ସହିଦ୍‌ସ୍ତମ୍ଭ ନିକଟରେ କଟା ପାପୁଲି

ଦାନଗଦୀ : କଳିଙ୍ଗନଗର ଗୁଳିକାଣ୍ଡରେ ଆଦିବାସୀଙ୍କ କଟା ପାପୁଲି ଆଜି ସହିଦ୍‌ସ୍ତମ୍ଭ ନିକଟରେ ଏଣେତେଣେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

କଳିଙ୍ଗନଗର ଶିଳ୍ପାଞ୍ଚଳର ଗୋବରଘାଟିସ୍ଥିତ ବୀରଭୂମି କ୍ଲବ୍‌ ଘରେ ୫ଜଣ ଆଦିବାସୀଙ୍କ ୧୦ଟି କଟା ପାପୁଲି ଏକ ପ୍ଲାଷ୍ଟିକ୍‌ ଜାରରେ ସଂରକ୍ଷିତ କରି ରଖାଯାଇଥିଲା। ‌ତେବେ କେହି ଦୁର୍ବୃତ୍ତ ଏହି କ୍ଲବ୍‌ ଘରର କବାଟ ଭାଙ୍ଗି ପାପୁଲି ଗୁଡ଼ିକୁ ଆଣି ସହିଦ୍‌ ସ୍ତମ୍ଭ ନିକଟରେ ଏଣେତେଣେ ଫିଙ୍ଗିଥିଲା। ଆଜି ଏ ସଂପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ପୁଲିସ ଏବଂ ବିସ୍ଥାପନ ବିରୋଧୀ ଜନମଞ୍ଚର କର୍ମକର୍ତାମାନେ ପହଞ୍ଚି ଏଣେତେଣେ ପଡ଼ିଥିବା କଟା ପାପୁଲି ଗୁଡ଼ିକୁ ସଂଗ୍ରହ କରି ପୁନର୍ବାର ସେହି କ୍ଲବଘରେ ବାକ୍ସ ଭିତରେ ସୁରକ୍ଷିତ ରଖି ତାଲା ପକାଇଥିଲେ।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ବିସ୍ଥାପନ ବିରୋଧୀ ଜନମଞ୍ଚର ସ˚ପାଦକ ରବିନ୍ଦ୍ର ଜାରିକା ଓ ସଭାପତି ଅମର ସି˚ ବାନାରାଙ୍କ ନେତୃତ୍ବରେ କର୍ମକର୍ତାମାନେ କଳିଙ୍ଗନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ବିସ୍ଥାପନ ବିରୋଧୀ ଜନମଞ୍ଚର ସ˚ପାଦକ ରବିନ୍ଦ୍ର ଜାରିକା କହିନ୍ତି ଯେ, ଆସନ୍ତା ଜାନୁଆରି ୨ତାରିଖରେ ସହିଦ୍‌ ଦିବସ ପାଳନ କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ ଯେ ୨୦୦୬ ଜାନୁଆରି ୨ ତାରିଖରେ କଳିଙ୍ଗନଗର ଟାଟା ଷ୍ଟିଲ୍‌ ପାଚେରି ନିର୍ମାଣକୁ ବିରୋଧକୁ ନେଇ ସ୍ଥାନୀୟ ଆଦିବାସୀ ଏବଂ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଗୁଳିରେ ଘଟଣାସ୍ଥଳରେ ୧୨ଜଣ ଏବଂ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ସହିଦ୍‌ଙ୍କ ମଧ୍ୟରୁ ୫ଜଣଙ୍କ ପାପୁଲି କଟାଯାଇଥିଲା। ଏହାକୁ ନେଇ ସେହି ସମୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି କଟା ପାପୁଲି ଗୁଡ଼ିକ ବୀରଭୂମି କ୍ଲବ୍‌ ଘରେ ସଂରକ୍ଷିତ କରି ରଖାଯାଇଥିଲା। ତେବେ ଗତରାତିରେ ଏହି ଘରର ତାଲା ଭାଙ୍ଗି ପାପୁଲିଗୁଡ଼ିକୁ ସହିଦ୍‌ ସ୍ତମ୍ଭ ନିକଟରେ କେହି ଦୁର୍ବୃତ୍ତ ଫିଙ୍ଗି ଦେଇଥିଲା। କିଏ କାହିଁକି ଏଗୁଡ଼ିକୁ ଫିଙ୍ଗିଲା ସେ ନେଇ ତଦନ୍ତ କରାଯିବ ବୋଲି କଳିଙ୍ଗନଗର ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର