ଟିଏସି ସଦସ୍ୟତା ରଦ୍ଦ ନେଇ ବିଧାୟକଙ୍କ ଅସନ୍ତୋଷ : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ

ଭୁବନେଶ୍ୱର : ଦୀର୍ଘ ତିନି ବର୍ଷ ପରେ ଗତ ମାସ ୨୮ ତାରିଖରେ ସଚିବାଳୟରେ ଜନଜାତି ଉପଦେଷ୍ଟା ପରିଷଦ(ଟିଏସି)ର ବୈଠକ ବସିଲା। ବୈଠକରେ ଆଲୋଚନାକୁ ନେଇ କଂଗ୍ରେସ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲା ବେଳେ ଆଜି ଏକ ନୂଆ ବିବାଦ ଠିଆ କରିଛନ୍ତି ବିଜେପି ବିଧାୟକ ରବି ନାଏକ। ସେ ଟିଏସିର ସଦସ୍ୟ ଥିଲେ ବି ତାଙ୍କୁ ସୂଚନା ଦିଆଯାଇ ନ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ସେ ରାଜ୍ୟପାଳଙ୍କୁ ପତ୍ର ଲେଖି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି।

ଶ୍ରୀ ନାଏକଙ୍କ ଅଭିଯୋଗ ଅନୁଯାୟୀ ଟିଏସି ବୈଠକରେ ଯୋଗ ଦେବା ପାଇଁ ତାଙ୍କୁ ସୂଚନା ଦିଆଯାଇ ନ ଥିଲା। ଏ ସମ୍ପର୍କରେ ସେ ପରେ ବୁଝିବାରୁ ଜଣାପଡ଼ିଲା ଯେ ଟିଏସି ସଦସ୍ୟ ଭାବେ ତାଙ୍କୁ ବାଦ୍‌ ଦିଆଯାଇଛି। ଯେହେତୁ ସେ ଜନଜାତିମାନଙ୍କ ସମସ୍ୟାକୁ ଜୋର୍‌ କରି ଉଠାଉଛନ୍ତି ଓ ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାରେ ପକାଉଛନ୍ତି, ତେଣୁ ରାଜ୍ୟ ସରକାର ଜାଣିଶୁଣି ତାଙ୍କୁ ଟିଏସିରୁ ବାଦ୍‌ ଦେଇଛନ୍ତି।

ରାଜ୍ୟପାଳଙ୍କୁ ଲେଖିଥିବା ଚିଠିରେ ଶ୍ରୀ ନାଏକ ଦର୍ଶାଇଛନ୍ତି, ଜନଜାତି ଅଧ୍ୟୁଷିତ ଅଞ୍ଚଳ ପାଇଁ ରାଜ୍ୟପାଳଙ୍କ ବିଶେଷ ସାମ୍ବିଧାନିକ ଅଧିକାର ରହିଛି। ରାଜ୍ୟପାଳ ସେହି ଅଧିକାରକୁ ପ୍ରୟୋଗ କରି ସମ୍ପୂର୍ଣ୍ଣ ଘଟଣାରେ ହସ୍ତକ୍ଷେପ କରନ୍ତୁ। ତାଙ୍କୁ ତୁରନ୍ତ ଟିଏସିରେ ସାମିଲ୍‌ କରିବାକୁ ରାଜ୍ୟପାଳ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ଏହା ସହ ଟିଏସିର ବୈଠକକୁ ନିୟମିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ନାଏକ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର