ଖାଦ୍ୟ ପାଇଁ ଗରିବ ଆଦିବାସୀଙ୍କ ବିଦ୍ରୋହ : ‘ନଗଡ଼ାକୁ ଦଉଛ, ଆମକୁ ଦିଅ’

କାଳିଆପାଣି : ଖାଦ୍ୟ ପାଇଁ ଶହଶହ ଗରିବ ଆଦିବାସୀ ଆଜି ବିଦ୍ରୋହ କରିଛନ୍ତି। ଥାଳି ଗିନା ସହ ପିଲାଛୁଆଙ୍କୁ ଧରି ରାଜରାସ୍ତାରେ ବସି ରହିଥିଲେ। ଅଶୋକଝର, କଙ୍କଡ଼ାଗୋଡ଼ି, ବାହାଳିସାହି, ଦେଓଗାଁ ଓ ଖୁମୁଡ଼ିବାହାଳି ଗାଁର ତିନିଶହରୁ ଅଧିକ ଜୁଆଙ୍ଗ ଜନଜାତି ଓ ଭୂମିପୁତ୍ର ଆଦିବାସୀ ଘଣ୍ଟାଘଣ୍ଟା ଧରି ନଗଡ଼ା ସଡ଼କକୁ ଅବରୋଧ କରି ପ୍ରଶାସନିକ ଅବ୍ୟବସ୍ଥାର ଦୃଢ଼ ପ୍ରତିବାଦ କରିଥିଲେ। ଏମିତି ଅଭାବନୀୟ ଦୃଶ୍ୟ ଆଜି ସକାଳୁ ସକାଳୁ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁ ମୌଜାର ୧ ନଂ ଓ ୨ ନଂ ୱାର୍ଡରେ ଦେଖିବାକୁ ମିଳିଛି।

ଦେଓଗାଁ-ନଗଡ଼ା ସଡ଼କରେ ଲୋକମାନେ ବାହାଳିସାହିରୁ ୨ଶହ ମିଟର ଧରି ସ୍କୁଲ ପର୍ଯ୍ୟନ୍ତ ବସି ରହିଥିଲେ। ନଗଡ଼ା ରନ୍ଧାଖାଦ୍ୟ ବ୍ୟବସ୍ଥାରେ ସାମିଲ ଥିବା ସୌରିକ ଆଥଲେଟିକ ଆସୋସିଏସନ କର୍ମକର୍ତ୍ତାଙ୍କ ବାଟ ଓଗାଳିଥିଲେ। ‘ ନଗଡ଼ାକୁ ୧୦ ଦିନ ଧରି ରନ୍ଧାଖାଦ୍ୟ ଦଉଛ, ଆମକୁ ବି ଦିଅ’ ବୋଲି ଏକ ସ୍ବରରେ ବାରମ୍ବାର କହୁଥିଲେ। ଆହୁରି ମଧ୍ୟ କହିଥିଲେ ଯେ, ‘ ଆମ ଘରେ କିଛି ବି ଖାଇବାକୁ ନାହିଁ। ଆମେ ୧୫ ଦିନ ଧରି ତୁଙ୍ଗା, ବଇଙ୍ଗା(ଜଙ୍ଗଲି ଆଳୁ) ଖାଇ ବଞ୍ଚିଛୁ।’ ଆଦିବାସୀମାନେ ପ୍ରଥମେ ପ୍ରଥମେ ଚୂନ ଚିହ୍ନିତ ବୃତ୍ତରେ ବସି ପ୍ରତିବାଦ କରିଥିଲେ । ପରବର୍ତ୍ତୀ ସମୟରେ ସାମାଜିକ ଦୂରତ୍ବ କଟକଣା ଭୁଲି ଏକାଠି ମେଳିହୋଇ ଅସନ୍ତୋଷ ଜାହିର କରିଥିଲେ।

ବିଶେଷ ସୂତ୍ରରୁ ଖବରପାଇ କାଳିଆପାଣି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଆଦିବାସୀଙ୍କୁ ମନାଇବାରେ ସଫଳ ହୋଇଥିଲେ। ଘଟଣାସ୍ଥଳ ରାସ୍ତାକଡ଼ ଶାଳଗଛ ମୂଳେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। ‌ଆସନ୍ତାକାଲି ସୁଦ୍ଧା ସଂପୃକ୍ତ ଗ୍ରାମବାସୀଙ୍କୁ ରାସନ ପ୍ରଦାନ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର