ମହାନଦୀ ଜଳ ବିବାଦ ମାମଲା: ଛତିଶଗଡ଼ ଏବଂ ଓଡ଼ିଶା କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ସଦସ୍ୟ

ଭୁବନେଶ୍ବର: ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଟ୍ରିବ୍ୟୁନାଲରେ ହୋଇଛି। ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ୨ଟି ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନରେ ଯିବେ ବୋଲି ଜଣାଯାଇଛି।
ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ ଗସ୍ତ କରିବେ ଟ୍ରିବ୍ୟୁନାଲ ଟିମ୍। ଆସନ୍ତା ଏପ୍ରିଲ ୧୭ରୁ ୨୧ ତାରିଖ ଯାଏ ଛତିଶଗଡ଼ ଗସ୍ତ କରିବେ ଟିମ୍। ସେଠାକାର କାଲ୍ମା ବ୍ୟାରେଜକୁ ଯିବେ ଟିମ୍। ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୯ରୁ ୩ ମେ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତ କରିବେ ଟ୍ରିବ୍ୟୁନାଲ ଟିମ। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏ.ମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲର ତିନିଜଣିଆ ବେଞ୍ଚ ମାମଲାର ଶୁଣାଣି କରି ଏଭଳି ସ୍ଥିର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲଙ୍କ ଦ୍ବାରା ନିଯୁକ୍ତ ଆସେସରଙ୍କ ଉପସ୍ଥିତିରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବୈଷୟିକ ଟିମ ମହାନଦୀ ଅବବାହିକାର ୧୩ଟି ଉପଅବବାହିକା ଅଂଚଳର ସୀମା ନିର୍ଦ୍ଧାରଣ କରିଛନ୍ତି। ମହାନଦୀର ଉତ୍ପତ୍ତି ସ୍ତଳରୁ ମୁଣ୍ଡଳି ଆନିକଟ ପର୍ଯ୍ୟନ୍ତ ସମୁଦାୟ ୧,୩୨,୪୧୪ ବର୍ଗ କିମି ସୀମା ନିର୍ଦ୍ଧାରଣ କରାଯାଇଛି। ଏଥିରେ ଉପଅବବାହିକା ଅନ୍ତର୍ଗତ ମହାନଦୀର ଉତ୍ପତ୍ତି ସ୍ତଳରୁ ହୀରାକୁଦ ଜଳାଶୟ ପର୍ଯ୍ୟନ୍ତ ୧୭,୫୦୧ ବର୍ଗ କିମି, ହୀରାକୁଦ ଜଳାଶୟଠାରୁ ମୁଣ୍ଡଳି ଆନିକଟ ପର୍ଯ୍ୟନ୍ତ ୧୯,୫୯୭ ବର୍ଗ କିମି, ସିଓନାଥ ୩୦,୯୫୦ ବର୍ଗ କିମି, ହାସଦେଓ ୯୯୧୮ ବର୍ଗ କିମି, ମାଣ୍ଡ ୫୩୨୯ ବର୍ଗ କିମି, ଇବ ୧୨୫୭୫ ବର୍ଗ କିମି, ଛୋଟି କେଲୋ ୪୭୧ ବର୍ଗ କିମି, ମୁଖ୍ୟ କେଲୋ ୧୩୩୯ ବର୍ଗ କିମି, ରେସିଡୁଆଲ କେଲୋ ୧ ବର୍ଗ କିମି, ପାଇରି ୩୨୪୨ ବର୍ଗ କିମି, ଜୋଙ୍କ ୩୪୫୫ ବର୍ଗ କିମି, ଅଙ୍ଗ ୫୧୪୫ ବର୍ଗ କିମି ଓ ତେଲ ୨୨୮୮୯ ବର୍ଗ କିମି ନିର୍ଦ୍ଧାରଣ ହୋଇଛି।ସମୁଦାୟ ଅବବାହିକା ୧,୩୨,୪୧୪ ବର୍ଗ କିମି ନିର୍ଦ୍ଧାରଣ କରାଯାଇଛି। ମହାନଦୀ ଅବବାହିକା ଅଂଚଳ ପରିସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହୋଇଥିବାରୁ ଟ୍ରିବ୍ୟୁନାଲ ଅବବାହିକା ଅଂଚଳ ପରିଦର୍ଶନ କରିବା ପ୍ରସଙ୍ଗରେ ନିଷ୍ପତ୍ତି ନେବାର ସମ୍ଭାବନା ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର