ରାଇରଙ୍ଗପୁର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରାବିଶ୍ବ ଏବେ ଚିନ୍ତାରେ। ଏହି କାରଣରୁ ବର୍ଷକୁ ବର୍ଷ ଉତ୍ତାପ ବୃଦ୍ଧି ପାଉଛି। ଅସ୍ୱାଭାବିକ ବର୍ଷା ଓ ବଜ୍ରପାତ ହେଉଛି। ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ହେଉଛି ଆଦିବାସୀବହୁଳ ଅଞ୍ଚଳ। ଆଦିବାସୀମାନେ ହେଉଛି ପ୍ରକୃତି ପୂଜକ। ପୂର୍ବରୁ ଆଦିବାସୀମାନେ ଜଙ୍ଗଲକୁ ସୁରକ୍ଷା ଦେଉଥିଲେ। ହେଲେ, ବର୍ତ୍ତମାନ ଆଦିବାସୀମାନେ ସେଥିପ୍ରତି ବେଶୀ ଗୁରୁତ୍ୱ ଦେଉନାହାନ୍ତି। ଏବେ ଆମେ ସମସ୍ତେ ମିଶିକି ଜଙ୍ଗଲକୁ ସୁରକ୍ଷାଦେବାର ସମୟ ଆ‌ସିଛି। ତା’ହେଲେ ଯାଇ ଆମ ପରିବେଶ ସୁରକ୍ଷିତ ରହିପାରିବ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଯୋଗଦେଇ ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଏହା କହିଛନ୍ତି।

Advertisment

କୋଠା ପାଇଁ ଗଛକାଟିବାର ଫଳ ଭୋଗୁଛୁ: ବିଧାୟକ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ପୂର୍ତ୍ତ ଡାକବଙ୍ଗଳାରେ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ବୃକ୍ଷରୋପଣ କରିବା ସହିତ କିପରି ତାହାର ଯତ୍ନନେବା ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ଜଲେନ ନାଏକ କହିଥିଲେ, ପୂର୍ବରୁ ରାଇରଙ୍ଗପୁର ଉପଖଣ୍ଡରେ ଅଧିକାଂଶ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ତେବେ ଆଧୁନିକ ଯୁଗରେ ମଣିଷ ଆଗକୁ ବଢ଼ିବା ପାଇଁ ଏବଂ ବଡ଼ ବଡ଼ କୋଠା ନିର୍ମାଣ କରିବା ପାଇଁ ଗଛ କାଟି ସଫା କରି ଦେଉଥିବାରୁ ଜଳବାୟୁ ପରିବର୍ତ୍ତନ ମଧ୍ୟ ହେଉଛି। ଋତୁ ଅନୁସାରେ ପାଗ ବଦଳୁନାହିଁ। ଯଦ୍ୱାରା ଋତୁ ଅନୁସାରେ ଯେମିତି ହେବାର ନିୟମ ରହିଛି ସେମିତି ହୋଇପାରୁନି। ଫଳରେ, ଜନସାଧାରଣ ଋତୁ ସହିତ ଖାପଖୁଆଇ ଚଳି ପାରୁନଥିବାରୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ମତ ରଖିଥିଲେ। ବିଧାୟକ ଶ୍ରୀ ନାଏକ ମଧ୍ୟ ‘ସମ୍ବାଦ’ର ଏହି କାର୍ଯ୍ୟକ୍ରମକୁ  ପ୍ରଶଂସା କରିଲେ। 

ଅନ୍ୟମାନଙ୍କ ମଧ୍ୟରେ, ପରିବେଶବିତ୍‌ ଲଳିତ ମହାନ୍ତ, ତିରିଂ ବ୍ଲକ୍‌ର କୁଲୁଘୁଟୁ ସରପଞ୍ଚ ଗୁରୁବାରି ପୂର୍ତ୍ତି, ଜାମଦା ବ୍ଲକ୍‌କ୍ ହେନ୍ସଡ଼ା ସରପଞ୍ଚ ବାଲେମଣି ମୁନ୍ଦୁୟା, ପାସନା ସରପଞ୍ଚ ମାଳତୀ ଆଲଦା ପ୍ରମୁଖ ଯୋଗଦେଇ ଜଳବାୟୁ ପରିବର୍ତ୍ତନରେ କିପରି ସୁଧାର ଅଣାଯାଇ ପାରିବ, ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ରାଇରଙ୍ଗପୁର ‘ସମ୍ବାଦ ଜିଲ୍ଲା’ ପ୍ରତିନିଧି ତୁଷାର କାନ୍ତ ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ସହିତ ଧନ୍ୟବାଦ ଅର୍ପଣ କରିଥିବା ବେଳେ କନକ ନ୍ୟୁଜ୍‌ ପ୍ରତିନିଧି ମଳୟ କୁମାର ଦାଶ, ସାମ୍ବାଦିକ ପ୍ରଦୀପ ମହାନ୍ତ, ମେଘନାଦ ହେମ୍ବ୍ରମ୍ , ହୋ’ ସଂପ୍ରଦାୟର ପଦ୍ମାବତୀ ସୟାଁ, ବେଲ ବିରୁଳୀ, ପୁନମ ପୂର୍ତ୍ତି, ଗମେୟା ଓମାଙ୍ଗ ପ୍ରମୁଖ ସହଯୋଗ କରିଥିଲେ।