ଆଦିବାସୀଙ୍କ ସଶସ୍ତ୍ର ମେଳି, ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଲାଗୁ ଦାବି

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ, ପୁଲିସ ସହ ଧସ୍ତାଧସ୍ତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ଚିରିଲେ

ବଲାଙ୍ଗୀର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଲାଗୁ ଦାବି କରି ଆଦିବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ହଜାରହଜାର ଆଦିବାସୀ ସୋମବାର ମହାମେଳି କରିବା ସହିତ ସଶସ୍ତ୍ର ଶୋଭାଯାତ୍ରାରେ ଆସି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏହି ସମୟରେ ପୁଲିସ ଓ ଆଦିବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପାଖାପାଖି ସାଢ଼େ ତିନି ଘଣ୍ଟା ଧରି ଏହି ଦୃଶ୍ୟ ଦେଖିବାକୁ ମିଳିଛି।

ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନେତୃତ୍ୱରେ ଆଦିବାସୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପୂର୍ବ ସୂଚନା ମୁତାବକ ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ପୋଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା। ଠିକ୍‌ ଦିନ ୧୨ଟା ସମୟରେ ଆଦିବାସୀମାନେ ଗାଁ ଗାଁରୁ ଆସି ବଲାଙ୍ଗୀର ସହରରେ ପହଞ୍ଚିଥିଲେ। ଗାନ୍ଧୀନଗର ପଡ଼ା, ପେଲେସଲାଇନ ଓ ମିସନ ଫିଲ୍‌ଡଠାରେ ରୁଣ୍ଡ ହୋଇଥିଲେ। ତା’ପରେ ସହରର ତିନି ମୁଖ୍ୟ ରାସ୍ତା ସମ୍ବଲପୁର ରାସ୍ତା, ଟିଟିଲାଗଡ଼ ରାସ୍ତା, ପାଟଣାଗଡ଼ ରାସ୍ତାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ଆଦିବାସୀଙ୍କ ଶୋଭାଯାତ୍ରା ବାହାରିଥିଲା। ପାରମ୍ପରିକ ଡାକବାଦ୍ୟ ଓ ଅସ୍ତ୍ରଶସ୍ତ୍ର ଧରି ନାଚି ନାଚି ଆଦିବାସୀମାନେ ଶୋଭାଯାତ୍ରା କରିଥିଲେ। ହାତରେ ପ୍ଲାକାର୍ଡ ଧରି ଆନ୍ଦୋଳନକାରୀମାନେ ନାରା ଦେଇଥିଲେ। ହଜାର ହଜାର ପୁରୁଷ ଓ ମହିଳା ଶୋଭାଯାତ୍ରାରେ ଆସି କଚେରି ଛକରେ ଜମା ହୋଇଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। କିଛି ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ବିଭିନ୍ନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଥିବା ପୋଷ୍ଟରକୁ ଚିରିଥିଲେ। ତା’ପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଅପରାହ୍ନ ୧୨ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ପ୍ରାୟ ସାଢ଼େ ୩ଟା ଯାଏ ଆନ୍ଦୋଳନ ଚାଲିଥିଲା।

ଜିଲ୍ଲାପାଳ ବଲାଙ୍ଗୀରଙ୍କ ବିଜ୍ଞପ୍ତି ଚିଠି ସଂଖ୍ୟା- ୧୦୨୬ ତା.୨୭.୧୨.୨୦୨୧ ରେ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାରେ ବଲାଙ୍ଗୀର ଜିଲ୍ଲାର ୩୧୭ଟି ପଞ୍ଚାୟତ ମଧ୍ୟରୁ ଗୋଟିଏ ବି ପଞ୍ଚାୟତରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ କରାଯାଇ ନାହିଁ। ଭାରତୀୟ ସମ୍ବିଧାନର ଧାରା ଓ ଗ୍ରାମପଞ୍ଚାୟତ ଆଇନ ଅନୁସାରେ ଆଦିବାସୀ ଜିଲ୍ଲାୱାରି, ବ୍ଲକ୍‌ୱାରି ଜନସଂଖ୍ୟା ହିସାବରେ ପୂର୍ବପରି ସରପଞ୍ଚ, ବ୍ଲକ୍‌ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବିଗୁଡ଼ିକ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯାଉ ବୋଲି ସଂଘର ନେତାଗଣ କହିଛନ୍ତି। ନଚେତ୍‌ ଆଦିବାସୀମାନେ ନିର୍ବାଚନ କରାଇ ଦେବେ ନାହିଁ ବୋଲି ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝୀ, ଉପସଭାପତି ଶ୍ୟାମ ସୁନ୍ଦର ଭୋଇ, ବିଶିକେଶନ ଜାନୀ, ବ୍ଲକ୍‌ ସଭାପତି ବଳଦେବ ଭୋଇ, ଅଷ୍ଟରତ୍ନ ବରିହା, ବସନ୍ତ ମାଝୀ, ବିପ୍ର ବିଶି, ସୁଦାମ ଚରଣ ଭୋଇ, କାହ୍ନୁ ଚରଣ ପ୍ରଧାନ, ଘନଶ୍ୟାମ ପ୍ରଧାନୀ, ସନ୍ତୋଷ ପୁଟା, ଘିମାନନ୍ଦ ଭୋଇ, ଦୁଖୀଶ୍ୟାମ ଭୋଇ, ନିମାଇଁ ଝାଙ୍କର, ଗିରିଧାରୀ ଭୋଇ, ନିତ୍ୟାନନ୍ଦ ମାଝୀ, ଚକ୍ରଧର ଜାନି, ମହାଦେବ ଭୋଇ, ରାଜୀବ କୁଅଁର, ପୁରୁଷୋତ୍ତମ ଧରୁଆ, ନିରଞ୍ଜନ ମାଝୀ, ଈଶ୍ୱର ଭୋଇ, ଟଙ୍କଧର ଧରୁଆ, ଥବିର ପୁଝାରୀ, ପ୍ରଫୁଲ୍ଲ ପ୍ରଧାନୀ, ରଘୁନାଥ ସିଂ ବରିହା, କୁନୁ ମୁଣ୍ଡା, ମନବୋଧ ବରିହା, ବିକ୍ରମ ଭୋଇ, ଟିକେଶ୍ୱର ଧରୁଆ, ସତ୍ୟନାରାୟଣ ଭୋଇ, ଦଶରଥ ଛତ୍ରିଆ, ଚୈତନ୍ୟ ମାଝୀ, ଗୋପାଳ ପଧାନ, ହେମନ୍ତି ସମରଥ, ଈଶ୍ୱର ମିର୍ଦ୍ଧା, ଦେବସିଂହ ମାଝୀ, ଚନ୍ଦ୍ରଶେଖର ବାଗ, ଭୁବନ ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର