ହେମାନନ୍ଦଙ୍କୁ ବିଧାନସଭା, କଂଗ୍ରେସ ଭବନରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କୁ ଶନିବାର ଦିନ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ସ୍ବର୍ଗତ ବିଶ୍ବାଳଙ୍କ ବାସଭବନ, ବିଧାନସଭା ଓ କଂଗ୍ରେସ ଭବନରେ ବହୁ ନେତୃବୃନ୍ଦ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ମୃତିଚାରଣ କରିଥିଲେ।

ଶନିବାର ସକାଳୁ ତାଙ୍କ ବାସଭବନରେ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ ସାଧାରଣ ଜନତା ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା ଅଣାଯିବା ସହିତ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଅନ୍ୟମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସକାଳ ସାଢ଼େ ୯ଟା ସମୟରେ ତାଙ୍କ ମରଶରୀରକୁ କଂଗ୍ରେସ ଭବନକୁ ଅଣାଯାଇଥିଲା। ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନିଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଜି.ରୁଦ୍ର ରାଜୁଙ୍କ ସମେତ ବହୁ କଂଗ୍ରେସ ନେତା ସ୍ବର୍ଗତ ବିଶ୍ବାଳଙ୍କ ଶେଷ ଦର୍ଶନ କରିଥିଲେ। ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା।
ବୈଠକ ଆରମ୍ଭରୁ ସ୍ବର୍ଗତ ବିଶ୍ବାଳଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ସ୍ବର୍ଗତ ବିଶ୍ବାଳ କଂଗ୍ରେସ ଦଳ ଜଣେ ସ୍ପଷ୍ଟବାଦୀ ଓ ଗରିବ ଲୋକଙ୍କ ସେବା କରିବାର ମନବୃତ୍ତି ସଂପନ୍ନ ବ୍ୟକ୍ତି ରହିଥିଲେ। ସାଂଗଠନିକ କ୍ଷେତ୍ର ହେଉ ବା ପ୍ରଶାସନିକ କ୍ଷେତ୍ରରେ ସମସ୍ତ ଦାୟିତ୍ବକୁ ସାଲିସ ବିହୀନ ଭାବେ ନିର୍ବାହ କରିଥିଲେ। ରାଜଧାନୀର ଏଜି ଛକରେ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତି ସ୍ଥାପନ କରି ସେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ ବୋଲି ଉପସ୍ଥିତ ବକ୍ତାମାନେ ମତ ରଖିଥିଲେ। ଶୋକ ସଭାରେ ବିଧାୟକ ସୁରେଶ ରାଉତରାୟ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସାହୁ, ଗିରିବାଳା ବେହେରା, ଜିଆ ଉଲ୍ ହକ୍, ୟାସର ନୱାଜ୍, ନବୀନ ଚନ୍ଦ୍ର ନାରାୟଣ ଦାସ, ଚିନ୍ମୟ ସୁନ୍ଦର ଦାସ, ପଦ୍ମାକର ଗୁରୁ, ଅମିୟ ପଟ୍ଟନାୟକ, ହଳଧର ସେଠୀ, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ସନତ ଦାସ, ନିଶିକାନ୍ତ ମିଶ୍ର, ବିଶ୍ବଜିତ ଦାଶ, ବିସ୍ମୟ ମହାପାତ୍ର, ସୁବ୍ରତ ମହାପାତ୍ର, ସ୍ବାଧୀନବାଳା ଦାସ, ତୃପ୍ତି ଦାସ, ରସିକ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ସୁଶାନ୍ତ ତ୍ରିପାଠୀ ଓ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ଗତକାଲି ସନ୍ଧ୍ୟାରେ ସ୍ବର୍ଗତ ବିଶ୍ବାଳଙ୍କ ୮୨ ବର୍ଷରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଅସୁସ୍ଥ ହୋଇ ସମ୍ ଅଲ୍ଟିମେଟ୍ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ଚଳିତମାସ ପ୍ରଥମ ସପ୍ତାହରେ ଶ୍ରୀ ବିଶ୍ବାଳ ଝାରସୁଗୁଡ଼ାର ନିଜ ଗାଁ ଠାକୁରପଡ଼ାରେ ପ୍ରାତଃ ଭ୍ରମଣ କରୁଥିଲାବେଳେ ତଳେ ପଡ଼ିଯାଇଥିଲେ। ସେତେବେଳେ ସ୍ଥାନୀୟ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କିନ୍ତୁ ପରେ ତାଙ୍କୁ ଜ୍ବର ହୋଇଥିଲା ଓ ସେ ଅତ୍ୟନ୍ତ ଦୁର୍ବଳ ଅନୁଭବ କରିଥିଲେ। ତା’ପରେ ତାଙ୍କୁ ଭୁବନେଶ୍ବର ଅଣାଯାଇ ସମ୍ ଅଲ୍ଟିମେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ଜାରି ରଖିଥିଲେ। ତେବେ ତାଙ୍କର ବହୁ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯିବାରୁ ଗତକାଲି ସନ୍ଧ୍ୟା ୭ଟା ୫୧ରେ ପରଲୋକ ହୋଇଯାଇଥିଲା।

ଗାଁ ମାଟିରେ ଶେଷକୃତ୍ୟ ସମ୍ପନ୍ନ
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶେଷକୃତ୍ୟ ଶନିବାରର ତାଙ୍କ ପୈତୃକ ଗ୍ରାମ ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ୍‌ ଠାକୁରପଡାରେ ସଂପନ୍ନ ହୋଇଛି। ପୁତୁରା (ସାନ ଭାଇଙ୍କ ପୁଅ) ଦିନେଶ ବିଶ୍ୱାଳ ମୁଖାଗ୍ନି ଦେଇଥିଲେ। ଅପରାହ୍‌ଣ ୫ଟାରେ ଠାକୁରପଡ଼ାରେ ସ୍ବର୍ଗତ ବିଶ୍ବାଳଙ୍କ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନ ଜଣାଇ ତାଙ୍କୁ ଗାର୍ଡ ଅଫ୍‌ ଅନର୍ ଦିଆଯାଇଥିଲା।

ସମ୍ବନ୍ଧିତ ଖବର