ରେଳ ଦୁର୍ଘଟଣା: ବାହାନଗାରେ ଶ୍ରଦ୍ଧାଞ୍ଜଳି ସଭା ଆଜି

ସାମୂହିକ ବେଦପାଠ ସହ କରାଯିବ ସର୍ବଧର୍ମ ପ୍ରାର୍ଥନା ସଭା

ବାହାନଗା : ବାହାନଗା ରେଳ ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ପ୍ରାପ୍ତି ନିମନ୍ତେ ଆସନ୍ତକାଲି ୧୧ ତାରିଖରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଦଶାହ କର୍ମର ଆୟୋଜନ କରାଯାଇଛି। ସୋର, ବାହାନଗା ଓ ବାଲେଶ୍ବରର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଏହି ପରିପ୍ରେକ୍ଷୀରେ ପ୍ରଥମେ ମୁଣ୍ଡନ କର୍ମ ରହିଛି। ପ୍ରାଣ ହରାଇଥିବା ରେଳଯାତ୍ରୀମାନଙ୍କୁ ସେଦିନ ଉଦ୍ଧାର କରିଥିବା ‌ବ୍ୟକ୍ତିମ‌ାନେ ଏହି ମୁଣ୍ଡନ କର୍ମରେ ସାମିଲ ହେବେ।

୧୨ ତାରିଖ ସୋମବାର ସକାଳ ୫ ଟାରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟ ପ୍ରହର ନାମଯଜ୍ଞ, ୯ଟାରେ ଅଖଣ୍ଡ ଗାୟତ୍ରୀ ଯଜ୍ଞ, ୧୦ ଟାରେ ସର୍ବଧର୍ମ ପାର୍ଥନା ସଭା, ଶ୍ରଦ୍ଧାଞ୍ଜଳି, ସାମୂହିକ ବେଦପାଠ ଓ ଦୀପଦାନ ଆଦି କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରସାଦସେବନ ଲାଗି ବ୍ୟବସ୍ଥା ହୋଇଛି। ସେହିପରି ୧୩ ତାରିଖ ମଙ୍ଗଳବାର ଦିନ ସକାଳ ୫ଟାରେ ଶୋଭାଯାତ୍ରା, ୬ଟାରେ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ,୧୧ ଟାରେ ସାମୂହିକ ପ୍ରସାଦସେବନ ଲାଗି ବ୍ୟବସ୍ଥା ରହିଥିବା ବେଳେ ଅପରାହ୍‌ଣ ୩ ଟାରେ ବିଷ୍ଣୁପୁର ଋତୁମ୍ଭରା ଆନ୍ତର୍ଜାତିକ ସଂଘ ତରଫରୁ ୫୦୦୮ ଦୀପଦାନ ଏବଂ ଅମୃତଧାରା ସତ୍‌ସଙ୍ଗ ସମାରୋହ ପାଳିତ ହେବ ବୋଲି ସଂଗଠନର ଆବାହକ ଶରତ କୁମାର ରାଜ ଓ ନୀଳାମ୍ବର ମହାଳିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର