ଭୁବନେଶ୍ୱର : ବିଜୁବାବୁଙ୍କ ଜୀବନୀ ହେଉଛି ଆଧୁନିକ ଓଡ଼ିଶାର ବିକାଶର ଇତିହାସ। ସେ ତାଙ୍କ ସମୟଠାରୁ ବହୁତ ଆଗରେ ଥିଲେ। କୃଷି, ଶିଳ୍ପ, ଶିକ୍ଷା, ନାରୀ ସଶକ୍ତୀକରଣ, ସବୁ କ୍ଷେତ୍ରରେ ତାଙ୍କର ବିପୁଳ ଅବଦାନ ରହିଛି। ସେ ଜଣେ ଦୂରଦ୍ରଷ୍ଟା ଭଳି କାମ କରିଯାଇଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସରେ ଆଭାସୀ ମାଧ୍ୟମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଗରିବ ତଥା ମା’ମାନଙ୍କ ସଶକ୍ତୀକରଣ କାର୍ଯ୍ୟକ୍ରମ ‘ସଶକ୍ତ ଓଡ଼ିଶା’ର ଲକ୍ଷ୍ୟକୁ ସୁଦୃଢ଼ କରିଛି। ଦିନେ ଓଡ଼ିଆ ଭାବେ ସେ ଗର୍ବ କରୁଥିଲେ ଏବଂ ଆଜି ତାଙ୍କ ପାଇଁ ଓଡ଼ିଆ ଜାତି ଗର୍ବ କରୁଛି। ସାହସ ଓ ସ୍ୱାଭିମାନ ଯେମିତି ତାଙ୍କର ପରିଚୟ ଥିଲା, ଠିକ୍‌ ସେମିତି ସେବା ଓ ସଂଗ୍ରାମ ଥିଲା ତାଙ୍କ ଜୀବନର ବ୍ରତ। ଓଡ଼ିଶା ପାଇଁ, ଓଡ଼ିଆ ଜାତିର ଉନ୍ନତି ଓ ଗୌରବ ପାଇଁ ସେ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲେ। ଜଣେ ରାଜନେତା ନୁହେଁ, ପରିବାରର ମୁରବି ପରି ଓଡ଼ିଶାବାସୀଙ୍କ ପାଇଁ ବିଜୁବାବୁ କାମ କରୁଥିଲେ। ରାଜନୀତିରେ ହାର-ଜିତ୍‌ ଅପେକ୍ଷା ଓଡ଼ିଶାବାସୀଙ୍କ ସ୍ୱାର୍ଥ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ସେଥିପାଇଁ ସେ ସବୁବେଳେ ଓଡ଼ିଶାବାସୀଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ।

Advertisment

publive-image
କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ, ବିଜୁବାବୁ ଥିଲେ ଓଡ଼ିଶାର ସ୍ୱାଭିମାନ, ସ୍ପର୍ଦ୍ଧା ଓ ସମୃଦ୍ଧିର ପ୍ରତୀକ। ଆଧୁନିକ ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅଗ୍ରଗଣ୍ୟ। ସମ୍ମାନିତ ଅତିଥି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ସାହସିକତା ଓ ସ୍ୱାଭିମାନର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ ବିଜୁବାବୁ। ମୁଁ ସାମ୍ବାଦିକତା କରୁଥିବା ବେଳେ ଅନେକଥର ତାଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇଛି। ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ଯେଉଁ ନକ୍ସା ଆଙ୍କିଥିଲେ, ତାକୁ ଆଜି ଆମେ ସମୟର ଆବଶ୍ୟକତା ଭିତ୍ତିରେ ଅନୁସରଣ କରୁଛୁ। ‘ଗରିବୀ ହଟାଓ’ ଅଭିଯାନ କ୍ଷେତ୍ରରେ ବିଜୁବାବୁ ସର୍ବଦା ସ୍ମରଣୀୟ ରହିବେ। ବିଏମ୍‌ସି ମେୟର୍‌ ସୁଲୋଚନା ଦାସ କହିଥିଲେ, ବିଜୁବାବୁ ବାସ୍ତବତାକୁ ବିଶ୍ବାସ କରିବା ସହ ସାମ୍ନା କରିବାର ସାହସ ରଖୁଥିଲେ। ସ୍ବପ୍ନ ଦେଖାଇ ତାକୁ ପୂରଣ କରିବାର ଦୃଢ଼ ସଂକଳ୍ପ ନେଉଥିଲେ। ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ମହିଳା ସମବାୟ ବିକାଶ ନିଗମ ଓ ମହିଳା କମିସନ ଗଠନ କରି ନାରୀ ସଶକ୍ତୀକରଣ କ୍ଷେତ୍ରରେ ସେ ଯେଉଁ ଯୋଗଦାନ କରିଯାଇଛନ୍ତି, ତାହା ରାଜ୍ୟ ତଥା ଦେଶର ରାଜନୀତିରେ ବିରଳ ବୋଲି କହିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ଏବଂ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଏସ୍‌ଏମ୍‌ କ୍ରିଏସନ୍‌ର ଶିଳ୍ପୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ବିଶ୍ୱଜିତ ବଳିୟାରସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।