ନିୟମଗିରି ପରେ କର୍ଲାପାଟରେ ଆଦିବାସୀଙ୍କ ବଜ୍ର ଶପଥ, ଜୀବନ ଯାଉ ଖଣ୍ଡୁଆଳ ମାଳି ବଞ୍ଚିଥାଉ

ବକ୍ସାଇଟ୍‌ ପାଇଁ ପୁଣିଥରେ ସରକାରଙ୍କ ସହ ମୁହାଁମୁହିଁ ଅଞ୍ଚଳବାସୀ

ବିଶ୍ୱ ଆଦିବାସୀ ଦିବସରେ ମାନବଶୃଙ୍ଖଳ କରି ବିରୋଧ

କେସିଙ୍ଗା/ଥୁଆମୂଳରାମପୁର : କର୍ଲାପାଟରେ ସୋମବାର ବିଶ୍ୱ ଆଦିବାସୀ ଓ କ୍ରାନ୍ତି ଦିବସ ଉପଲକ୍ଷେ ଖଣ୍ଡୁଆଳ ମାଳି ସୁରକ୍ଷା ପରିଷଦ ଦ୍ୱାରା ଆୟୋଜିତ ହୋଇଛି ମାନବ ଶୃଙ୍ଖଳ। ଖଣ୍ଡୁଆଳ ମାଳିକୁ ବିନା ଗ୍ରାମସଭାରେ ଖଣି ଖନନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ତୀବ୍ର ବିରୋଧ କରିଛନ୍ତି ହଜାର ହଜାର ଆଦିବାସୀ। ଜାନ୍‌ ଯାଉ ଜୀବନ ଯାଉ ଖଣ୍ଡୁଆଳ ମାଳି ବଞ୍ଚିଥାଉ ବୋଲି ବଜ୍ର ଶପଥ ନେଇଛନ୍ତି ଏମାନେ। ଫଳରେ ବକ୍ସାଇଟ୍‌ ଖନନକୁ ନେଇ ପୁଣି ସରକାର ଓ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ବିନା ଗ୍ରାମସଭା, ପେସା ଆଇନକୁ ଅଣଦେଖା ଏବଂ ସରକାରଙ୍କ ଦ୍ବାରା ଘୋଷିତ ହୋଇଥିବା ହାତୀ ଅଭୟାରଣ୍ୟକୁ ସରକାର ଜଳାଞ୍ଜଳି ଦେଇଛନ୍ତି। ନିଜର କିଛି ରାଜସ୍ୱ ପାଇଁ ଅଞ୍ଚଳର ଜୀବନ ଜୀବିକା ସହ ଜଡ଼ିତ ଥିବା ଏହି ମାଳିକୁ ଶାଗ ମାଛ ଦରରରେ ବିକ୍ରି ପାଇଁ ମସୁଧା ଚଲେଇଥିବା ନେଇ ଏମାନେ ଅଭିଯୋଗ କରିଛନ୍ତି। ନିୟମଗିରିରେ ଏପରି କରିବାରୁ ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ସ୍ୱତନ୍ତ୍ର ଗ୍ରାମସଭା କରାଇ ନିୟମଗିରିକୁ ସୁରକ୍ଷା ପ୍ରଦାନ କରିଥିଲେ। ଯେଉଁଥିପାଇଁ ସରକାର ଲୋକହସା ହୋଇଥିଲେ। ସେଠାରୁ କିଛି ଶିଖିଲେ ନାହିଁ, ଏବେ ପୁଣି ଏମିତି ବେନିୟମ କାର୍ଯ୍ୟ କରିବାକୁ ଯାଉଛନ୍ତି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।

ଏହି ମାନବ ଶୃଙ୍ଖଳାରେ ଖଣ୍ଡୁଆଳ ମାଳି ଚାରିପଟେ ଥିବା ଭବାନୀପାଟଣା, ଥୁଆମୂଳ ରାମପୁର ଓ ଲାଞ୍ଜିଗଡ଼ର ସମୁଦାୟ ୧୦ଟି ପଞ୍ଚାୟତର ଅଧିବାସୀ ଏକଜୁଟ୍‌ ହୋଇ ମାନବଶୃଙ୍ଖଳା ମାଧ୍ୟମରେ ବିରୋଧ କରିଥିଲେ। ଏମାନେ ବିଭିନ୍ନ ଗ୍ରାମରୁ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବାଜା ବଜେଇ ପାରମ୍ପରିକ ନୃତ୍ୟର ତାଳେ ତାଳେ ଶୋଭାଯାତ୍ରାରେ ବାହାରିଥିଲେ। କର୍ଲାପାଟରେ ସମସ୍ତେ ଏକତ୍ରିତ ହୋଇ ମାଳିକୁ ନଦେବାର ବଜ୍ର ଶପଥ ନେଇଥିଲେ। ଏହି ମାଳି ଅଞ୍ଚଳରୁ ବିଭିନ୍ନ ଝରଣା ବାହାରିଛି, ଏ ମାଳି ଅଞ୍ଚଳରେ ବହୁ ପ୍ରଜାପତି ବନ୍ୟଜନ୍ତୁ ପଶୁ ପକ୍ଷୀ ଓ ଔଷଧୀୟ ବୃକ୍ଷ ରହିଛି। ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ଜଙ୍ଗଲ ସୃଷ୍ଟି କରି ଅଭୟାରଣ୍ୟ କରିଛନ୍ତି, ଏବେ ଏହାକୁ ଧ୍ୱଂସ କରିବାକୁ ବସିଛନ୍ତି। ସରକାରଙ୍କୁ ଏପରି ନକରିବା ଦୃଢ଼ ଚେତାବନୀ ଦେଉଛନ୍ତି। ନହେଲେ ପରିସ୍ଥିତି ଅଣାୟତ ହେବ ବୋଲି କହିଛନ୍ତି।

ଆନ୍ଦୋଳନରେ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାଏ ଯୋଗଦାନ କରି ଏ ଅଞ୍ଚଳରେ ଥିବା ୩୨୨ରୁ ଅଧିକ ଝରଣା, ଇନ୍ଦ୍ରାବତୀ ଓ ନାଗାବଳୀ ନଦୀକୁ ଜଳ ଯୋଗାଉଛି। ସରକାର ଏହି ମାଳି ଦେଇ ଝରଣାକୁ ବନ୍ଦ କରିବାର ଉଦ୍ୟମ କରୁଛନ୍ତି। ରାଜ୍ୟରେ ଥିବା ସବୁ ଆଲୁମିନା କମ୍ପାନି ପାଖରେ ବକ୍ସାଇଟ୍‌ ଖଣି ରହିଛି। ହେଲେ ସରକାର ଏହି ଖଣିକୁ ୫୦ ବର୍ଷ ପାଇଁ ଲିଜ୍‌ ଦେଇ ଆମ ରାଜ୍ୟକୁ ସମ୍ବଳହୀନ କରିବାର ମସୁଧା କରୁଛନ୍ତି। ଏହାଦ୍ୱାରା ପୁଣି ବିଦେଶୀ କମ୍ପାନି ହାତରେ ଏହି ଅଞ୍ଚଳ ରହିବ ଏବଂ ସୁନ୍ଦର ପ୍ରକୃତି ସବୁଦିନ ନଷ୍ଟ ହୋଇଯିବ ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶାର କୃଷକ ସଂଗ୍ରାମୀ ନେତା ଲିଙ୍ଗରାଜ ପ୍ରଧାନ ସିଧାସଳଖ ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତିକୁ ଟାର୍ଗେଟ କରିଛନ୍ତି। ଗୋଟିଏ ପଟେ ସରକାର ଆଦିବାସୀଙ୍କ ପାଇଁ ପେସା ଆଇନ କରିଛନ୍ତି। ଖଣି ଖନନ ପୂର୍ବରୁ ଗ୍ରାମସଭାର ସ୍ଵତନ୍ତ୍ର ଆଇନ ରହିଛି। ହେଲେ ସେ ଆଇନ ଅଣଦେଖା କରାଯାଉଛି। ଲୋକଙ୍କ ମତାମତ ଗ୍ରାମସଭା ମାଧ୍ୟମରେ ନନେଇ ନିଷ୍ପତି ନେବା ଏକ ବ୍ରିଟିସ ଶାସନ ବୋଲି କହିଛନ୍ତି।

ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ ନିୟମଗିରି ଭଳି ଏହି ମାଳିକୁ ସରକାର ବେନିୟମ ଭାବରେ ହାତେଇବାକୁ ଚେଷ୍ଟା କରୁଛନ୍ତି। ଅଞ୍ଚଳର ଆଦିବାସୀ ଓ ଅଧିବାସୀଙ୍କ ଅଧିକାରକୁ ନେଇ ଖେଳୁଛନ୍ତି। ନିୟମଗିରି ଭଳି ଏହାକୁ ତୀଵ୍ର ବିରୋଧ କରାଯିବ ବୋଲି କହିଛନ୍ତି। ଆନ୍ଦୋଳନର ଆବାହକ ବ୍ରିଟିସ କୁମାର ସରକାରଙ୍କ ମେରୀରାଏ ନୀତି ଚାଲିବାକୁ ଦିଆଯିବ ନାହିଁ, ମାଳି ସାଙ୍ଗରେ ଏ ଅଞ୍ଚଳର ଅଧିବାସୀ ସହ ବନ୍ୟଜନ୍ତୁ, ପଶୁ ପକ୍ଷୀ ସମସ୍ତେ ଜଡିତ ଅଛନ୍ତି। ଜୀବନ ପଛେ ଦେବୁ କିନ୍ତୁ ମାଳି ଦେବୁନାହିଁ। ଏଥିପାଇଁ ନିର୍ଣ୍ଣାୟକ ଲଢେ଼ଇ ହେବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାମପନ୍ଥୀ ନେତା ଦାମୋଦର ବେହେରା, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ଆବାହକ ନରେନ୍ଦ୍ର ମହାନ୍ତି, ଟିଣୁ ମାଝୀ, କାର୍ତ୍ତିକ ମାଝୀ, ହୁର୍ଷି ମାଝୀ, ରାମକୃଷ୍ଣ ମାଝୀ, ସିଦ୍ଧାର୍ଥ ନାଏକ, ସୁରେଶ ପାଣିଗ୍ରାହୀ, ଅଗଷ୍ଟ ନାଏକ, ପୁର୍ବ ବିଧାୟକ ଶ୍ରୀ ସଗରିଆ, ସଞ୍ଚୟ ନାଏକ ପ୍ରମୁଖ ବହୁ ନେତୃବୃନ୍ଦ ଏହି ଆନ୍ଦୋଳନରେ ସାମିଲ ହୋଇ ଦୃଢ଼ ପ୍ରତିବାଦ କରିଥିଲେ।

ସମ୍ବନ୍ଧିତ ଖବର