହାର ରାୟ, ଦୀପକ ସାହା, ଯୁକ୍ତ ତିନି ଅଧ୍ୟକ୍ଷ ସୁଧାକର ପଟ୍ଟନାୟକ, ଯୁକ୍ତ ଦୁଇ ଅଧ୍ୟକ୍ଷ ସତ୍ୟବ୍ରତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।