ଖୋର୍ଦ୍ଧା: ଜୀବନର ଯେଉଁ ଦୃଷ୍ଟିକୋଣରୁ ବିଚାର କରିବେ ଜାନକୀବଲ୍ଲଭ ପଟ୍ଟନାୟକ ସେହି ଦିଗରୁ ଜଣେ ସଫଳ ମଣିଷ ବୋଲି ଆମେ ଅନୁଭବ କରିବା। ଜାନକୀବଲ୍ଲଭ ପଟ୍ଟନାୟକ ସାମ୍ବାଦିକତା, ସାହିତ୍ୟ ତଥା ରାଜନୀତିରେ ଅଦ୍ଭୁତ ସଫଳତା ହାସଲ କରିଥିଲେ। ଏଣୁ ତାଙ୍କୁ ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ। ନିଜର ଜନ୍ମମାଟିକୁ ଭଲପାଇବା, ସୁସ୍ଥ ରହିବା ଓ ଦୃଢ଼ ଆତ୍ମବିଶ୍ବାସ ତାଙ୍କଠାରୁ ଶିଖିବାକୁ ମିଳିଥାଏ। ଆଜି ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ଜାନକୀବଲ୍ଲଭ ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୭ମ ଶ୍ରାଦ୍ଧବାର୍ଷିକୀ ସ୍ମୃତିଚାରଣ ସଭାରେ ଅଧ୍ୟକ୍ଷତା କରି ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଜାନକୀବଲ୍ଲଭ ପଟ୍ଟନାୟକ ସାଧାରଣ ଶିକ୍ଷକ ପରିବାରରୁ ଆସି ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଉଚ୍ଚଶିକ୍ଷା ହାସଲ କରିବା ସହ ସାମ୍ବାଦିକ ଜୀବନରୁ କେନ୍ଦ୍ରମନ୍ତ୍ରୀ, ତିନିଥର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ହୋଇପାରିଥିଲେ। ସେ ନିଜର ଜୀବନକାଳରେ କେବଳ ଗୋଟିଏ ଦୁର୍ଘଟଣା ବ୍ୟତୀତ ଅନ୍ୟ କୌଣସି ସମୟରେ ଶାରୀରିକ ଅସୁସ୍ଥତା କାରଣରୁ ଚିକିତ୍ସାଳୟରେ ଭର୍ତ୍ତି ହୋଇନାହାନ୍ତି କିମ୍ବା ଚିକିତ୍ସାଳୟ ଯାଇନାହାନ୍ତି। ସେ ନିଜର ଜନ୍ମମାଟି, ଏହାର ସଂସ୍କୃତି, ଭାଷା ଓ ଜନତାଙ୍କ ଉନ୍ନତିକୁ ସେ ସଦାସର୍ବଦା ପ୍ରାଧାନ୍ୟ ଦେଉଥିଲେ। ଆଜିର ଯୁବପିଢ଼ି ତାଙ୍କ ଜୀବନରୁ ଶୃଙ୍ଖଳିତ ଜୀବନଯାପନ କରି କିଭଳି ଦୀର୍ଘ ତଥା ସୁସ୍ଥ ଜୀବନ ଜିଇଁପାରିବେ, ଦୃଢ଼ ଆତ୍ମବିଶ୍ବାସ ଦ୍ବାରା ଅସମ୍ଭବକୁ ସମ୍ଭବ କରିପାରିବେ ଏବଂ ନିଜର ଜନ୍ମମାଟିକୁ କିଭଳି ଭଲ ପାଇବେ ତାହା ଶିକ୍ଷାଲାଭ କରିବା କଥା।

ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ନିଜର ଛାତ୍ର ଓ ବୃତ୍ତିଗତ ଜୀବନରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସହ ସାକ୍ଷାତ, ଓଡ଼ିଶାରେ ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ, ଭୁବନେଶ୍ବର ସହ ଦିଲ୍ଲୀ ମଧ୍ୟରେ ବିମାନସେବା, ସାମରିକ ବାହିନୀରେ ଓଡ଼ିଆ ଯୁବକଙ୍କ ନିଯୁକ୍ତି, ବିଭିନ୍ନ ଶିଳ୍ପପ୍ରତିଷ୍ଠାନର ସ୍ଥାପନା ଆଦି ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ଓଡ଼ିଶାର ରାଜନୀତିର ଋଷି ଋଷ୍ୟଶୃଙ୍ଗ ତଥା ପାଶ୍ଚାତ୍ୟ ଦାର୍ଶନିକ ଋଷୋଙ୍କ ସହ ତୁଳନା କରି ଓଡ଼ିଶାର‌େ ୧୯୩୬ରୁ ୧୯୮୦ ଦଶକ ମଧ୍ୟରେ ଚାଲିଥିବା ଅସ୍ଥିର ରାଜନୀତିକୁ ସେ କିଭଳି ସ୍ଥିରତା ପ୍ରଦାନ କରିଥିଲେ ତାହା ବର୍ଣ୍ଣନା କରିଥିଲେ। ରାଜ୍ୟରେ ଏଭଳି ବିରାଟ ବ୍ୟକ୍ତିତ୍ବଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଇନାହିଁ ବୋଲି କହିବା ସହିତ ଉତ୍କଳ ବିଶ୍ବବିଦ୍ୟାଳୟରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରିବା ଦିଗରେ ଉଦ୍ୟମ କରିବାକୁ ଶ୍ରୀ ମହାପାତ୍ର ଆୟୋଜକଙ୍କୁ ପରାମର୍ଶ ଦେଇଥିଲେ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ ନିଜ ଅଭିଭାଷଣରେ ଖୋର୍ଦ୍ଧା ପ୍ରତି ତାଙ୍କ ପିତାଙ୍କ ଅନାବିଳ ସ୍ନେହ, କ୍ରୀଡ଼ା, ଶିଳ୍ପ, ଶିକ୍ଷାର ବିକାଶ ସହ ଆସାମରେ ରାଜ୍ୟପାଳ ଥିବା ସମୟରେ ମସ୍‌ଜିଦରେ ମହିଳାଙ୍କ ପ୍ରବେଶ ନେଇ ସେ ନେଇଥିବା ସଫଳ ପଦକ୍ଷେପ ସମ୍ପର୍କରେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମଞ୍ଚାସୀନ ଥିଲେ। ଆଇନଜୀବୀ ଶିଶିର ପରିଡ଼ା ସ୍ବାଗତ ଭାଷଣ ଦେଇଥିବା ବେଳେ ସ୍ମୃତି କମିଟି ଟ୍ରଷ୍ଟର ସମ୍ପାଦକ ସଂଜୟ କୁମାର ପଟ୍ଟନାୟକ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ। ପୂର୍ବତନ ବିଧାୟକ ଡ. ଦିଲୀପ ଶ୍ରୀଚନ୍ଦନ ଅତିଥି ପରିଚୟ ପ୍ରଦାନ କରିବା ସହିତ ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ। ସ୍ମୃତି କମିଟି ଟ୍ରଷ୍ଟର କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। ସଭା ଆରମ୍ଭ ହେବା ପୂର୍ବରୁ ସ୍ମୃତି ଉଦ୍ୟାନ ପରିସରରେ ଥିବା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ।