ଭୁବନେଶ୍ବର : ଗାଁରୁ ଆସିଥିବା ବ୍ୟକ୍ତିଟିଏ ସହରରେ ପ୍ରତିଷ୍ଠିତ ହୋଇଯିବା ପରେ ଗାଁ ତଥା ମାଟି ମା’କୁ ପାସୋରି ଦେଉଛି। ଏଠାକାର ଐଶ୍ବର୍ଯ୍ୟପୂର୍ଣ୍ଣ ଓ ଚାକଚକ୍ୟ ଜୀବନ ଭିତରେ ଏମିତି ହଜି ଯାଉଛି ଯେ ପିଲାଦିନ ଓ ଗାଁ ଲୋକଙ୍କ କଥା ତା’ର ଆଉ ମନେ ପଡ଼ୁନି। ସହରରେ ଚିରକାଳ ପାଇଁ ରହିଯିବାକୁ ମନସ୍ଥ କରୁଛି। ବର୍ତ୍ତମାନର ସମାଜରେ ଏହା ଏକ ସାମାଜିକ ବ୍ୟାଧି ପାଲଟି ଗଲାଣି। କିନ୍ତୁ ବିଜୟ ବାବୁ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ ଥିଲେ। ତାଙ୍କର ଯେତେ ଉନ୍ନତି ହେଉଥିଲା, ସେ ଗାଁ ପ୍ରତି ଓ ସେଠାକାର ମଣିଷମାନଙ୍କ ପ୍ରତି ତାଙ୍କର ସ୍ନେହ, ପ୍ରେମ ସେତିକି ବୃଦ୍ଧି ପାଉଥିଲା। ତାଙ୍କ ବିୟୋଗ ଆମ ଅଞ୍ଚଳ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ‘ସମ୍ବାଦ’ର ପୂର୍ବତନ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ଦ୍ବିତୀୟ ବାର୍ଷିକ ପୁଣ୍ୟତିଥି ଉପଲକ୍ଷେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଆଜି ଏହା କହିଛନ୍ତି।
‘ସମ୍ବାଦ’ର ସମ୍ପାଦକ ତଥା ‘ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କବି ତଥା ଚିନ୍ତକ ହରପ୍ରସାଦ ଦାସ ଯୋଗଦେଇ କହିଲେ, ମଣିଷ ଜୀବନର ସବୁଠୁ ବଡ଼ କଷ୍ଟ ହେଉଛି, ପୁଅକୁ ବାପାର ଶ୍ରଦ୍ଧାଞ୍ଜଳି। ବିଜୟ ମୋ’ ଭଣଜା। ତା’ରି ଶ୍ରଦ୍ଧାଞ୍ଜଳି ସଭାରେ ମୋର ଉପସ୍ଥିତି ସବୁଠୁ ଦୁର୍ଭାଗ୍ୟପୂର୍ଣ୍ଣ। ତା’ ଶ୍ରାଦ୍ଧବାର୍ଷିକୀ ମୋ ପାଇଁ ନିରବତାର ଦିନ ହେବା କଥା। ବିଜୟ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଗଭୀର, ହେଲେ ଅଳ୍ପ ଥିଲା। ‘ସମ୍ବାଦ’ ଭଳି ଏକ ସକାରାତ୍ମକ ଅନୁଷ୍ଠାନ ସହ ତା’ ଭଳି ଜଣେ ସକାରାତ୍ମକ କର୍ମୀର ମିଳନ ଘଟିଥିଲା। ଏହି ଦୁଇ ସକାରାତ୍ମକ ଶକ୍ତିର ମିଳନ ‘ସମ୍ବାଦ’ର ପରିକଳ୍ପନା ଓ ପରିଚାଳନାକୁ ସଫଳ କରିପାରିଥିଲା।
ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି
‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ ସଭାପତିତ୍ବ ଭାଷଣରେ କହିଲେ, ବିଜୟ ବାବୁ ଜଣେ ସଫଳ କାହାଣୀର ନାୟକ। ଈଶ୍ବର ତାଙ୍କୁ ବହୁତ ଜଲ୍ଦି ପାଖକୁ ନେଇଗଲେ। ମୁଁ ‘ସମ୍ବାଦ’ ଆରମ୍ଭ କଲା ବେଳେ ବିଜୟ ବାବୁ ମୋର ପ୍ରଥମ ସହକର୍ମୀ ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ‘ସମ୍ବାଦ’ ଯେଉଁ ସଫଳତା ହାସଲ କରିପାରିଛି, ତା’ର ସିଂହ ଭାଗ ଶ୍ରେୟ ବିଜୟ ବାବୁଙ୍କୁ ଦେବାର ଆବଶ୍ୟକତା ଅଛି। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଜୀବନରେ ଜଣେ ଉତ୍ତମ ସହଯୋଗୀ ମଳିଲେ, ମଣିଷ ନିଜକୁ ଭାଗ୍ୟବାନ ମଣିବା ଉଚିତ। ଆଜିର ଏ ସଭା ଏକ ସ୍ମୃତିସଭା ନୁହେଁ, ଏକ ସତ୍ସଙ୍ଗ। ଲକ୍ଷ୍ମଣ ସଦୃଶ ବିଜୟ ବାବୁଙ୍କ ସାନ ଭାଇ ଅଜୟ ଅତ୍ୟନ୍ତ ଆତ୍ମୀୟତା, ଆବେଗ ଓ ନିଜପଣକୁ ଆଜିର ଏହି ସଭା ତଥା ଆୟୋଜନ ଜରିଆରେ ପ୍ରତିଫଳିତ କରିବା ପାଇଁ ଚେଷ୍ଟା କରି ସଫଳ ହୋଇପାରିଛନ୍ତି।
ଅତିଥି ପ୍ରଦୋଷ ପଟ୍ଟନାୟକ କହିଲେ, ଖବରକାଗଜ ଶିଳ୍ପରେ ‘ସମ୍ବାଦ’ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି। ବାସି ଖବରର ଯୁଗ ଶେଷ କରି ଲୋକମାନଙ୍କୁ ତାଜା ଖବର ଦେବାରେ ସକ୍ଷମ ହୋଇପାରିଛି। ଏହା ସେହି ସଂସ୍ଥାର ବିରାଟ ସଳଫତା। ଆଉ ସେ ସଫଳତା ପଛରେ ବିଜୟ ବାବୁଙ୍କ ନିତାନ୍ତ ସହଯୋଗ ରହିଛି। ଟ୍ରଷ୍ଟର ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ରୀନା ରାଉତରାୟ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ‘ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ର ସମ୍ପାଦକ ଶିବ କୁମାର ମହାନ୍ତିଙ୍କୁ ‘ବିଜୟ ପଟ୍ଟନାୟକ ମେମୋରିଆଲ ଜର୍ଣ୍ଣାଲିଷ୍ଟ ଆୱାର୍ଡ-୨୦୨୨’, ବିତରକ ସରୋଜ ସାହୁଙ୍କୁ ‘ବିଜୟ ପଟ୍ଟନାୟକ ମେମୋରିଆଲ ହକ୍ର ଆୱାର୍ଡ-୨୦୨୨’, ଚଳିତବର୍ଷ ମାଟ୍ରିକ୍ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଶିବରାମ ପାତ୍ର, ସୁଶ୍ରୀ ସ୍ବରୂପା ଜେନା, କୁମାରୀ ଆଦ୍ୟାଶା ପ୍ରିୟଦର୍ଶିନୀ ପାଣି ପ୍ରମୁଖଙ୍କୁ ‘ବିଜୟ ପଟ୍ଟନାୟକ ମେମୋରିଆଲ ଆୱାର୍ଡ-୨୦୨୨’ ପ୍ରଦାନ କରାଯାଇଥିଲା। ସେହିଭଳି ଶିଶୁ ଶ୍ରମିକମୁକ୍ତ ହୋଇ ଶିକ୍ଷାକୁ ଗ୍ରହଣ କରିଥିବା ଚନ୍ଦ୍ର ମାଝିଙ୍କୁ ‘ବିଜୟ ପଟ୍ଟନାୟକ ମେମୋରିଆଲ ଆୱାର୍ଡ-୨୦୨୨’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଟ୍ରଷ୍ଟ ପକ୍ଷରୁ ବିଜୟଙ୍କ ବିଜୟ ଯାତ୍ରା ସମ୍ବଳିତ ଫଟୋଚିତ୍ରକୁ ଉନ୍ମୋଚନ କରାଯାଇଥିଲା। ଚଳିତବର୍ଷ ରଥଯାତ୍ରା ଉପଲକ୍ଷେ ଟ୍ରଷ୍ଟ ଦ୍ବାରା ପ୍ରସ୍ତୁତ ହୋଇଥିବା ଜଗନ୍ନାଥ ଭଜନ ମଧ୍ୟ ପରିବେଷିତ ହୋଇଥିଲା।