ଚାଖି ଖୁଣ୍ଟିଆଙ୍କ ବଳିଷ୍ଠ ନେତୃତ୍ୱ ଏବଂ ଅବଦମିତ ଦେଶପ୍ରେମ ଚିରସ୍ମରଣୀୟ

୨୦୦ତମ ଜୟନ୍ତୀରେ ସୂଚନା ଓ ଲୋକସଂପର୍କ ବିଭାଗର ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଉତ୍ସର୍ଗୀକୃତ ସେବା ଓ ତ୍ୟାଗପୂର୍ଣ୍ଣ ବଳିଦାନ ଯୋଗୁଁ ଭାରତବର୍ଷ ପରାଧୀନତାର ଶୃଙ୍ଖଳରୁ ମୁକ୍ତିଲାଭ କରିଥିଲା। ସେହିପରି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ ମହାନ ବିପ୍ଳବୀ ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ)। ୧୮୫୭ର ଐତିହାସିକ ସିପାହୀ ବିଦ୍ରୋହରେ ସାମିଲ ହୋଇ ଚାଖି ଖୁଣ୍ଟିଆ ଓଡ଼ିଶାର ଗର୍ବ ଓ ଗୌରବକୁ ଜାତୀୟସ୍ତରରେ ଉଚ୍ଚତମ ସୋପାନରେ ପହଞ୍ଚାଇ ପାରିଥିଲେ। ଝାନ୍ସିରାଣୀ ଲକ୍ଷ୍ମୀବାଈଙ୍କ ଆହ୍ୱାନରେ ସୁଦୂର ଉତ୍ତର ଭାରତରେ ଇଂରେଜମାନଙ୍କ ବିରୋଧରେ ତାଙ୍କର ଅସାଧାରଣ ବୀରତ୍ୱପୂର୍ଣ୍ଣ ରଣକୌଶଳ ପ୍ରଦର୍ଶନ ଇତିହାସର ଏକ ଚର୍ଚ୍ଚିତ ଅଧ୍ୟାୟ। ଚାଖି ଖୁଣ୍ଟିଆ ଏକାଧାରରେ ଜଣେ କବି, ମହାନ ବିପ୍ଳବୀ, ସମାଜ ସଂସ୍କାରକ ଏବଂ ଶ୍ରୀଜଗନ୍ନାଥଙ୍କର ପରମ ସେବକ ଥିଲେ। ତାଙ୍କର ବଳିଷ୍ଠ ନେତୃତ୍ୱ ଏବଂ ଅବଦମିତ ଦେଶପ୍ରେମ ପାଇଁ ସେ ସର୍ବଦା ଏ ଜାତିର ପ୍ରାତଃସ୍ମରଣୀୟ। ମହାନ ବିପ୍ଳବୀ ଚନ୍ଦନ ହଜୁରୀଙ୍କ ୨୦୦ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପାଳିତ ଶ୍ରଦ୍ଧାଞ୍ଜଳି ସଭାରେ ଏହି ମତପ୍ରକାଶ ପାଇଥିଲା।

ଏହି ଅବସରରେ କଳ୍ପନା ଛକସ୍ଥିତ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିଭାଗ ତରଫରୁ ପ୍ରତିମୂର୍ତ୍ତିସ୍ଥଳକୁ ଆକର୍ଷଣୀୟ ସାଜସଜ୍ଜା କରାଯାଇ କୋଭିଡ୍‌ ମାର୍ଗଦର୍ଶିକାର ଅନୁପାଳନ ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍‌ ମହାନ୍ତି ପୁଷ୍ପଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ଓ ମାନସ ରଞ୍ଜନ ଖୁଣ୍ଟିଆ, ଉପନିର୍ଦ୍ଦେଶକ ବିଶ୍ୱଜିତ୍‌ ଦାଶ ଓ ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଓ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର