ଯନ୍ତ୍ରଣା ଭିତରେ ହସ ଫୁଟାଇବାର କଳା ଜାଣିଥିଲେ ପ୍ରମୋଦବାବୁ

ପ୍ରଥମ ଶ୍ରାଦ୍ଧବାର୍ଷିକୀ‌ରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ଯନ୍ତ୍ରଣା କେବେ ବି ଅମୃତ ହୋଇନପାରେ। କେବଳ ଉଚ୍ଚକୋଟୀର କବି ହିଁ ଯନ୍ତ୍ରଣାକୁ ଅମୃତ ଭାବେ ଆଦରି ନେଇପାରେ। ସେଭଳି ଜଣେ କବି ଥିଲେ ପ୍ରମୋଦ ମହାନ୍ତି। ‌ଯନ୍ତ୍ରଣା ମଧ୍ୟରେ ଭଲ ପାଇବାର ସୂକ୍ଷ୍ମ କଳା ତାଙ୍କ ଭିତରେ ଖୁନ୍ଦି ହୋଇ ରହିଥିଲା। ସେ ଯନ୍ତ୍ରଣା ଭିତରେ ହସ ଫୁଟାଇବାକୁ ଭଲ ପାଉଥିଲେ। ସାରା ଜୀବନ ତାଙ୍କର ଲେଖନୀ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ବିଶେଷକରି କାବ୍ୟ ଜଗତରେ ତାଙ୍କର ନିଖୁଣ ପ୍ରତିଫଳନ ଇତିହାସରେ ଜାଜ୍ବଲ୍ୟମାନ ହୋଇ ରହିବ। କବି ସ୍ବର୍ଗତ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆଜି ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ ପ୍ରଖ୍ୟାତ କବି ସୀତାକାନ୍ତ ମହାପାତ୍ର ଏହା କହିଛନ୍ତି।

ସାହିତ୍ୟିକ ରମାକାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ମୁଖ୍ୟବକ୍ତା ପ୍ରଫେସର୍‌ ଦାଶରଥୀ ଦାସ କହିଲେ, ପ୍ରମୋଦ ବାବୁ ଜଣେ ଭଲ ମଣିଷ ସହ ବନ୍ଧୁବତ୍ସଳ ଓ ଆବେଗପୂର୍ଣ୍ଣ କବି ଥିଲେ। ସାହିତ୍ୟିକ ଓ ସାମାଜିକ କ୍ଷେତ୍ରରେ ତାଙ୍କର ସଂପୃକ୍ତି ରହିଥିଲା। ସମ୍ମାନିତ ଅତିଥି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସମୟଚକ୍ରରେ ଆମେ ପ୍ରାୟ ତିନି ବର୍ଷ ହେବ ଏକାଠି ହୋଇ ପାରୁନଥିଲେ। କବି ପ୍ରମୋଦ ମହାନ୍ତିଙ୍କୁ ଶ୍ରଦ୍ଧା ନିବେଦନ କରିବା ବାହାନାରେ ଆଜି ଏକାଠି ହୋଇପାରିଛେ। ତେବେ କବିଙ୍କ କବିତାକୁ ପ୍ରଶଂସା କରିବା ଓ ଶ୍ରଦ୍ଧା ନିବେଦନ କରିବାରେ ସୀମିତ ରହିଲେ ହେବ ନାହିଁ। ପ୍ରମୋଦପ୍ରେମୀ ଏକାଠି ହୋଇ ଗଣତନ୍ତ୍ରର ଅବକ୍ଷୟକୁ ରୋକିପାରିଲେ, ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଭଲ ମଣିଷମାନେ ସତ୍ୟ ଉପାସନା କରିବା ସହ ସତ୍ୟାଗ୍ରହୀ ହୋଇ କ୍ଷମତା କେନ୍ଦ୍ରକୁ ଅଙ୍କୁଶରେ ଆଣିବାକୁ ସଂକଳ୍ପ ନିଅନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ।

ସଭାପତିତ୍ବ ଅଭିଭାଷଣ ପ୍ରଦାନ କରି ଶ୍ରୀ ରଥ କହିଲେ, ପ୍ରମୋଦ ବାବୁ ସମ୍ମାନ ପଛରେ ନ ଗୋଡ଼େଇ ନିଜର କର୍ତ୍ତବ୍ୟ ସମ୍ପାଦନା କରୁଥିଲେ। ଏହି ଅବସରରେ ପ୍ରଫେସର୍‌ ଅଜିତ ମହାନ୍ତି, ସାହିତ୍ୟିକ ଦାଶ ବେନହୁର, ସାହିତ୍ୟିକ ଅସିତ ମହାନ୍ତି, ଅଧ୍ୟାପକ ବିଶ୍ବରଂଜନ ପ୍ରମୁଖ କବିଙ୍କ ସ୍ମୃତିଚାରଣ କରିଥିଲେ। ମହେନ୍ଦ୍ର ନାରାୟଣ ଦାସ ସ୍ବାଗତ ଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଚିରଶ୍ରୀ ଇନ୍ଦ୍ରସିଂ ଓ ପ୍ରମୋଦ ମହାନ୍ତିଙ୍କ ଧର୍ମପତ୍ନୀ କବିତା ପଟ୍ଟନାୟକ କବିତା ଆବୃତ୍ତି କରିଥିଲେ। ମଧୁମିତା ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କବିଙ୍କ ‘ଅମୃତ ଯନ୍ତ୍ରଣା’ ଓ ‘ସ୍ମୃତି ସୁନିର୍ମଳ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର